କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ସ ଚମ୍ପୂ

ଉଇକିପାଠାଗାର‌ରୁ
Jump to navigation Jump to search
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: ବଳଦେବ ରଥ
ସ ଚମ୍ପୂ

ସ ଚମ୍ପୂ
(ରାଗ ସିଂହେନ୍ଦ୍ରମଧ୍ୟମ, ଯତି ତାଳ)

ସପତଟି ମୋର ରେ, ସହ ଏହି ଥର ରେ,
ସାର ହାରମସାରମଣିବର ପରି ଧରି ବକ୍ଷଃସ୍ଥଳେ ନିରନ୍ତର,
ନ ଫିଙ୍ଗି ପୁଣି ହଟି, ସୁନ୍ଦର ନୁହଇଁଟି,
ବିଚାରି ଭରସା ବଢ଼ାଅ ଅପରିମିତ ।ପଦ।

ଶୁଣିଲେ ଆଉ କେ ବ୍ରଜେ, ସରିଯିବି ସିନା ଲାଜେ,
ସାହା ତୁ ନୋହିଲେ କିଛି, ସଂସରେ ନିକି ମୁଁ ଅଛି ।୧।

ସାଧୁଜନ କୁକ୍ଷିକୂପେ, ଭଲ ମନ୍ଦ ସିନା ଛପେ,
ସଂହର କ୍ରୋଧ ଉଦୟ, ସହଜେ ତୁ ସହୃଦୟ ।୨।

ସବୁ ଅନ୍ୟାୟ ଚରିତ, ଶିକ୍ଷାକୁ ଗୁରୁ ତୁହି ତ,
ସମୟେ କାଟୁ ତୋଟିକି, ସଖା ଲକ୍ଷଣ ଏ ଟିକି ।୩।

ସମାଂସମୀନା ଅୟୁତେ, ସମର୍ପି ଦେବିଟି ତୋତେ,
ସମ୍ଭାଳ ମୋର ଆବୁର, ସର୍ବସ୍ୱ ପରା ତୁ ମୋର ।୪।

ସାକ୍ଷାତ ଦେଖିଲା ପରି, ସାକ୍ଷୀ ହେବାକୁ ବାହାରି,
ସାଧିବାର ଅବିଚାର, ସପତ୍ନ ନୁହେଁ ମୁ ତୋର ।୫।

ସାନ୍ଦୀପନିସୁତ ଯତି, ସେ କି ଜାଣେ ବୋଲି ପ୍ରୀତି,
ସରସେ ପିଟିବେ ଢକ୍କା, ସମ୍ପାଦିବୁ ଏତେ ଏକା ।୬।

ଶୁଣି କିଶୋର ବଚନ, ସଖା କଲେ ଆଲିଙ୍ଗନ,
ସୁତ୍ରାମା ଅଷ୍ଟଦୁର୍ଗର, ସନ୍ତୋଷେ ଯୋଡ଼ିଲେ କର ।୭।