ଜଗମୋହନ ରାମାୟଣ/୧
ଜଗମୋହନ ରାମାୟଣ ଲେଖକ/କବି: ଆଦିକାଣ୍ଡ |
ଅଯୋଧ୍ୟାକାଣ୍ଡ→ |
ବନ୍ଦନା
[ସମ୍ପାଦନା]
ନମୋ ନାରାୟଣ ପ୍ରଭୁ କମଳାର ପତି। ନୀଳଗିରି-ଶିଖରେ ଯେ ଅପୂର୍ବ ଯେ ମୂରତି ॥
ସୁଦର ଶ୍ରୀମୁଖେ ନୀଳଗିରି ପାଏ ଶୋଭା। କି ଜାଣି କି ପଟାନ୍ତର ଶରତଶଶି ପ୍ରଭା ॥
ନୟନଯୁଗଳ କିବା ଶତଦଳ ପଦ୍ମ । ଜଗତଜୀବନ ନାଥ ପରମଆନନ୍ଦ ॥
ସର୍ୱଜନ ନିସ୍ତ।ରଣ ସୁରଗଣ ସାହା । ସର୍ବଦା ଯେ ଶଙ୍ଖ ଚକ୍ର ଗଦା ପଦ୍ମବାହା ॥
ସର୍ବାଙ୍ଗେ ଯେ ଶ୍ରୀଚନ୍ଦନ ଲେପନ ଶ୍ରୀହରି । ବିଚିତ୍ର ଝିନବସନ ପରିଧାନ କରି ॥
ଲଳିତ ସୁରଙ୍ଗ ସୁସୋଭିତ ନେତ୍ରଛଟା । ହରିତ କାଛଟା ଅଙ୍ଗେ ଚାରୁ ପାଟଫେଟା ॥
ଶିରେ ତ୍ରିସାଖା ମୁକୁଟ କୁଣ୍ଡଳ ରାଜଇ । ତପନ କିରଣ ଜାଣି କର୍ଣ୍ଣ ଝଲକଇ ॥
ଲଲାଟରେ ସୁସୋଭିତ ରତ୍ନସମ ଚିତା । ଗଗନମଣ୍ତଳେ କିବା ଉଦିତ ସବିତା ॥
ଅଲକାମଣ୍ତଳେ ଶୋହେ ଗଜମତି ହୀରା । ଚଦ୍ନ୍ରମାମଣ୍ତଳେ କିବା ଉଦେ ଲକ୍ଷେ ତାରା ॥
ଗଣ୍ତ ସ୍ଥଳଯୁଗଳ କି କନ୍ଦର୍ପ ଦର୍ପଣ । ହୃଦେ ଯେ ପଦକ ହେମପବିତ୍ର କନ୍ଧେଣ ॥
ତ୍ରିକଛ୍ହ ବସନ ଅଙ୍ଗେ ଉତ୍ତରୀ ଶୋଭିତ। ଚତୁର୍ମୁଖେ ବନ୍ଦିବାକୁ ଧାତା ଅସମର୍ଥ ॥
ଚଭୁର୍ଦ୍ଦଶ ଭୁବନରେ କି ଦେବା ଉପମା । ମୁ କିସ କହିବି ପ୍ରଭୁ ଅଙ୍ଗର ମହିମା ॥
କାଳିନ୍ଦିଜଳ କଲ୍ଲୋଳ ଲହରି ଶୋଭିତ । ମଧ୍ୟରେ ଅଧର ଶୋଭ ପୋହଳା ବୋଇତ ॥
ସୁସଞ୍ଛ ତ୍ରିମୁଣ୍ଡି ପାବଛରେ ହୋଏ ରୋଳ । ପ୍ରସାଦ ସୌରଭେ ଭ୍ରମନ୍ତି କି ଭ୍ତଙ୍ଗମେଳ ॥
ସୁସଞ୍ଚ ସୁରଙ୍ଗ ପକ୍ୱ ଅଧରର ରେଖା ।ଜଳଦମଣ୍ତଳେ କିବା ଝଟେ ବିଦ୍ୟୁଲେଖା ॥
ସୁବଳିତ ନାସାକୁ କି ପଟାନ୍ତର ଅଛି । ଆପଣେ ଆପଣେ ରୁପ ଘଟିତ ଶ୍ରୀବତ୍ସି ॥
ତ୍ରୈଲୋକ୍ୟ ଜନ ହୁଅନ୍ତି ବଶ ଯାହ। ଦେଖି । ସେହି ଶ୍ରୀଜଗନ୍ନାଥ ଯେ ସର୍ବଜନ ସାକ୍ଷୀ ॥
କଟିର ମେଖଳା ସୁଶୋଭିତ ଦିବ୍ୟକାନ୍ତି । ବାମେ ଯମଦାଢ଼ ଯେ ପ୍ରଚଣ୍ତ ସୁର୍ଯ୍ୟଜ୍ୟୋତି ॥
ରତ୍ନସିଂହାସନେ ନେତର ଯେ ଦୋଳି ପାରି ।.ବିଜୟ ନାରାୟଣ ବଡିମାପଣ ଛାଡି ॥
ବ୍ରହ୍ମା ଆଦି ରୁଦ୍ର ଚନ୍ଦ୍ର ବନ୍ଦତି ଯେ ଧ୍ଯାନେ । ସେହି ପ୍ରଭୁ ଅବତର ମଞ୍ଚେ ବିଦ୍ୟମାନେ ॥
ଦେଖିବାକୁ ସୁଦର ସୁଲଭ ଅଗୋଚର । ପରମବ୍ରହ୍ମରୁପ ଦିଶଇ ଶୋଭାକର ॥
ଅବ୍ଯୟ ଅମୃତରୂପ ଦିଶେ ଆଦିକାୟା । ଅବର୍ଣ୍ଣ ଅଜିତ ଅବିବେକ ଯାର ମାୟା ॥
ଅନନ୍ତକୋଟି ବ୍ରହ୍ମାଣ୍ଡେ ଅନନ୍ତ ଈଶ୍ବର । ସ୍ୱଇଚ୍ଛାରେ ବିଜୟ ଦକ୍ଷିଣ ସିନ୍ଧୁ ତୀର ॥
ବଡ ସିଂହାସନେ ବିଷ୍ଣୁ କ୍ଷେତ୍ର ମଧ୍ୟେ ବିଜେ । ରାଜରାଜେସ୍ୱର ରାଜା ତହିଁଁରେ ବିରାଜେ ॥
ପାଟମହାଦେଇ ଯେ ରୁକ୍ମିଣୀ ସତ୍ୟଭାମା । ମନ୍ତ୍ରୀବର ଜ୍ୟେଷ୍ଠଭ୍ରାତା ଵଳଦେବ ସୀମା ॥
ଭଗ୍ନୀ ଯେ ସୁଭ୍ଦ୍ରା ତହିଁ ସମ୍ଭାଳନ୍ତି ଅର୍ଥ । ଭଣ୍ଡାରରେ ପରିପୂର୍ଣ୍ଣ ସକଳ ପଦାର୍ଥ ॥
ବଜ୍ରର ସମାନ ଜାଣି ପାଷାଣ ନବର ।ରଥେ ଚକ୍ର ଚିହ୍ନ ଚିରାଳ ଯେ ଫରହର ॥
ଆଗରେ ଯେ ଦ୍ବାରପାଳ ବିନତାର ବତ୍ସି । ଦକ୍ଷଣପାଖରେ ଯେ କଳପବଟ ଅଛି ॥
ଲବଣସମୁଦ୍ର ଯହିଁ ଗଡର ଯେ ଖଣା । ଲାଉକେଶ୍ୱର ଲିଙ୍ଗ ପଶ୍ଚିମଦ୍ୱାର ରଣା ॥
ପାଟଣାନଗର ନାମ ପୁରସ୍ତମପୁରୀ । ବ୍ରହ୍ମା ସୁଜି ଅଛି ଯାହା ଅତି ଯତ୍ନକରି ॥
