କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ପ ଚମ୍ପୂ

ଉଇକିପାଠାଗାର‌ରୁ


କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ପ ଚମ୍ପୂ

ପ ଚମ୍ପୂ
(ରାଗ ଭୈରବ)

ପ୍ରିୟସହି, ପରମାଦ ବଡ଼ ତୁହି ଗୋ,
ପାରୁ କେତେ ଛନ୍ଦେ ମୋହି ଗୋ ।ପଦ।

ପରମପଦରେ ଦେଇ ଜାଣୁ ତୁ ରସାଇ,
ପୁଣି ତହୁଁ ଜାଣୁ ତଳାତଳକୁ ଖସାଇ,
ପାସୋରାଇ ମନୁ ନାନା କଦନ ଲସାଇ,
ପୀଡ଼ୁ ଅଶ୍ରୁ ବରଷାଇ ଗୋ ।୧।

ପ୍ରପଞ୍ଚଯାକରେ ଜଣା ନ ଥାଇ ସଂଶୟ,
ପସନ୍ଦ ନୁହଇଁ ପରପୁରୁଷରେ ସ୍ନେହ,
ପରବଶ ହେବ ଯେବେ ପ୍ରାଣତୁଲେ ଦେହ,
ପ୍ରାଣୀ କି କରିବ କହ ଗୋ ।୨।

ପରବଚନ୍ଦ୍ର ଚିପୁଡ଼ି ପିଇବା ପୀୟୂଷ,
ପରିଣତି ସମୟେ ସେ ହେବ ଯେବେ ବିଷ,
ପ୍ରପନ୍ନ ହେବା ଗଙ୍ଗାରେ ଜନ୍ମିଲେ କିଳ୍ୱିଷ,
ପ୍ରୟୋଗ କରିବା କିସ ଗୋ ।୩।

ପିଆଇ ଦୁହିଙ୍କି ଥରେ ଦୁହିଙ୍କ ଅଧର,
ପଛେ କହ ଆଚରଣ ପୂତନାବଧର,
ପୀତପଟନଟ ନାଁ ମୋ ଆଗରେ ନ ଧର,
ପାଳିଏ ମାତ୍ର ଉଦ୍ଧର ଗୋ ।୪।

ପୁରନ୍ଦରମଣି ଶ୍ୟାମେ ଅଛି ମୋ ତରସ,
ପରପରିବାଦମୁଣ୍ଡେ ଟାକର ବରଷ,
ପୃଥ୍ୱୀଚକ୍ରବାଳ ପରିବୃଢ଼ ବାଲୁକେଶ,
ପ୍ରସରାଇଲେ ଏ ରସ ଗୋ ।୫।