କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଭ ଚମ୍ପୂ

ଉଇକିପାଠାଗାର‌ରୁ
Jump to navigation Jump to search
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଭ ଚମ୍ପୂ

ଭ ଚମ୍ପୂ
(ରାଗ କେଦାରଗୌଡ଼ା, ତ୍ରିପଟା)

ଭଙ୍ଗୀ ଚାହାଁ, ଭୂରୁନୀଳଭୁଜଙ୍ଗୀ-ଭ୍ରମର ଜୀବସଙ୍ଗୀ ।ପଦ।

ଭାଗ୍ୟ ଏ ଜନ ଆଖି, ଜନନରଟି ସଖି ଜାଣରେ,
ଭରମି ନ ଯା ତୁ ମନ୍ମଥ ବାଣରେ,
ଭୁଜପାଶିକୁ ଛନ୍ଦି ମୋ ଗଳେ, ଭିଡ଼େ ପଦକଞ୍ଜ ଖଞ୍ଜ ଧରଣୀତଳେ,
ଭୂମଣ୍ଡନା ରେ,
ଭଲା ମାନୁଛି ଦେଖ, ମୁଖସୁଧାମୟୂଖ,
ଅଳକତଳ ଅଖ- ଣ୍ଡିତ ରୋଚନାରେଖ,
ତିଳକେ ଦୃଷ୍ଟି ରଖ ସଖି ରେ, କି ଦିଶେ ଚଳାଚଳ, ଚାରୁଚନ୍ଦ୍ରକଚୂଳ ।୧।

ଭର୍ତ୍ସିତନବରବି, କୁଣ୍ଡଳଯୁଗଛବି, ଗଣ୍ଡରେ,
ଭିଦୂର ଏହିଟି ବିବେକ ମୁଣ୍ଡରେ,
ଭବ୍ୟଦାୟକ ମାଣିକ୍ୟବର, ଭ୍ରମ ଜାତ କରୁଅଛି ମଧୁରାଧର,
ଭୂମଣ୍ଡନା ରେ,
ଭୁଷୁଡ଼ିବଟି ସତୀ, ବ୍ରତ ନିୟମ ଧୃତି,
ଶ୍ରୀଅଙ୍ଗସଙ୍ଗ ମତି, ବିନା ଅନାଅ ଦ୍ୟୁତି,
ମଦଦ୍ୱିରଦଗତି ସଖି ରେ, ଶୋଭାନିଧି ତୋ ଗାତ୍ର, ନ ଚୁମ୍ବୁ ଶ୍ୟାମନେତ୍ର ।୨।

ଭଙ୍ଗୀତ୍ରୟରେ ଉଭା, ହେବାର କେଡ଼େ ଶୋଭା ପ୍ରକାଶେ,
ଭରାଜି କି ହାର ସେ ବକ୍ଷ ଆକାଶେ,
ଭର୍ଗ ସମାଧି ଭଙ୍ଗ କରିବି, ଭଲେ ଏହା କରକମଳ ବଂଶୀରବ,
ଭୂମଣ୍ଡନା ରେ,
ଭୂତିଭୂଷବିପକ୍ଷ, ପ୍ରକ୍ଷ୍ୱେଡ଼ନରୁ ତିକ୍ଷ,
ଏ କିଶୋର କଟାକ୍ଷ, କନକାଚଳ ବକ୍ଷ,
କେବଳ ଏହା ଲକ୍ଷ୍ୟ ସଖି ରେ, କହ ବିଚାରି ସତେ, ଯୁବତିଧୃତି କେତେ ।୩।

ଭାଷିଲେ, ଅଷ୍ଟଦୁର୍ଗ-କ୍ଷିତି କପଟସ୍ୱର୍ଗ, ମଘବା,
ଏ ଶୃଙ୍ଗାର ସୁଧାବରଷୀ ମେଘ ବା,
ଭୃତ୍ୟପଣରେ ହେଲେ ଏହାର, ଭୁଜ-ଭୁଜଗେନ୍ଦ୍ର କରନ୍ତା କଣ୍ଠେ ହାର,
ଭୂମଣ୍ଡନା ରେ,
ଭଜିଥାନ୍ତା ରଜନୀ, ଦିବସେ ପିକଦାନୀ,
ଖଟି ଏ କୃପା ଘେନି, ସାର୍ଥ ହୁଅନ୍ତା ଜନି,
ସତେ ଜଳଜଯୋନି ସଖି ରେ, କରିବେ ଅନୁଗ୍ରହ, ଏ ମୋହନ ବିଗ୍ରହ ।୪।

ଅଧିକ ପଠନ[ସମ୍ପାଦନା]