ମାରକଣ୍ଡେଶ୍ୱର ଲିଙ୍ଗ ନଗ୍ର ଦଣ୍ଡଘଟ । ସୁସଞ୍ଚେ ବସଇ ଯେ ମୁକୁତା ଚାରି ହାଟ ॥
ସୂବର୍ଣ୍ଣମୟ ପୁରୀ ଦିଶଇ ଅତିଶୋଭା । ତହିଁ ମଧ୍ୟେ ନ ପଶଇ କାଳଦଣ୍ଡ ପ୍ରଭା ॥
ଦଶସହସ୍ର ଯେ ଘର ଅଷ୍ଟାଦଶ ଜାତି । ସମସ୍ତେତ ଚତୁର୍ଭୁଜ ସ୍ବର୍ଗକୁ ଦିଶନ୍ତି ॥
ଦେଖି ସର୍ବ ଦେବତା ପୁଚ୍ଛନ୍ତି ପିତାମହ । ଏଥିର ସଂଶୟ ଧାତା ବିଚାରିଣ କହ ॥
ମର୍ତ୍ତ୍ୟଲୋକ ଭରତଖଣ୍ଡ ପୂର୍ବଦିଗ ଦେଶ । ଦକ୍ଷିଣ ମହୋଦଧି ଉତ୍ତର ତଟ ଦିଶ ॥
ନୀଳଗିରି ଶିଖରେ ବିଜୟ ଚକ୍ରଧାରି । ଚର୍ମନୟନେ ଦେଖିଲେ ଲୋକେ ଯାନ୍ତି ତରି ॥
ନଗ୍ର ସୁସଞ୍ଚ ଅନେକ ଲୋକ ରହିଅଛି । ସମସ୍ତେହେଁ ଦିଶନ୍ତି ପ୍ରତ୍ୟକ୍ଷେ ଶିରୀବତ୍ସି ॥
ଶଙ୍ଖଚକ୍ର ଗଦା ଯେ ଶାରଙ୍ଗ ଚତୁର୍ଭୁଜ । ଏଥିର ମଧ୍ୟରେ ଯେ ବିଜୟ ଦେବରାଜ ॥
କେମନ୍ତେ ଜାଣିମା ଏହା କହ ଚତୁର୍ମାଥା । ଆମ୍ଭଙ୍କୁ ଦୁଲ୍ଲଭ ଯେ ହୋଇଲା ଏହୁ କଥା ॥
ହସିଣ ବ୍ରହ୍ମାଏ ବୋଇଲେ ହେ ଦେବେ ଶୁଣ । ପୁରୁଷୋତ୍ତମକ୍ଷେତ୍ର ବୈକୁଣ୍ଠ ନାରାୟଣ ॥
ଯେଉଁ କ୍ଷେତ୍ରେ ଜଗନ୍ନାଥ ଆପେ ଦେହଧାରୀ । ଚର୍ମନୟନେ ଦେଖିଲେ ଭବୁ ଯାନ୍ତି ତରି ॥
ସକଳ ଲୋକେ ହୋଇଲେ ତହିଁ ଚତୁର୍ଭୁଜ । ବିଚାରି ଆପଣା ଭୁଜ ଛାଡ଼ି ଦେବରାଜ ॥
ଚରଣହିଁ ନ ବହିଲେ ଜଗଜ୍ଜନ ହିତେ । ଗୁପତ କଲେକ ପ୍ରଭୁ ଶ୍ରୀଜଗତନାଥେ ॥
ନିର୍ଗୁଣ ପ୍ରାଣୀ-ରୂପ ଯେ ନିରାକାର ରେଖ । ବ୍ରହ୍ମାର ବଚନେ ଦେବେ ହର୍ଷ କଲେ ମୁଖ ॥
ସୁରମୁନି ସହିତେ ଅଇଲେ ଦେବେ ଦେଖି । ସଫଳ ହୋଇଲେ ଦେବେ ସ୍ୱରୂପ ନିରେଖି ॥
ବେନିଭୁଜ ତୋଳି ଜନେ ଡାକନ୍ତି ଶରଣ । ତେଣୁ ନାମ ତାଙ୍କର ଜଗତ ନିସ୍ତାରଣ ॥
ଭକ୍ତଜନ ଦେଖିଣ ସେ ହରଷେ ହସନ୍ତି । ତେଣୁକରି ସୁରଙ୍ଗ ଅଧର ବିକାଶନ୍ତି ॥
ଚକ୍ଷୁ ନିର୍ମଳ କରିଣ ଦେବଗଣେ ଚାହେଁ । ନପୁଣ ସେବକ ମୋର କର୍ମେ ଦୁଃଖ ପାଏ ॥
କଟିରେ ପୀତବସନ ପିନ୍ଧିଛନ୍ତି ଟାଣି । ତଥିର ଉପରେ ଶୋଭା ରତ୍ନଓଡିଆଣୀ ॥
ରିପୁବଳ ଅଜାଗେ ଦିଅନ୍ତି ବୋବି ଧାଡି । ସେ ଛଳେ ଧଇଲେ ପ୍ରଭୁ ଚକ୍ର-ଗଦା-ବାଡି ॥
ଚଉକତି ବହଇ ଚାତୁରୀ ଚାରିନଦୀ । ଆରତଜନଙ୍କ ନାଥ ତତ୍ତ୍ବଜ୍ଞାନ-ନିଧି ॥
କୁସୁମ ଚନ୍ଦନ ବାସ ସୁଗନ୍ଧ ଜାଣିଲେ । ବାସୁଦେବ ବାସନା ଏ ପ୍ରକୃତି ମଣିଲେ ॥
ଦେବଙ୍କୁ ଦୁଲ୍ଲଭ ଯେ ମନୁଷ୍ୟେ ଅପ୍ରକାଶ । ଜୟ ଜୟ ମାଧବ ତୁ ପରମପୁରୁଷ ॥
ଅନନ୍ତ ପୁରୁଷୋତ୍ତମ ସହସ୍ର ମୂରତି । ସହସ୍ର ପୟର ତୋ ସହସ୍ର ନାମ ଖ୍ୟାତି ॥
କଳ୍ପାନ୍ତରେ ପ୍ରଭୁ ତୁହି ହେଉ ଯେ ପ୍ରକାଶ । ଦ୍ବାଦଶ ଅଙ୍ଗୁଳି ତୁ ଯେ ବେଦାନ୍ତପୁରୁଷ ॥
ସତ୍ୟ ମୂର୍ତ୍ତି ସାତ୍ବିକ ଯେ ଅଟୁ ତୁ ଗୋସାଇଁ । ସର୍ବ ଜୀବମଧ୍ୟେ ତୁ ତୋ ତହୁଁ ଅନ୍ୟ ନାହିଁ ॥
ଅପାର ମହିମା ତୋର ବିଚିତ୍ର ଯେ କେଳି । ସୁରଗଣ-ସଖା ତୁ ଅସୁର-କୁଳ-କାଳୀ ॥
ନମୋ ନମୋ ନାରାୟଣ ମଦନଗୋପାଳ । ନମୋ ନମୋ ନାରାୟଣ ଅରିକୁଳକାଳ ॥
ନମୋ ନମୋ ନାରାୟଣ ଶ୍ରୀଧର ଶ୍ରୀହରି । ନମୋ ନମୋ ବିଷ୍ଣୁନାଥ ଶ୍ରୀରଙ୍ଗ ମୁରାରି ॥
ନମୋ ନମୋ ଭଗବାନ ଜଗତ-ସର୍ଜନ । ଅନୁକ୍ଷଣେ ଦାତବ୍ୟ ତୁ ପାପ ପୁଣ୍ୟ ଜ୍ଞାନ ॥
ଭାଇ ଭାରିଯା ତୋହର ଭଗିନୀ ସହିତେ । ନିଳଗିରିରେ ବିଜୟ ସର୍ବଜନ-ହିତେ ॥
