ଗୁରୁ ଗଉରବ ଜ୍ଞାତି ଯେ ଅମାତ୍ୟ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଗୁରୁ ଗଉରବ ଜ୍ଞାତି ଯେ ଅମାତ୍ୟ
ବିଷୟ
ରାଗ କନଡ଼ା

ଗୁରୁ ଗଉରବ ଜ୍ଞାତି ଯେ ଅମାତ୍ୟ ମନ୍ତ୍ରିମାନଙ୍କୁ ପଚାରିଲେ ।
ରାମ ରାଜ୍ୟକୁ ଯୋଗ୍ୟ କି ହୋଇବେ ।
ଯୁଗେ ଯୁଗେ ରାମ ଯୁବରାଜ ହୋନ୍ତୁ ବୋଲି ସମସ୍ତେ ବୋଇଲେ ହେ ।
ସୁଜନେ, ରାମ ସକ‌ଳ ଗୁଣରେ ନିପୁଣ । ସୂର୍ଯ୍ୟବଂଶ କଞ୍ଜବନ-ଅରୁଣ ।
ରିପୁନୃପ-କରି ନିବାରିବାପାଇଁ ଜାତ ମୃଗେନ୍ଦ୍ର ତରୁଣ ହେ । ଭୋଦେବ ।
ଏମନ୍ତ ଶୁଣି ନୃପତିଚୂଡ଼ାମଣି ମନ୍ତ୍ରିଙ୍କି ଚାହିଁ ଆଜ୍ଞା ଦେଲେ ।
ନ‌ଗ୍ରେ ଉତ୍ସବ କରାଅ ବୋଇଲେ ।
ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ଯୁବରାଜ ହେବାକୁ ଯୋଗ୍ୟ ହୋଇଲେ ହେ ।
ସୁମନ୍ତ୍ର, ଏବେ ଅଭିଷେକ ବିଧି ଭିଆଅ । ଆମ୍ଭ କଟକେ ଘୋଷଣା ଦିଆଅ ।
ନକ୍ଷତ୍ର, ବାର, ଚନ୍ଦ୍ର ଯୋଗ ହୋଇଛି ଶ୍ରୀରାମଚନ୍ଦ୍ରେ ଅଣାଅ ହେ । ସୁମନ୍ତ୍ର ।
ଆଜ୍ଞା ପ୍ରମାଣରେ ନ‌ଗ୍ରରେ ସୁମନ୍ତ୍ର ଉତ୍ସବ ମଣ୍ତଣୀକି କଲେ ।
ଅଭିଷେକର ବିଧି ଭିଆଇଲେ ।
ରାତ୍ର ପାହିଲେ ରାମରାଜା ହୋଇବେ ଏ ଘୋଷଣା ଦିଆଇଲେ ସେ । ସୁମନ୍ତ୍ର ।
ରାମଚନ୍ଦ୍ରଙ୍କୁ ରଥରେ ବସାଇ । ଘେନି ଅଇଲେ ରାଜା ଆଜ୍ଞା ପାଇ ।
ରାମ ନୃପତିଙ୍କି ଦର୍ଶନ କରିଣ ବସିଲେ ଶିରଲମ୍ବାଇ ସେ । ସୁମନ୍ତ୍ର ।
ରାମଙ୍କୁ ଚାହିଁ ଆନନ୍ଦ ହୋଇ ରାଜା ବୋଲନ୍ତି ଆହେ ରାମ ଶୁଣ ।
ତୁମ୍ଭେ ସକଳ ଗୁଣରେ ନିପୁଣ ।
ବିଶେଷେ ଜ୍ୟେଷ୍ଠ ରାଣୀଙ୍କ ଜ୍ୟେଷ୍ଠପୁତ୍ର କୁଳକୁ ଅଟେ କାରଣ ହେ । ଶ୍ରୀରାମ ।
କାଲି ହୋଇବ ତୁମ୍ଭେ ଯୁବରାଜା । ଆଜ ଅଧିବାସରେ ପାଅ ପୂଜା ।
ପୁଷ୍ୟାନକ୍ଷତ୍ରରେ କ‌କଡ଼ାଚନ୍ଦ୍ରମା କ‌ହିଲେ ବଶିଷ୍ଠ ଦ୍ୱିଜା ହେ । ଶ୍ରୀରାମ ।
ଏମନ୍ତ ବାଣୀ ଅନ୍ତଃପୁରେ ଶୁଭିଲା ଶୁଳି ଆଇଲା ଯେ ମନ୍ଥଡ଼ୀ ।
