ଗୋପୀଭାଷା/ଖେଳି ଆସୁଥାନ୍ତି ନାନା ରଙ୍ଗେଣ
←କୃଷ୍ଣ କଥା ଭାଳି ଗୋପୀ ସକଳ | ଗୋପୀଭାଷା ଲେଖକ/କବି: ଖେଳି ଆସୁଥାନ୍ତି ନାନା ରଙ୍ଗେଣ |
ଏକ ଗୋପୀ ବୋଇଲା ଶୁଣ ସଖୀ→ |
ବିଜୟ ଚନ୍ଦ୍ର ମଜୁମଦାରଙ୍କ ବହି "ଟିପିକାଲ ସିଲେକ୍ସନ୍ସ ଫ୍ରମ ଓଡ଼ିଆ ଲିଟରେଚର"ରେ ଗୋପୀଭାଷା ଆଂଶିକ ଭାବେ ଦିଆଯାଇଛି । ଏଣୁ ତଳେ ସେହି କିୟଦଂଶ ଦିଆଗଲା । |
ରାଗ - ଚକ୍ରକେଳି
ମୋର ମନ୍ଦିରେ ପଶିଲେ ମାଧୋଇ ।
ଘରେ ଦେଖିଲେ ନାହିଁ ଦୁଧ ଦହି ।
ଶିକା ଉପରେ ନଉତି ଦେଖିଲେ ।
ହସ୍ତ ନ ପାଇଲାକୁ ବୁଦ୍ଧି କଲେ ।
ପିଢ଼ା ଉପରେ ପିଢ଼ାମାନ ଥୋଇ ।
ତଥି ଉପରେ ଉଠିଲେ ମାଧୋଇ ।
ଯଷ୍ଟି ଘେନି ଫୋଡିଲେ ଦଧିଭାଣ୍ଡ ।
ଜଳା ସଳଖେ ପାତିଛନ୍ତି ତୁଣ୍ଡ ।
ମୁଁ ଗୋ ଏମନ୍ତ ସମୟେ ଅଇଲି ।
ନୀରଭାଣ୍ଡ ତଳେ ଥୋଇ ଚାହିଁଲି ।
ଦୁଧ ପିଉଛି ହାଣ୍ଡି କଣାକରି ।
ଯାଇଁ ବସିଲି ଦୁଆର ଆବୋରି ।
ଆଜ ଜାଣିବି ଯିବୁ କେଉଁ କତି ।
ମିଛପ୍ରାୟ ମଣେ ନନ୍ଦ-ଯୁବତୀ ।
ନିତିପରା ମୋଘରୁ ସର୍ବ ଖାଉ ।
ଆଜ ଜାଣିବା ତୋତେ କେହୁ ନେଉ ।
ମୋତେ ତରକି ବାଙ୍କେ ଅନାଇଲା ।
ଦୁଧଗଣ୍ଡଷ ଲୋଚନେ ମାଇଲା ।
ବେନି ହସ୍ତେ ବୁଜିଲା ବେନି ଡୋଳା ।
ପେଲି ପକାଇ ଗଲା ନନ୍ଦବଳା ।
ଏକ ଗୋପିଏ ବୋଇଲା ମିତଣି ।
ସେ ଗୋ ବଡ ମାୟାବୀ ଚକ୍ରପାଣି ।
ଦିନେ ଗୋଗୋଷ୍ଠେ ରହିଲା ଗୁଆଳ ।
ଚୋରରୂପ ଦଇଲା ନନ୍ଦବାଳ ।
ନିଶାକାଳେ ମୋ ପୁରକୁ ଅଇଲା ।
ଦହି ଦୁଧ ସର ସବୁ ଖାଇଲା ।
ଶାଶୁ ପଣତ ଧରି ଓଟାରଇ ।
ବୋହୁ ଚୋରି ବୋଲି ଡକାପାରଇ ।
ଦୀପ ବହନକରିଣ ଧର ଗୋ ।
ଆମ୍ଭ ଘରେ ପଶିଅଛି ଚୋର ଗୋ ।
ଦୀପ ଲଗାଇ କୃଷ୍ଣଙ୍କୁ ଧଇଳୁଁ ।
ବାନ୍ଧି ଯଶୋଦା ଆଗରେ କହିଲୁଁ ।
ବେଗେ ଘରୁ ଆସ ଗୋ ନନ୍ଦରାଣୀ ।
ଯାଇ ଦେଖ ତୋ ପୁଅର ବାନ୍ଧେଣି ।