ବିବିଧ ବିନୋଦେ ତୁହି କରୁ ନାନାରସ । ନାନାବିଧିରେ ଭିଆଇ ଯାତ୍ରା ବାରମାସ ॥
ଯେ ତୋହର ଚରଣେ ଶରଣ ପଶେ ଆସି । ଉଭୟ ଲୋକରେ ତାର ଶୁଭଫଳ ଦିଶି ॥
ଇହଲୋକେ ଉପଗତ ମଲେ ସ୍ବର୍ଗବାସୀ । ଦେବଙ୍କର ସଭାରେ ସେ ଯୁଗେ ଯୁଗେ ବସି ॥
ତୁ ସେ ନାରାୟଣ ପ୍ରଭୁ ଜଗତର ପତି । ଜଗତର ଉଦ୍ଧାରଣ ତୁ ସେ ଦାଶରଥି ॥
କୀଟୁଁ ବ୍ରହ୍ମପରିଯନ୍ତେ ତୋହର ଯେ କେଳି । ଭୟ ନ କରିଣ ମୁହିଁ ନିର୍ଭୟେ ଭଜିଲି ॥
ଶାସ୍ତ୍ର ପୁରାଣ ଶୁଣିଲି ମୁହିଁ ବିପ୍ରମୁଖେ । ତେଣୁ ସେବାକରେ ତୋ ଚରଣ ଆତ୍ମସୁଖେ ॥
ତୋହର ସୁଦୟା ଯେ ହୋଇଲେ ଦେବଗଣେ । ତୋତେ ଆଶ୍ରେ କରି ଯେ ଅଛନ୍ତି ସର୍ବଜନେ ॥
ଯେ ତୋହର ସୁଦୟାରୁ କିଛି ଅଛି ପାଇ । ବ୍ରହ୍ମାଣ୍ଡଭିତରେ ତାକୁ ସମ ଅଛି କାହିଁ ॥
ଜୟ ଭୂତଆତ୍ମା ତୁ ଯେ ସର୍ବ ଶାସ୍ତ୍ରାର୍ଥକ । କଉସ୍ତୁଭ ମଣି ତୋର ଗଳାର ଆଲୋକ ॥
ମୁହିଁ ବଳରାମ ଦାସ ତୁମ୍ଭର ସେବକ । କରୁଣା ବଦନେ ମୋତେ କର ଅବଲୋକ ॥
ରାମନାମ ବହି ଛେଦିବଇଁ କାଳଫାଶି । ସପତମ ଅବତାର ହେବେ ଗୋପବାସୀ ॥
ରାବଣ ଦର୍ପ ଧ୍ବଂସିବେ ସେ ଯେ ରାମସ୍ବାମୀ । ଯାହାପୁଣି ବଖାଣିଲେ ବାଲମିକ ମୁନି ॥
ତାହା ସୁମରି ଛେଦିବି ମୁଁ ଯେ କାଳଫାଶି । କରସି କରୁଣା ମୋତେ ନୀଳଗିରିବାସୀ ॥
ଶୁଣି ସୁପ୍ରସନ୍ନ ମୋତେ ହେଲେ ଜଗନ୍ନାଥ । ହୃଦୟେ ପ୍ରସନ୍ନ ହେଲେ ଶଙ୍ଖ-ଚକ୍ରହସ୍ତ ॥
ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ଶିରରେ ମୁଁ ଧରି । ଗ୍ରନ୍ଥ-ବଖାଣିବା ଇଛା ଆଦିଅନ୍ତ କରି ॥
ଶୁଣିବା ହେ ସୁଜ୍ଞଜନେ ଶ୍ରୀରାମ-ମହିମା । ସଦାଶିବ ଛାମୁରେ ଯା ପୁଛାକଲେ ଉମା ॥
ପ୍ରସନ୍ନ ହୋଇ କହନ୍ତି ତାଙ୍କୁ ତ୍ରିପୁରାରି । ମୁହିଁ ତାହା ବଖାଣିବି ହୃଦରେ ବିଚାରି ॥
ନୀଳଗିରିବାସୀ ଜଗନ୍ନାଥଙ୍କ ପ୍ରସନ୍ନେ । କହିବା ଯେ ରାମାୟଣ ଅମୃତବଚନେ ॥
କପିଳାସ କନ୍ଦରେ ଯେ ବିଜେ ବିଶ୍ବନାଥ । ଏସନସମୟେ ମିଳିଲେ ଚଉମାଥ ॥
ଦେଖି କୃତକୃତ୍ୟ ହୋଇ ଦେବ ତ୍ରିପୁରାରି । ଉଠିଣ ବ୍ରହ୍ମାଙ୍କୁ ଶିବ କୋଳାଗ୍ରତ କରି ॥
ପ୍ରୀତିକରି ଧାତାଙ୍କୁ ସେ ବସାଇଲେ ନେଇ । ବ୍ରହ୍ମାଙ୍କୁ ଦେଖିଣ ହର ସମ୍ଭାଷଣ ହୋଇ ॥
ଏକକୁ ଆରେକ ସେ ଯେ ପୁଛନ୍ତି କୁଶଳ । ସୃଷ୍ଟିକରତା ଯେ ଧାତା ଅଟେ ଆଦିମୂଳ ॥
ଇଶ୍ବର ବୋଇଲେ ତୁମ୍ଭେ ଶୁଣ ପିତାମହ । ବଳହୀନ ଦୁର୍ବଳ ହୋଇଲା ମୋର ଦେହ ॥
ପାର୍ବତୀ ବିକଳ ଯେ ହୁଅନ୍ତି ତାହା ଦେଖି । କେବଣ କାରଣରୁ ଏ କହି ଅଷ୍ଟଆକ୍ଷି !॥
ବ୍ରହ୍ମା ବୋଇଲେ ହର ଏ କଥା ତୋର ଜାଣି । ତୋହର ହିତରେ ମୁଁ ଅଇଲି ଶୂଳପାଣି ! ॥
ଧର୍ମକୁ ନଜାଣି ତୁ ଅଧର୍ମ ମାର୍ଗେ ଗଲୁ । ଦକ୍ଷ ମହାଯଜ୍ଞ ଅନିମିତ୍ତେ ତୁ ଭାଞ୍ଜିଲୁ ॥
ଜାଣୁ ଜାଣୁ କଲୁ ତୋର ଶରୀର ଅସୁସ୍ଥ । ଧର୍ମ ଆଚରଣ କେଭେ ନ ବିଚାରୁ ଚିତ୍ତ ॥
ଦେବେ ହବିର୍ଭାଗ ଯେ ପାଆନ୍ତି ସ୍ବର୍ଗେଥାଇ । ତୁ ଯେ ପାପ ପୁଣ୍ୟକୁ ନ ଚିହ୍ନୁ ଉମାସାଇଁ ! ॥
ମହାପାପ ଅର୍ଜିଲୁ ତାମସ-ଭାବ ବହି । ତେଣୁକରି ଦୁର୍ବଳ ତୋ ଦେହେଁ ତେଜନାହିଁ ॥
ଜପଯଜ୍ଞ ତୀର୍ଥବାସ ଅଟେ ପୁଣ୍ୟ କର୍ମ । ଏହା ଝିଙ୍ଗାସିଲେ ପାପ ଅଟଇ ଅଧର୍ମ ॥
