କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ବ (ଅନ୍ତସ୍ଥ) ଚମ୍ପୂ
Jump to navigation
Jump to search
ବ ଚମ୍ପୂ
(ରାଗ: ଆରଭୀ)
(ମତାନ୍ତରରେ ସାବେରୀ, ଆଶାବରୀ, କାଫି, ମୋହନା)
ବିଚିତ୍ର ବେଶ ମଞ୍ଜୁଳାରେ ବାଳା, ବିବିଧ ଚାତୁରୀଶୀଳା,
ବିଭାବରୀ ଅର୍ଦ୍ଧେ ଏକାକୀ ଏକାକୀ ହୋଇ ରଚୁ ଫୁଲତୋଳା,
ବିଳାସକୁଶଳା ରେ, ବଲ୍ଲୀ ନିଳୟ ବିହାର ଲୋଳା ।୧।
ବାଳକାଳୁ ବାସ ପରିର ବାଳା, ବଞ୍ଚୁଥିଲୁଁ ଅନୁସରି,
ବିଲକ୍ଷଣ ବନବିହାର ଉତ୍ସବ ବେଳେ ଯା ଦେଲୁ ପାସୋରି ରେ,
ବିଚାର ତ ଗୋରୀ ରେ, ବିଶ୍ୱେ କାହିଁକି ପ୍ରୀତି ଆଚରି ।୨।
ବ୍ୟସ୍ତ ହୋଇ ଚିତ୍ରମାଛିରେ ବାଳା, ବ୍ରଣଗଣ ତ ଦିଶୁଛି,
ବିମ୍ବାଧରୁ ନବପଲ୍ଲବ ମାନଙ୍କୁ ବାଣ୍ଟିଲୁ କି କିଛି କିଛି ରେ,
ବିଶ୍ଳଥ ହୋଇଛି ରେ, ବାସ ପିନ୍ଧିଥାଉ ପରା କାଛି ।୩।
ବଲ୍ଲୀକି ଅନାଇ ଦୂରୁ ରେ, ବାଳା ବାସରେ ତ ଭୟକରୁ,
ବ୍ରଜେ ଆଜ ଶୁଣି ଆସିଲୁ ତୁ ପୁଣି ପ୍ରତିରାତି ଆସି ଘରୁ ରେ,
ବିଜନେ ସଞ୍ଚରୁ ରେ, ବଡ଼ ବିଷମ ଏ ଯା ନ ଡରୁ ।୪।
ବିନୟନୟ-ବସତିରେ ବାଳା, ବିମୋହନ କଳାବତି,
ବିରୂପାକ୍ଷ ଦେବ ବିପକ୍ଷକୁ ଜିଣି ଯଶେ ମଣ୍ଡିଲୁ କି କ୍ଷିତି ରେ,
ବଲ୍ଲବଯୁବତି ରେ, ବନ୍ଦେ ଅଷ୍ଟଦୁର୍ଗ ଧରାପତି ।୫।
- ଓଡ଼ିଆ ବର୍ଣ୍ଣମାଳାରେ 'ବ' ଅକ୍ଷର ଦୁଇଥର ଆସୁଥିବାରୁ କବିସୂର୍ଯ୍ୟ ଉକ୍ତ ଅକ୍ଷରରେ ଦୁଇଗୋଟି ଗୀତ ରଚନା କରିଛନ୍ତି।