କଂସନୃପତି ମଲା କି ଶୁଣିଲୁ ।
ଛତ୍ର ତୋହରି ଆଡ଼କୁ ଆଣିଲୁ ।
ପୁଅ ଗୋପପୁରେ ଷଣ୍ଢ ହୋଇଲା ।
ନାନା ଅନ୍ୟାୟମାନ ପାର କଲା ।
ଶଏବାରେ କହିଲେ ନ ତିଆରୁ ।
ଆଜି ଜାଣିବା କେହୁ ରକ୍ଷାକରୁ ।
ତୋର ପୁଅ ପଦହିଁ ସରିଯିବ ।
ଆମ୍ଭ ଘର ପଛେ ଗୋପେ ନୋହିବ ।
କେତେ ତନୟ ଗୋପପୁରେ ନାହିଁ ।
ଏଡ଼େ ଉଛୁଳି ପୁଅ ଅଛି କାହିଁ ।
ମୋର ପ୍ରଜଳି ଶୁଣି ନନ୍ଦରାଣୀ ।
ଘର ଭିତରୁ ବାହାର ସେକ୍ଷଣି ।
କୃଷ୍ଣ ଧରିଣଛନ୍ତି ବାମକର ।
କାମପାଳହିଁ ଅଛନ୍ତି ସଙ୍ଗର ।
ବେନି ଭାଇ ବେନିପାଶେ ଅଛନ୍ତି ।
ଘରଭିତରୁ ବାହାର ଯୁବତୀ ।
କିଲୋ କିତେଜ କାଢ଼ିଛୁ ଗୁଆଳୀ ।
ତୋତେ କିକଲା ମୋର ବନମାଳୀ ।
ମୋର ବାଳୁତପୁଅଲୋ କହ୍ନାଇ ।
ହସି ଖେଳି ଲୋ ସେତ ନ ଜାଣଇ ।
ଆଜି ଘରୁଲୋ ନୋହିଛି ବାହାର ।
କେଉଁବାଟେ ଲୋ ଗଲା ତୋରପୁର ।
ମୋର ସହିବା ସତପ୍ରାୟେ ମଣୁ ।
ଦୋଷ ଦିଅ ଲୋ କେଉଁ ବଡ଼ପଣୁ ।
ଦେଖି ତୁଣ୍ଡରୁ ନ ଆସେ ବଚନ ।
ମୋତେ ନନ୍ଦରାଣୀ ପଦ ତେସନ ।
ତହୁଁ ଲାଜେ ମୁଁ ବାହୁଡ଼ି ଅଇଲି ।
କୃଷ୍ଣ ବାନ୍ଧବା ଠାବରେ ହୋଇଲି ।
ମୋର ତନୟ ବନ୍ଧା ହୋଇଅଛି ।
ତାହା ଦେଖି ମୋ ନସ୍ଫୁରଇ କିଛି ।
ଫେଡ଼ିଦେଇ କାହାକୁ ନ କହିଲି ।
ଲାଜେ ମୋହ ସୁଖେ ତୁନି ହୋଇଲି ।
ସାନବେଳହୁଁ ମାୟା ଅଗୋଚର ।
ତେଣୁ ଅଟଇ ନାମ ମାୟାଧର ।
ଏକ ଗୋପୀଏ ବୋଇଲା ବିଚାର ।
ତାର ସାନବେଳ କଥା ପଚାର ।
ଦିନେ ଯୋଶଦା କୋଳେ ଖେଳୁଥିଲା ।
ମୋତେ ଦେଖି ମୋ କୋଳକୁ ଅଇଲା ।
କାଖକରି ମୋ ଶରଧା ବଳିଲା ।
ମୋର କୁଚରେ ହସ୍ତ ପକାଇଲା ।
ଚାରିଦିଗକୁ ଚାହିଁ ଅନୁସରି ।
ମୁଖେ ଚୁମ୍ବନ ଦେଲା ସ୍ଥିର କରି ।
ମୋର ଅଙ୍ଗେ ପୀଡ଼ିଲା ପଞ୍ଚଶର ।
ଦେହ ହୋଇଲା ସାହିକ ବିକାର ।
ମୋତେ ଅନଙ୍ଗଜ୍ଜର କଲା ପୀଡ଼ା ।