ଅହନ୍ତା ବିଚାରି ଧର୍ମକୁ ଯେ ନ ଚାହିଁଲୁ । ତେଡ଼େବଡ଼ ମହାଯଜ୍ଞ ହେଳେ ନାଶ କଲୁ ॥
ପଡ଼ିଲା ତୋତେ ସେ ମହା ପାପର ଯେ ଭୋଗ । ଶରୀର ଅସୁସ୍ଥ ସାଧି ନ ପାରିବୁ ଯୋଗ ॥
ଏବେ ସଦାଶିବ ତୁ ମୋହର ବୋଲ କର । ତାରକବ୍ରହ୍ମନାମ ତୁ ଜପି ପାପ ହର ॥
ରାମ ନାମ ଜପିଲେ ଯେ ଛାଡିଯିବ ପାପ । ବିଶ୍ବାମିତ୍ରମୁନି-ରୁଷି-ଛନ୍ଦ-ଅନୁଷ୍ଟୁପ ॥
ସାଧନା କର ହେ ଶିବ ରାମନାମ ପଦ । ଦୁର୍ବଳତା ନାଶ ଯିବ ସୁବଳ ଆନନ୍ଦ ॥
ହୋଇବ ପ୍ରାପତ ତୋତେ ସକଳ ପଦାର୍ଥ । ସର୍ବ କ୍ଲେଶ ନାଶ ଯିବ ହୋଇବ ସାମର୍ଥ୍ୟ ॥
ଏତେ ବୋଲି ବ୍ରହ୍ମା ମୁଖେ ସାମବେଦ ଘୋଷି । ରୁଦ୍ରଙ୍କୁହିଁ ରାମପଦ କହିଲେ ବିଶେଷି ॥
କୃତାଞ୍ଜଳି ହୋଇ ରହିଲେ ସେ ସଦାଶିବ । ବ୍ରହ୍ମାଙ୍କର କଲ୍ୟାଣରେ ଦେହ ସୁସ୍ଥ ହେବ ॥
ଅନେକ ସ୍ତୁତି ଯେ କଲେ ତାଙ୍କୁ ଶୂଳପାଣି । ମୋତେତ ସୁଦୟା କଲ ପିତାମହ ଜାଣି ॥
ଯେଉଁ ଉପଦେଶ ଦେଲ ଶ୍ରୀରାମର ବାଣୀ । ଆତ୍ମା ମୋର ପରିବୋଧ ହେଲା ତାହା ଶୁଣି ॥
ଆଜହୁଁ ଶ୍ରୀରାମ-ନାମ ହୋଇଲା ମୋ ବ୍ରତ । ତୋହର ପ୍ରସନ୍ନେ ମନ୍ତ୍ର ହେଉ ପରାପତ ॥
ଏଥୁଅନନ୍ତରେ ସ୍ବର୍ଗେ ଗଲେ କୁଶପାଣି । ସର୍ବଦା ଘୋଷନ୍ତି ସଦାଶିବ ରାମବାଣୀ ॥
ପ୍ରଭାତରୁ ନିତ୍ୟକର୍ମ ସାରନ୍ତି ଶଙ୍କର । ଜପନ୍ତି ସେ ରାମନାମ ଏ ବେନି ଅକ୍ଷର ॥
ଦିନକୁ ଦିନ ହୋଇଲା ଦେହ ବଡ଼ ସୁସ୍ଥ । ମନରେ ବଡ଼ ଆନନ୍ଦ ହେଲେ ଶୂଳହସ୍ତ ॥
କ୍ଷଣେହେଁ ସେ ନ ଛାଡ଼ନ୍ତି ଶ୍ରୀରାମର ନାମ । ଦୃଢ଼ କରି ଜପନ୍ତି ସେ ହୃଦେ ଅନୁପମ ॥
ଏମନ୍ତେ କେତେହେଁ ଦିନ ତହିଁ ବହିଗଲା । ଦିନୁ ଦିନୁ ଦେହ ଅତି ସୁନ୍ଦର ଦିଶିଲା ॥
ରୂପକୁ ଦେଖି ପାର୍ବତୀ ହର୍ଷ କଲେ ମତି । ଯୁବା ପ୍ରାୟେ ଦିଶନ୍ତିତ ଏବେ ପଶୁପତି ॥
ଦିନେ ସଦାଶିବ ମନ୍ତ୍ର ଜପିବାର ବେଳେ । ପାର୍ବତୀ ମିଳିଲେ ଯାଇଁ ଶିବ-ପାଦତଳେ ॥
ଭୋ ଦେବ ଇଶ୍ବର ! କହି କେଉଁ ମନ୍ତ୍ର ଜପୁ । ମୋତେ କିପାଁ ମାୟା ତୁମ୍ଭେ କଲ ସିଦ୍ଧବପୁ ॥
ମୁଁ ତୁମ୍ଭ ଚରଣେ ସଦା ଶରଣ ଯେ ଦାସୀ । କର ଅନୁଗ୍ରହ ମୋତେ କପିଳାସବାସୀ ॥
ଏମନ୍ତ କହି ନମନ୍ତି ଦେବୀ ପୁଣି ପୁଣି । ହସିଣ କହନ୍ତି ସଦାଶିବ ପ୍ରିୟବାଣୀ ॥
ଉଠ ଉଠ ସଖି ଆରେ ମୋର ପ୍ରାଣ ସରି । ଆପଣେ ଶ୍ରୀଭୁଜେ ତୋଳି ବସାଇଲେ ଧରି ॥
ଜାନୁରେ ବସାଇ ପୁଣି କହନ୍ତି କପାଳି । ତାରକମନ୍ତ୍ରରାଜ ଏ ଅଟେ ମହାବଳୀ ॥
ଶୁଣ ଶଶିମୁଖି ! ଆଗୋ କହଇ ମୁଁ ତୋତେ । ପିତାମହ ଉପଦେଶ ଦେଇଗଲେ ମୋତେ ॥
ବିଷ୍ଣୁର ସହସ୍ର ନାମ ମଧ୍ୟରେ ଯେ ସାର । ଏହୁ ମନ୍ତ୍ର ଯେଉଁ ନର କରନ୍ତି ଉଚାର ॥
ଯେତେକ ଫଳ ଏଥିରେ ହୁଏ ସୁମରନ୍ତେ । ଏହାହୁଁ ଅଧିକ ରାମନାମ ସୁମରନ୍ତେ ॥
ଏ ଯେ ମନ୍ତ୍ରରାଜ ସର୍ବମନ୍ତ୍ର ମଧ୍ୟେ ସାର । ନିତ୍ୟରେ ସ୍ମରଣ କଲେ ଖଣ୍ଡେ ପାପଭାର ॥
ଏହି ରାମନାମକୁଟି ସୁମରନ୍ତି ମୁନି । ଏହା ସ୍ମରଣ କରି ବୋଲାନ୍ତି ବ୍ରହ୍ମଜ୍ଞାନୀ ॥
ରାମନାମ ସୁମରିଣ ଜଗତର ପିତା । ରାମନାମ ଧରିଣ ସେ ଜଗତକରତା ॥
ରାମନାମ ସୁମରଣା କରି ଦେବୀ ଶ୍ରିୟା । ନାରାୟଣ ଦେବତାର ହୋଇଛନ୍ତି ପ୍ରିୟ ॥
ତାରକ ବ୍ରହ୍ମଜ୍ଞାନୀ ଯେ ଯାହା ସେହି ଭଣି । ସେ ମହାମନ୍ତ୍ରକୁ ତୁମ୍ଭେ ଶୁଣ ରୂପମଣି ॥
