କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଶ ଚମ୍ପୂ
Jump to navigation
Jump to search
ଶ ଚମ୍ପୂ
(ରାଗ: ମିଶ୍ରକାଫି)
(ମତାନ୍ତରରେ ଧନାଶ୍ରୀ)
ଶ୍ୟାମ ଶିଖଣ୍ଡଚୂଳ, ଶ୍ରମ କି ଆଜଯାକେ ହେଲା ସଫଳ ।ପଦ।
ଶର୍ବରୀ ନିଦ୍ରା ବିନା ଗଲା କି ସରି, ଶମ୍ବରପରପୁର କଲ କି ଜୂରି ।୧।
ଶ୍ରୀଅଙ୍ଗ ବେଶ କିମ୍ପା ଏପରି ଆଜ, ଶରଦଚନ୍ଦ୍ର ଚୁମ୍ବୁ ନାହିଁ କି ଲାଜ।୨।
ଶିଶୁ ହେଲେହେଁ ତୁମ୍ଭେ କଲଭ[୧] ସରି, ଶଶକିଶୋରୀଟିକି ଦେଲ ଯେ ସାରି ।୩।
ଶିରୀଷମାଳା ଦଳିଦେଇ କୁଠାରେ, ଶଙ୍କା ନ କଲ ସଖୀମାନଙ୍କଠାରେ ।୪।
ଶରମପ୍ରଦ ଆଜ ସରିକି ହେଲା, ଶମନସ୍ୱସାତଟ-ଅଟବିବୁଲା ।୫।
ଶିର ସୁନ୍ଦର ଦିଶେ ଯାବକ ବୋଳେ, ଶରଣ ବୋଲି କି ପଡ଼ିଲ ପା’ତଳେ ।୬।
ଶପଥ ଶତ ଶତ[୨] କହଟି ସତ, ଶ୍ରୀବାଲୁକେଶ ନୃପ ରଚିଲେ ଗୀତ ।୭।
[୧]- ପାଠାନ୍ତର- ‘କଲଭ’ ସ୍ଥାନରେ ‘କେଶରୀ’। ଅଳଙ୍କାର ଦୃଷ୍ଟିରୁ ଅସଙ୍ଗତ ।
[୨]- ପାଠାନ୍ତର- ‘ଶତ’ ସ୍ଥାନରେ ‘ଅଛି’। ଅଳଙ୍କାର ଦୃଷ୍ଟିରୁ ଏହା ମଧ୍ୟ ଅସଙ୍ଗତ ।