ଟୋକା ବେଳହୁଁ କାହ୍ନୁ ଘରବୁଡ଼ା ।
ଏକ ଗୋପୀଏ ବୋଇଲା ସଙ୍ଗାତ ।
ମୋତେ ସବୁହିଁ କଲେ ବିପରୀତ ।
ଦିନେ ଦେଖିଲି ଖେଳିଛି ଦାଣ୍ଡରେ ।
ଧୂଳି ଝାଡ଼ି ମୁଁ ଧଇଲି କୋଳରେ ।
ଦିଗମ୍ବର ସ୍ବରୂପେ ବହେ ଝାଳ ।
ଲକ୍ଷକଣ୍ଠି ମଧ୍ୟେ ନଖ-ଶାର୍ଦ୍ଦୁଳ ।
ବେଣୀ ଲମ୍ବଇ ତୈଳେ ଜର ଜର ।
ନୀଳମଣୀ ଅଙ୍ଗେ ଧୂଳି ଧୂସର ।
କାଖକରି ଘରକୁ ଘେନି ଗଲି ।
ଘରେ ଲବଣୀ ସର ଭୁଞ୍ଜାଇଲି ।
ଭୁଞ୍ଜୁ ଭୁଞ୍ଜୁ ସେ ନିଦ୍ରାଗଲେ ଯହୁଁ ।
ନେଇ ପଲଙ୍କେ ଶୁଆଇଲି ତହୁଁ ।
ମୁଁ ଗୋ କୋଡ଼ରେ ଘେନିଣ ଶୋଇଲି ।
ନିଦ୍ରା ଗଲେ ଛାଡ଼ିଯିବି ବୋଇଲି ।
କୋଟିକନ୍ଦର୍ପ ମୂରତି ଧଇଲା ।
ବାଳ କୁମର ତରୁଣ ହୋଇଲା ।
ମୁଁ ଗୋ ହୋଇଲି ତାହାର ଆୟତ୍ତ ।
ମୋର ଅଙ୍ଗୁର ହରି ନେଲା ଚିତ୍ତ ।
ଚଉଷଠି ବନ୍ଧରେ ବିପରୀତ ।
ଯାହା ଶୁଣି ନଥିଲା କର୍ଣ୍ଣ ପଥ ।
ତେତେ ପରିବନ୍ଧ କେହୁ ଜାଣିବ ।
କାମଦେବହିଁ ଜାଣି ନ ଜାଣିବ ।
ରତି ସାରି ମୁଁ ପିନ୍ଧିଲି ବସନ ।
ହେଲା ସେହି ବାଳପୁଅ ତେସନ ।
ଚିନ୍ତୁଥାଇ ମୁଁ ରାତ୍ରି ଦିବା ବସି ।
ଫେଡ଼ି କହିଲି ଏତେକାଳେ ଆସି ।
ଜଗନ୍ନାଥ ତାହାଙ୍କୁ ବଡ଼ କଲେ ।
ପ୍ରଭୁପଣହିଁ ତାଙ୍କୁ ହସ୍ତେ ଦେଲେ ।
ଏବେ ହୋଇଲେ ତହିଁ ପୁଂସ ସାର ।
ତାଙ୍କୁ ଯୁବତୀ ମିଳିଛି ଅପାର ।
ରାଜା ମାରି ପାଇଛି ବଡ଼ପଣ ।
ଆଉ ଅଛି କି ତାର ବ୍ରଜ ଗୁଣ ।
ତୁମ୍ଭେ କିପାଇଁ ମନରେ ପଡ଼ିବ ।
ତାଙ୍କୁ ନ ମିଳିଲେ ସିନା ଲୋଡ଼ିବ ।
ଏବେ ବେଭାରେ ଚତୁର ହୋଇଲା ।
ତହୁଁ ଚତୁରୀ ନାରୀଙ୍କି ମୋହିଲା ।
ଏକେ ନାଗର ଅଟଇ ସୁରଙ୍ଗ ।
ଦୁଜେ ପଡ଼ିଲା ନାଗରୀଙ୍କ ସଙ୍ଗ ।
ତହିଁ ରସିକା ଯୁବତୀ ଅପାର ।
ରତି ଜାଣନ୍ତି ବିବିଧ ପ୍ରକାର ।
ତାଙ୍କୁ ନାନା ରସରେ ରସାଇଲେ ।
ଗୋପପୁର କଥା ପାଶୋରାଇଲେ ।