ମୁହିଁ ତାହା ଜପଇ ଯେ ପରଂଜ୍ଞାନ ତତ୍ତୁ । ତେଣୁ ଶରୀରକୁ ନ ବାଧଇ ଅପମୃତ୍ୟୁ ॥
ପାର୍ବତୀ କହିଲେ ତୁମ୍ଭେ କହିଲ ହେ ଯାହା । ନାରାୟଣ ସ୍ବାମୀ ଯେ ସକଳ ଦେବସାହା ॥
କେବଣ ଅବତାରେ ସେ ରାମନାମ ବହି । କିସ ଅର୍ଥେ ଅବତାର ମର୍ତ୍ତେ ଆସି ହୋଇ ॥
ଅରୂପ ଅବର୍ଣ୍ଣ ସେ ଅପୂର୍ବ ନାମ ଯାର । ମର୍ତ୍ତ୍ୟଲୋକେ କିପାଇଁ ସେ ହେଲେ ଅବତାର ॥
ଏ କଥା ବିସ୍ତାରି ମୋତେ କହ ପ୍ରାଣନାଥ ! । ଶୁଣିବି ଶ୍ରୀରାମ-କୀର୍ତ୍ତି ହୋଇବି ମୁକତ ॥
ବୋଇଲେ ପାର୍ବତୀ ବିଶ୍ବନାଥ ମୁଖ ଚାହିଁ । ଶ୍ରୀରାମର ପୁରାଣ ତୁ ଶୁଣ ପ୍ରାଣସହି ॥
ବ୍ରହ୍ମାଙ୍କ ପଞ୍ଚମ ବେଦୁଁ ପୁରୁଷେକ ଜାତ । ନାମ ତାହାଙ୍କର ଧାତା ଦେଲା ଯେ କଳତ ॥
ତାହାଙ୍କ ବୀର୍ଯ୍ୟୁଁ ଜାତ ବିଶ୍ରବା ନାମେ ଋଷି । ଦଶାନନ ନାମେଣ ଯେ ତାହାଙ୍କର ଶିଷି ॥
ସୁମାଳୀର ଝିଅ ନଇକେଷୀ ତହୁଁ ଜାତ । ମାତାଗୁଣ ଘେନି ସେହୁ ହୋଇଲା ଦଇତ ॥
ବ୍ରହ୍ମାଙ୍କର ତପବଳେ ସାଧିଲା ତ୍ରିଲୋକ । ସୁରମୁନିମାନଙ୍କୁ ସେ ଦେଲା ବଡ଼ଦୁଃଖ ॥
ଜ୍ୟେଷ୍ଠଭାଇ ବଇମାତ୍ର ଅଟଇ କୁବେର । ତାହାଙ୍କୁ ସେ ଲଙ୍କାପୁରୁ କଲାକ ବାହାର ॥
କପିଳାସକନ୍ଦରେ ସେ ପଶିଲାକ ଯାଇଁ । ତହିଁକି ଗଲାସେ ବୀର ପ୍ରତିଜ୍ଞା ଦେଖାଇ ॥
କୁବେରକୁ ଯୁଦ୍ଧେ ଜିଣି ଆଣିଲା ବିମାନ । ଦେବଙ୍କର ଆରୋହଣ ଅଟଇ ସେ ଯାନ ॥
ତିନିପୁର ଗମନ ସେ କରେ ମାୟାରଥ । ତହିଁ ବସି ଜିଣିଲା ସେ ସର୍ବ ଦେବତାନ୍ତ ॥
ସ୍ବର୍ଗପୁରକୁଇଁ ଦିନେ ବିଜେକରି ଗଲା । ମରୁତରାଜ ଯଜ୍ଞରେ ପ୍ରବେଶ ହୋଇଲା ॥
ଦେଖି ଦେବତାଏ ଭୟେ ଗଲେ ଅପସରି । ମରୁତରାଜାକୁ ବଳେ ଜିଣିଲାକ ଧରି ॥
ମୟ ଦଇତ-ଦୁହିତା ନାମ ମନ୍ଦୋଦରୀ । ନାହିଁ ପଟାନ୍ତର ତାକୁ ପବିତ୍ର ସୁନ୍ଦରୀ ॥
ତାହାକୁଇଁ ବିଭା ହୋଇଲା ବିଂଶପାଣି । ସେ ସୁଲକ୍ଷଣୀ ତାହାର ହେଲା ପାଟରାଣି ॥
ବ୍ରହ୍ମା ସୁପ୍ରସନ୍ନେତାକୁ ଦେଲେ ବ୍ରହ୍ମଶର । ତେଣୁ ସେ ପାପିଷ୍ଠ ଜିଣିଲା ତିନିପୁର ॥
ପୃଥିବୀରେ ରାଜଗଣେ ନୋହିଲେକ ସରି । ଅଯୋଧ୍ୟାରେ ଅନରଣ୍ୟ ରାଜାକୁ ସେ ମାରି ॥
ପୃଥିବୀକି ଜିଣି କରି କପିଳାସ ଗଲା । ପର୍ବତକୁ ଉପାଡ଼ିଣ ଶିରରେ ବହିଲା ॥
ତାହା ଜାଣି ଶିବଗଣ ଶଙ୍କର ସହିତେ । ଗରୁ ହୋଇ ଯାଇଁ ମାଡ଼ି ବସିଲେ ସମସ୍ତେ ॥
ଘୋରରାବ ଦେଇ ପ୍ରାଣ ଛାଡ଼ନ୍ତେ ଅସୁର । ରାବଣ ତା ନାମ ଦେଇ ରଖିଲେ ଶଙ୍କର ॥
ପ୍ରଶନ୍ନେ ଅମରବର ଦେଲେ ତ୍ରିପୁରାରି । ଯମକୁଇଁ ଜିଣିଳା ସେ ସ୍ବର୍ଗପୁରେ ଧରି ॥
ପାତାଳେ ପଶି ବାସୁକି ସଙ୍ଗେ ଯୁଦ୍ଧ କଲା । ତାକୁ ସମାଧାନ କରି ବଳିକି ଭେଟିଲା ॥
ପାତାଳବୈକୁଣ୍ଠେ ଦେଖିଲାକ ଦେବହରି । ସେଠାରେ ଦଣ୍ଡ ପାଇ ଅଇଲା ଅପସରି ॥
ମଞ୍ଚପୁରେ ମାନ୍ଦାତା ସଙ୍ଗତେ ଯୁଦ୍ଧ କଲା । ତରକ ଭାବରେ ତହୁଁ ବାହୁଡ଼ି ଅଇଲା ॥
ହୟୀହୟ ବଂଶେ ଜାତ ସହସ୍ରଅର୍ଜୁନ । ଜଳକ୍ରୀଡ଼ା ବେଳେ ତାକୁ ଭେଟେ ଦଶାନନ ॥
ମହାବଳବନ୍ତା ଅଟେ ସେ ନୃପତି ଜାଣ । ରାବଣକୁ ବାନ୍ଧି ଘରେ ଥୋଇଲା ଆପଣ ॥
ପଉଲସ୍ତି ମାଗି ନେଲେ ତା ବିକଳ ଦେଖି । ନାତିର ନିମନ୍ତେ ଲଜ୍ଜା ଭୟକୁ ଉପେକ୍ଷି ॥
