କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ବ ଚମ୍ପୂ
Jump to navigation
Jump to search
ବ ଚମ୍ପୂ
(ରାଗ ଆରଭୀ, ଖେମଟା)
ବିଚକ୍ଷଣା ରେ, ବିନା ତୋ ପ୍ରୀତି କେ ଗତି ଅଛି ଜଗତୀରେ ।ପଦ।
ବୋଲି ଦେଲି ସିନା ଗେଲେ ହସି
ବିଶ୍ୱେ ତୋ ସମ କାହିଁ ବିଶ୍ୱାସୀ
ବାନ୍ଧିବାକୁ ମୋ ମନ ତୁ ପାଶି
ବିଶେଷରେ ମୋ ହୃଦନ୍ତର ତୋତେ ଜଣା ରେ।୧।
ବିଶ୍ୱମ୍ଭରା ରଜଖେଳା କାଳୁଁ
ବହିଃପ୍ରାଣ ପରି ପରିପାଳୁ
ବିଧିବଶୁ ନିସର୍ଗକୃପାଳୁ
ବ୍ରଜେ ହେଉଛି ଏହି ଡିଣ୍ଡିମ ବାଜଣାରେ ।୨।
ବିକେ କିଣେ ଯେ ଯାହାକୁ ସ୍ନେହେ
ବଡ଼ ତାଠାରୁ ଜୀବନ ନୋହେ
ବଳ ତାହାଠାରେ ସିନା ସହେ
ବହିରଙ୍ଗେ ବୁଲୁଛନ୍ତି ଦେଖ ଅଗଣାରେ ।୩।
ବୋଲେ ଅଷ୍ଟଦୁର୍ଗର ମଘବା
ବଲ୍ଲୀ ନିକଟକୁ ଚାଲ ଯିବା
ବଂଶୀଗୀତପୀୟୂଷ ପୀଇବା
ବିଭାବରୀ ନ ପାହୁଁ ଆସିବା ଅଜଣାରେ ।୪।