କୈକେୟୀଙ୍କି କ‌ହିଲା କର‌ଯୋଡ଼ି ।
ଶୁଣିଣ ସେ ତାକୁ ଆପଣା କଣ୍ଠରୁ ରତ୍ନମାଳା ଦେଲା କାଢ଼ି ସେ । ସୁନ୍ଦରୀ ।
ଦେଖି ଚକିତ ହୋଇଲା ମନ୍ଥଡ଼ା । ମାଳା ପକାଇ ବୋଲେ ନାହିଁ ଲୋଡ଼ା ।
ନୃପତି ସଉଭାଗୀ ରାଣୀ ବୋଲାଅ ଶୁଣି ନ ପାଅ କି ବ୍ରୀଡ଼ା ଗୋ
ପୁଣିହିଁ ମନ୍ଥଡ଼ୀ ବୋଇଲା ତାହାଙ୍କୁ ବଧାଇ ଦିଅ କାହିଁ ପାଇଁ ।
ତୁମ୍ଭ ପୁତ୍ରତ ରାଜା ହେଲେ ନାହିଁ ।
କଉଶଲ୍ୟା ରାଜ-ମାତା ବୋଲାଇବେ ତୁମ୍ଭର ହର୍ଷ କିପାଁଇ ଗୋ । ସୁନ୍ଦରୀ ।
ଏବେ ଶୟନ କର କ୍ରୋଧପୁର । ରାଜା ଅଇଲେ ମାଗ ବେନିବର ।
ରାମ ବନେ ଯିବେ ଭ୍ରତ ରାଜା ହେବେ ପୂର୍ବକଥା ମନେ କର ଗୋ । ସୁନ୍ଦରୀ ।
ମନ୍ଥଡ଼ି ବାଣୀ କୈକେୟୀରାଣୀ ଶୁଣି କ୍ରୋଧମନ୍ଦିରେ ପ‌ହୁଡ଼ିଲେ ।
ଦୃଢ଼ କରିଣ କବାଟ ପାଡ଼ିଲେ ।
ଗୁରୁକ୍ରୋଧ ବ‌ହି ଧରଣୀରେ ଶୋଇ ଆଭରଣ ଦୂର କଲେ ସେ । ସୁନ୍ଦରୀ ।
ରାଜା ରାମଙ୍କୁ ଦେଇଣ ମେଲାଣି । ନିଜ ସଦନେ ପ୍ରବେଶ ରଜନୀ ।
ମଦନବଶେ କୈକେୟୀରାଣୀ ପାଶେ କ‌ହେ ନାନାଚାତୁବାଣୀ ସେ । ରାଜନ ।
ଉଠ ଉଠ ଆରେ ନରେନ୍ଦ୍ର ନନ୍ଦିକୀ କିପାଁଇ କରୁ ଏଡ଼େ ମାନ ।
କ‌ହ କ‌ହ ମୋତେ ପ୍ରିୟ ବଚନ ।
ଯାହା ମାଗିବୁ ତାହା ଯେବେ ନ ଦେବି ନାଶିବି ସୁକୃତମାନ ଗୋ । ସୁନ୍ଦରୀ ।
ଶୁଣି ପୂର୍ବ ବର ମାଗେ ତରୁଣୀ । ସତ୍ୟ କରାଇ କ‌ହେ ପୁଣପୁଣି ।
ଭ୍ରତରାଜା ହେବେ ରାମ ବନେ ଯିବେ ଏହା ଦେବ ନୃପମଣି ହେ । ଭୋଦେବ ।
ଶୁଣି ତା ନୃପତି ଶିରରେ କୁଳିଶ ପଡ଼ିଲା ପ୍ରାୟକ ହୋଇଲା ।
ଆଉ ଦେହରେ ଜ୍ଞାନ ନ ରହିଲା ।
କେତେବେଳେ ପୁଣି ସ୍ୱପ୍ନପ୍ରାୟ ମଣି କଇକେୟୀକି କ‌ହିଲା ସେ । ରାଜନ ।
ଏହା ମୋତେ ନ ବୋଲରେ ତରୁଣି । ପ୍ରାଣ ମାଗିଲେ ଦେବି ଏହିକ୍ଷଣି ।
ବୋଲେ ବିଶି ରାଜାଙ୍କର କ୍ରୋଧଭରେ ବେନିନେତ୍ରୁ ବ‌ହେ ପାଣି ହେ । ସୁଜନେ ।