ବାଳି ନାମେ ବାନର ଯେ କିଷ୍କିନ୍ଧାର ଥାଏ । ଯୁଦ୍ଧରେ ନ ପାରି ତାକୁ ମଇତ୍ରେ ବନ୍ଦାଏ ॥
ବ୍ରହ୍ମାଙ୍କର ବରେ ସେ ଜିଣିଲା ତିନିପୁର । ସେ ବ୍ରହ୍ମାଙ୍କୁ ସମରେ ଜିଣିଲା ନିଶାଚର ॥
ସୈନ୍ୟ ସହିତେଣ ଦିନେ ସ୍ବର୍ଗ କୁଇଁ ଗଲା । ଧାଡ଼ି ଦେଇଣ ଇନ୍ଦ୍ରାଦି ଦେବତା ଜିଣିଲା ॥
ପ୍ରାଣେ ନ ମାରିଣ ତାଙ୍କୁ ବୋଇଲା ଅସୁର । ସମସ୍ତେ ସେବା କରିବ ମୋତେ ଲଙ୍କାପୁର ॥
ରବିଚନ୍ଦ୍ର ପବନାଦି ଯମ ହୁତାଶନ । ତେତିଶ କୋଟି ଯେ ତୁମ୍ଭେ ଦେବ ଦେବୀମାନ ॥
ଅପସରୀ କିନ୍ନରୀ ଯେ ଗନ୍ଧର୍ବ ଚାରଣେ । ସମସ୍ତେ ସେବିବ ଆସି ମୋହରି ଚରଣେ ॥
ଡରେ ସବୁ ଦେବତାଏ ସନମତ କଲେ । ଯାର ଯଥା ଅଧିକାରେ ଲଙ୍କାରେ ସେବିଲେ ॥
ପୁତ୍ର ମେଘନାଦ ତାର ସ୍ବର୍ଗେ ଧାଡ଼ି ଦେଲା । ସେ ପୁତ୍ର ସଂଗ୍ରାମେ ପୁଣ ଇନ୍ଦ୍ରକୁ ବାନ୍ଧିଲା ॥
ବ୍ରହ୍ମା କହି ସେ ଇନ୍ଦ୍ରକୁ ନେଲେ ମୁକୁଳାଇ । ପ୍ରଶଂସି ତାହାକୁ ଇନ୍ଦ୍ରଜିତ ନାମ ଦେଇ ॥
ବିଭୀଷଣକୁ ଅମରବର ବ୍ରହ୍ମା ଦେଲେ । ଅସୁରକୁଳେ ତୁ ବିଷ୍ଣୁ ସେବିବୁ ବୋଇଲେ ॥
କୁମ୍ଭକର୍ଣ୍ଣ ଯହୁଁ ଦୁଷ୍ଟବୁଦ୍ଧିପଣ କଲା । ପୃଥ୍ବୀ ମଧ୍ୟେ ଜନ ପ୍ରଜା ସମସ୍ତ ଗିଳିଲା ॥
ଦେବେ କହିବାରେ ପିତାମହ ତା ଜାଣିଲେ । ସର୍ବଦା ନିଦ୍ରା ତୋ ନେତ୍ରେ ଘାରୁ ଯା ବୋଇଲେ ॥
ବରଷକେ ଥରେ ଉଠି କରିବୁ ଭୋଜନ । ତୋତେ କେ ଯୁଦ୍ଧେ ଜିଣି ନପାରିବେ ସେ ଦିନ ॥
ରାବଣ କର୍ଣ୍ଣରେ ଯେ କହିଲେ ମନ୍ତ୍ରସାର । ଛପନଗଣ୍ଡାଯୁଗ ନିଶ୍ଚିନ୍ତେ ଭୋଗ କର ॥
ଧାତାର ବଚନେ ସେ କ୍ଷତ୍ରିୟ ବୀରବର । ବାମଗୋଡ଼େ ଶୋହେ ଯେ ଅନର୍ଗଳ ତୋଢ଼ର ॥
ସ୍ବୟଂ ଦଶଶିର ସେ କୋଡ଼ିଏ ଭୁଜଧାରୀ । ଲବଣସିନ୍ଧୁ ମଧ୍ୟରେ ସ୍ବର୍ଣ୍ଣମୟପୁରୀ ॥
ଚଉଦଭୁବନ ମଧ୍ୟେ ଯେତେ ରାଜଗଣ । ସବୁଙ୍କୁଇଁ ବନ୍ଦୀକରି ଆଣିଲା ରାବଣ ॥
ସୁନ୍ଦରୀ ଯୁବା ଦୁହିତା ଆଦି ଯେତେ କରି । ବଳେ ଧନ ସମ୍ପଦ ଆଣିଲା ଯୂର କରି ॥
ରାଜଗଣମାନଙ୍କର ଜାତି ଅର୍ଥ ନେଲା । ପଞ୍ଚାଶ କୋଟି ଯେ ରଥୀ ତେଣୁ ଭିଆଇଲା ॥
ରଥ ଗଜ ଅଶ୍ବ ଯେ ପଦାତି ଅପ୍ରମିତ । ଏକ ଏକ ନାମଧରି କହିବି କେତେତେ ॥
ମନ୍ତ୍ରୀ ଶୁକ ସାରଣ ଏ ପାତ୍ର ଯେ ସାମନ୍ତ । ଭାଇ ବିଭୀଷଣ ତାର ପୁତ୍ର ଇନ୍ଦ୍ରଜିତ ॥
ଶଏଯୂଣ ଲଙ୍କା ସବୁ ସ୍ବର୍ଣ୍ଣମୟ ପୁରୀ । ଅମରାବତୀପୁର ଯେ ନୋହେ ସମପରି ॥
ଦେବାସୁର ନର ଆଦି ନାହିଁ ତାଙ୍କ ଭୀତି । ଦୈତ୍ୟଙ୍କର ପାଦରେ କମ୍ପଇ ବସୁମତୀ ॥
ରୁଷି ମହାରୁଷିମାନେ ପଳାଇଲେ ଭୟେ । ଯତୀ ତପଚାରୀ ଧର୍ମ ଛାମୁରେ ନ ରହେ ॥
ଦେବତାଏ କମ୍ପମାନ ସୁରପୁରେ ଥାଇ । ତ୍ରିଲୋକରେ ରାବଣକୁ କ୍ଷତ୍ରିସମ ନାହିଁ ॥
ଜପ ଯଜ୍ଞ ଭାଙ୍ଗିଣ ସେ କଲାକ ଅନୀତି । ଧର୍ମ ନାମେ ନଥାପିଲା ପୌଲସ୍ତିର ନାତି ॥
ଦିନେକ ରାବଣ ଦିଗବିଜେ କରିଗଲା । ଜମ୍ବୁଦ୍ବୀପରେ ଭରତଖଣ୍ଡରେ ମିଳିଲା ॥
କୁଶଧ୍ବଜ ନାମେ ଥିଲା ଏକ ନରପତି । ବେଦବତୀ ନାମେ ତାର କନ୍ୟା ରୂପବତୀ ॥
ବୁଷ୍ଣୁ ବରଅର୍ଥେ ତପ କରଇ ସେ ନାରୀ । ପୁଷ୍ପକବିମାନେ ଥାଇ ଲଙ୍କା-ଦଣ୍ଡଧାରୀ ॥
କାମେ ମତ୍ତହୋଇ ତାକୁ ଧଇଲାକ ବଳେ । କୋପେ ବ୍ରହ୍ମଅଗ୍ନିବାଳୀ ଜାତକଲା ହେଳେ ॥
ଦେଖି ଭୟ ପାଇଣ ରାବଣ ଛାଡ଼ିଗଲା । ତପସ୍ୟା ଭାଙ୍ଗିଲୁ ବୋଲି କୋପେ ଶାପଦେଲା ॥