ଆମ୍ଭେ ଯେତେ ହୋଇଲେ ଗଉଡ଼ୁଣୀ ।
ତାଙ୍କ ଭାବ ଜାଣିବା କାହୁଁ ପୁଣି ।
ଯାକୁ ନାନା ରସପଣା ମିଳିବ ।
ସେ ଗୋ ଗୁଡ଼ପଣା କିସ କରିବ ।
ଯାକୁ ମିଳିବ ଦିବ୍ୟ ଶାଳିଅନ୍ନ ।
ତାର ବଗଡ଼ା ଭାତେ କାହିଁ ମନ ।
ଯାକୁ ମିଳିବ ସୁବାସ ଚନ୍ଦନ ।
ତାର ନିମ୍ବ କାଠରେ କାହିଁ ମନ ।
ଯେହୁ ଗଙ୍ଗାରେ କରିବ ସ୍ନାହାନ ।
ତାର କପ ଜଳରେ କାହିଁ ମନ ।
ଯେହୁଁ ପାଟପତନି ଗୋ ପିନ୍ଧିବ ।
ସେ ଗୋ ଶୁକୁଳ ବସ୍ତ୍ର କି କରିବ ।
ଯାକୁ ମିଳିବ ପଲଙ୍କ ସୁପାତି ।
ତାର ଭୂମିଶଯ୍ୟାରେ କାହିଁ ମତି ।
ତାଙ୍କୁ ଅପୂର୍ବ କେଉଁ ଦ୍ରବ୍ୟ ଅବା ।
ଏକ ଗୋପୀ ବୋଇଲା ଶୁଣ ସଖି ।
ଭାଳି ମରିବା ସିନା ହୋଇ ଦୁଃଖୀ ।
ସେ ଗୋ ପୁରୁଷ ଜାତି ଭୃଙ୍ଗମତି ।
ପୁଷ୍ପ ଚୁମ୍ବିବାଯାଏ ଭଣ୍ଡୁ ଥାନ୍ତି ।
ପୁଷ୍ପ ଚୁମ୍ବିଲେ ନ ଦ୍ୟନ୍ତି ଉତ୍ତର ।
କୃଷ୍ଣ ସେହିରୂପେ ହେଲେ ଅନ୍ତର ।
ବିଟପୁରୁଷମାନେ ସେହିମତି ।
କାର୍ଯ୍ୟ ପାଇବାଯାଏ ଭଣ୍ଡୁଥାନ୍ତି ।
ଏକ ଗୋପୀ କଥା ଶୁଣି ଆରେକ ।
ଆଗସରି କହିଲା କଥା ଏକ ।
ସେ ଗୋ ସପତଣୀ କଥା ନ ପାଡ଼ ।
ନିଶ୍ଚେ ମରିବା ଯେବେ ଅନ୍ନ ଛାଡ଼ ।
ଚାରିଆଡ଼େ ଶୁଭୁ ଅପକୀରତି ।
କୃଷ୍ଣ ଆଶେ ମଲେ ଗୋପ ଯୁବତୀ ।
ସ୍ତିରୀହତ୍ୟା ପାତକ କୃଷ୍ଣ ପାଉ ।
ତାର ପୁଣ୍ୟ ଯେତେକ କ୍ଷୟ ଯାଉ ।
ଏତେ ବୋଲି ଗୋପୀ ତୁନି ହୋଇଲା ।
ଏକ ଗୋପୀଏ ଥାଇଣ ବୋଇଲା ।
ମୁଁ ଗୋ କଥାଏ କହିବି ପରାଣ ।
ତୁମ୍ଭେ କୃଷ୍ଣର କଥା ଗୋ ନ ଜାଣ ।
କ୍ଷୀର ଦେବାକୁ ପୂତନା ଅଇଲା ।
ବାଳ କୁମରକୁ କୋଳେ ଧଇଲା ।
ଶ୍ରଦ୍ଧା କରି ଦେଉଛି କ୍ଷୀରପାନ ।
ଦୁଧ ସଙ୍ଗତେ ଶୋଷିଲେ ପରାଣ ।
ତାକୁ ସ୍ତିରୀହତ୍ୟାହିଁ ନ ଲାଗିଲା ।
ଆଉ ସମସ୍ତେ ବୋଲେ ଭଲ କଲା ।
ପୁଣି କଚାଡ଼ିଲେ ଷଣ୍ଡ ଗୋଟାଏ ।
ଗୋରୁ ବଧ ଲାଗିଲା କେଉଁଠାଏ ।