ବୋଇଲା ବିଷ୍ଣୁଙ୍କୁ ମୁଁ ଯେ ବରିଅଛି ମନେ । ମୋହର ନିମନ୍ତେ ତୋତେ ମାରନ୍ତୁ ସେ ରଣେ ॥
ଏତେ ବୋଲି ବେଦମତୀ ବିଷ୍ଣୁଙ୍କୁ ଧ୍ୟାଇଲା । ଅପ୍ରତିଷ୍ଠା ଅଙ୍ଗବୋଲି ଅଗ୍ନିରେ ଦହିଲା ॥
ସେହି ସେ ପରମଲକ୍ଷ୍ମୀ ଜନକକୁମାରୀ । ସୀତା ନାମ ତାର ପ୍ରତ୍ୟକ୍ଷେ ସେ ବିଷ୍ଣୁନାରୀ ॥
ମାତାଗୁଣେ ରାବଣର ରାକ୍ଷସ ପ୍ରକୃତି । ଦେବାସୁରନରେ କେହି ନ ରହନ୍ତି କତି ॥
ଦେବତାଏ ବିଚାରିଣ ହୋଇ ସର୍ବେ ଗୋଷ୍ଠୀ । କି ବୁଦ୍ଧି କରିବୁଁ ତୁମ୍ଭେ କହ ପରମେଷ୍ଠି ॥
ରାବଣର ଉପଦ୍ରବ ନୋହେ ଆଉ ସହି । ରସାତଳେ ପଡ଼ିବି ମୁଁ ବୋଲେ ଦେବୀମହୀ ॥
ପିତାମହ ବୋଇଲେ ହେ ରହି କିଛିକାଳ । ପ୍ରଥମ ବୟସେ ହୋଇଅଛି ଅନର୍ଗଳ ॥
ସମୟରେ ଭୁଞ୍ଜିବ ସେ କିଛିକାଳ ମହୀ । କାଳ ଅବଶେଷେ ନାଶଯିବ ତାର ଦେହୀ ॥
ଏମନ୍ତ ବିଚାରି ସାରି ମଉଳିଲା ଗୋଷ୍ଠି । ବୋଲନ୍ତି ଯେ ସଦାଶିବ ଶୁଣ ଗୋ ବିମ୍ବୋଷ୍ଠି ॥
ଏମନ୍ତେ ଅପାର ଯୁଗ ଯୁଗାନ୍ତର ଗଲା । ଅନେକ ଯେ ଉପଦ୍ରବ ସେ ରାବଣ କଲା ॥
ପୁଣିହିଁ ସେ ସୁରଗଣ କରନ୍ତି ବିଚାର । କେତେକାଳ ସେବା ଆଉ କରିବା ଦୈତ୍ୟର ॥
କାହାର ହସ୍ତେ ମରିବ ରାବଣ ଅସୁର । ଆମ୍ଭର ଆଗରେ ଏହା କହ କୁଶଧର ॥
ବିଧାତା ବୋଇଲେ ତୁମ୍ଭେ ଶୁଣ ସୁରଗଣ । ଶ୍ରୀ ନନ୍ଦିକେଶ୍ବର ଶାପେ ମରିବ ରାବଣ ॥
ପୂର୍ବଦିଗେ କପିଳାସ ନାମ ହରପୁରୀ । ନନ୍ଦିକେଶ୍ବର ବୋଲି ଯେ ତାହାଙ୍କ ଦୁଆରୀ ॥
ରାବଣ ବର ପାଇଣଅ ଆସନ୍ତେଣ ଭଲା । ଦ୍ବାରେ ଥାଇ ସେହି ନନ୍ଦୀ ଦ୍ବାରୀପଣ ନେଲା ॥
ବର-ତେଜଭରେ ସେ ରାବଣ ମହା କୋପୀ । କରରେ ଖଡ଼ଗ ଘେନି ମାରିବାକୁ ଝାମ୍ପି ॥
ବୋଇଲା ତୁ ଛାର ରେ ବାନର ନରବୁଦ୍ଧି । ମୁହିଁ ମହାରାଜା ମୋର ଅସଂଖ୍ୟ ଯେ ଆଧି ॥
ବ୍ରହ୍ମାର ବଚନେ ମୁଁ କାହାକୁ ନ ଗଣଇଁ । ଇନ୍ଦ୍ରାଦି ଦେବତାଙ୍କୁ ମୁଁ କିଞ୍ଚିତ ମଣଇ ॥
ଏତେ କହି ନନ୍ଦିକି ବହୁତ ଝିଙ୍ଘାସିଲା । କୋପ ବହି ନନ୍ଦି ସେ ରାବଣେ ଶାପଦେଲା ॥
ବୋଇଲା ରାବଣ କଲୁ ଅକାରଣେ ରୋଷ । ଏ ନର-ବାନରେ ତୋର ବଂଶ ଯାଉ ନାଶ ॥
ପ୍ରତ୍ୟକ୍ଷେ ସେ ନନ୍ଦୀଶ୍ବର ଅଟେ ଶିବ ସରି । ତାର କୋପାନଳେ ମରିବ ସେ ଦଶଶିରୀ ॥
ମୁହିଁ ତାହା ଜାଣିଣ ଯେ ଅଛି ନିର୍ଭାକରି । ତୁମ୍ଭେ ଦେବତାଏ ଯାଅ ଏବେ ଯେଝାପୁରୀ ॥
କାଳ ଅବଶେଷ ଜାଣି ସମୟେକ ରହ । ରାବଣକୁ ସେବାକରି ରକ୍ଷାକର ଦେହ ॥
କଶ୍ୟପରୁଷି ଏଥର ମଞ୍ଚପୁରେ ଯାଉ । ଅଯୋଧ୍ୟାନଗରେ ରାଜା ଦଶରଥ ହେଉ ॥
ଅଦିତି ଯେ ଦେବମାତା ମୋର ବୋଲୋ କରୁ । କଉଶଲ୍ୟା ନାମବହି ମଞ୍ଚେ ଅବତରୁ ॥
ଶ୍ରୀ ବିଷ୍ଣୁନାଥଙ୍କୁ ଚାଲ ସର୍ବେ ଜଣାଇବା । ଦଶରଥ ଘରେ ନେଇ ଜନ୍ମ କରାଇବା ॥
ତୁମ୍ଭେ ସର୍ବ ଦେବତାଏ ରୁକ୍ଷକପି ହୋଇ । ମଞ୍ଚପୁରେ ଅବତାର ହୁଅ ବେଗେ ଯାଇ ॥
ଆନମତେ ନ ମରଇ କେହେହେଁ ଅସୁର । ଅବଶ୍ୟ ଶ୍ରୀ ବିଷ୍ଣୁ ଜାତ ହେବେ ମଞ୍ଚପୁର ॥
ଏମନ୍ତ ବିଚାର ଯେ କହିଲେ କୁଶଧାରୀ । ଶୁଣି ଦେବଗଣେ ଚଳିଗଲେ ବିଷ୍ଣୁପୁରୀ ॥
ଗୁହାରି କଲେକ ଦେବେ ବିଷ୍ଣୁର ଛାମର । ଅନେକ କଷ୍ଟ ଦେଲାଣି ରାବଣ ଅସୁର ॥
କରପତ୍ର ଯୋଡ଼ିଣ ଅନେକ ସ୍ତୁତି କଲେ । ବିକଳେ ଦେବେ ଛାମୁରେ ପଟୁଆରୀ ହେଲେ ॥
ଜୟ ଜୟ ଜଗନ୍ନାଥ କମଳାରମଣ । ତୁହି ସେ ପରମବ୍ରହ୍ମ ସ୍ବୟଂ ନାରାୟଣ ॥
ଦେବକୁଳ ଉଦ୍ଧାରଣ ତୁ ସେ ଚକ୍ରଧାରୀ । ତାର ବାରେ ବିପତ୍ତିନାଶନ ଦଇତ୍ୟାରି ॥
ଅସୁରମାନେ ହୋଇଲେ ମଞ୍ଚେ ଅବତାର । ମତ୍ସ୍ୟ କୂର୍ମ ବରାହ ତୋ ଦଶଅବତାର ॥
ହୋଇଣ ବିନାଶ ତୁମ୍ଭେ କର ସର୍ବକାଳେ । ଏବେ ସେ ରୂପେ ବ୍ୟାକୁଳ ହେଲେ ଦେବକୁଳେ ॥
ରାବଣ ନାମରେ ଏବେ ବିଶ୍ରବାର ଶିଷ୍ୟ । ମାତାଗୁଣ ବହିଣ ସେ ହୋଇଲା ରାକ୍ଷସ ॥
ସାତଦ୍ବୀପ ସାଧି ସେ ସ୍ବର୍ଗକୁ ଦେଲା ଧାଡ଼ି । ଇନ୍ଦ୍ର ଚନ୍ଦ୍ର କୁବେରାଦି ଦେବେ ଦୟା ଛାଡ଼ି ॥
ଯମ ବୃହଷ୍ପତି ଯେ ପବନ ହୁତାଶନ । ଅଷ୍ଟଅପସରୀ ଯେ କିନ୍ନରୀ ଦେବଗଣ ॥
ସମସ୍ତଙ୍କୁ ଖଟାଇଲା ସିଂହାସନ-ତଳେ । ଲଙ୍କାରେ ସେବିଲୁଁ ତାକୁ ପ୍ରାଣରେ ବିକଳେ ॥
ଏ କଷ୍ଟରୁ ପାରିକର ରାବଣକୁ ମାରି । ତାହା ଶୁଣି ପ୍ରସନ୍ନ ଯେ ହେଲେ ଦଇତ୍ୟାରି ॥
ହସିକରି ଆଜ୍ଞାଦେଲେ ପ୍ରଭୁ ଦାମୋଦର । ଯାଅ ଦେବତାଏ ତୁମ୍ଭେ ଯେ ଯାହାର ଘର ॥
ତୁମ୍ଭେମାନେ ସେବା ପାଇ ସୁଖେ ବର ଦିଅ । ବିପଦେ ପଡ଼ିଲେ ଆସି ମୋ ଆଗରେ କହ ॥
ନିଶ୍ଚୟେ ନିଦ୍ରାରେ ମୋର ଶୟନରେ ଥାଇ । ତୁମ୍ଭ ଦୁଃଖ ଶୁଣିଲେତ ମନ ନ ରହଇ ॥
ତେଣୁ ସକଳେ ମୋତେ କରିଥାଅ ଇଷ୍ଟ । କେମନ୍ତେ ସମ୍ଭାଳିବି ମୁଁ ନ କରିଣ କଷ୍ଟ ॥
ଶୁଣି ଦେବତାଏ ଗଲେ ଯେ ଯାହାର ପୁର । ଆଜ୍ଞା ପରମାଣେ କଥା ଧରିଣ ମନର ॥
ଶୁଣସି ଆଗୋ ଭବାନି ବୋଲନ୍ତି ଇଶାନ । ଏ ସେ ରାମାୟଣ ଆଦ୍ୟକାଣ୍ଡର ଆଖ୍ୟାନ ॥
ଜମ୍ବୁଦ୍ବୀପ ଭ୍ରତଖଣ୍ଡେ ମଧ୍ୟଭଗ ମହୀ । ଦକ୍ଷିଣକୋଶଳ ସେ ପବିତ୍ର ଦିବ୍ୟଭୂଇଁ ॥
ଅଯୋଧ୍ୟା ନାମେ ନଗ୍ର ସରଯୂନଦୀତଟେ । ପବିତ୍ର ନଦୀ ସେ ଜାଣ ରାଜ୍ୟର ନିକଟେ ॥
ନଗ୍ର ପରିମଳ ପୁଣି ଅତିଅନ୍ତ ଶୋଭା । କି ଜାଣି ପଟାନ୍ତର ଶରଦଶଶୀ ପ୍ରଭା ॥
ରାଜାର ମନ୍ଦିରର ଅପୂର୍ବ ଦିବ୍ୟକାନ୍ତି । ମେଢ଼ ଆଉ ମଣ୍ଡପ ଯେ ଅଟ୍ଟାଳି ଜଗତୀ ॥
ଚନ୍ଦନ ଅଗର କାଠରୁଅ ଚାରୁ ଶେଣୀ । ତେଜପତ୍ରେ କରିଛନ୍ତି ଉପର ଛାଉଣି ॥
ମୁକୁତାର ଝରା ତହିଁ ନୀଳା ରତ୍ନ ଜଡ଼ି । ବିଚିତ୍ର ପୁତ୍ତଳି ଯେ ବିଚିତ୍ରବର୍ଣ୍ଣେ ଘଡ଼ି ॥
ମର୍କତର କଳଶ ଯେ ନେତର ଚିରାଳ । ଚନ୍ଦ୍ରାତପ ତେଜ କିବା ଆଦିତ୍ୟ ପ୍ରବାଳ ॥
ସାମନ୍ତମାନଙ୍କ ଉଆସ ଯେ ଦିବ୍ୟପୁରୀ । ଘରେ ଘରେ ପରିପୂର୍ଣ୍ଣ ସାଗରକୁମାରୀ ॥
ଅଷ୍ଟାଦଶ ପାଟକ ଯେ ଭନ୍ନ ଭିନ୍ନ ସାଇ । କୂପ ବାମ୍ଫୀ ସରୋବର ଅନେକ ଅଛଇ ॥
ସ୍ୱର୍ଗଲୋକ ପ୍ରାୟ ଦେଖାଯାନ୍ତି ନର ନାରୀ । ଆପଣେ ବିଶ୍ୱକର୍ମା ନିର୍ମାଣିଅଛି ପୁରୀ ॥
ସୂର୍ଯ୍ୟବଂଶେ ଦଶରଥ ଅଟେ ପୁଣ୍ୟଜ୍ଞାନୀ । ଦୁଃଖୀ ଦରିଦ୍ରଙ୍କୁ ସେ ଯେ ଅନୁକ୍ଷଣେ ଦାନୀ ॥
ଧର୍ମଶାସ୍ତ୍ର ପୁରାଣ ଆଗମ ସେ ଶୁଣନ୍ତି । ପ୍ରତ୍ୟକ୍ଷେ ଦିଶନ୍ତି ଦଶରଥ ଧର୍ମମୂର୍ତ୍ତି ॥
ଚନ୍ଦ୍ରମା ପ୍ରାୟେକ ତାର ଆହାଲ୍ଲାଦ ଜାଣ । ଶୂରବନ୍ତପଣେ ଶଚୀପତିର ସମାନ ॥
ଅନଳ ପରାୟେ ସେ ଯେ ଶତ୍ରୁଙ୍କୁ ଦିଶନ୍ତି । ପବନହୁଁ ବେଗ ତାର ଚଳିବାର ଗତି ॥
ବରୁଣ ସମାନ ସେ ଶୀତଳ ଗୁଣଭାଷୀ । ଅଇଶ୍ୱର୍ଯ୍ୟପଣେ ସେ କୁବେରଠାରୁ ବେଶି ॥
ବଡିମାରେ ମେଦିନୀ ସହିତ ମେରୁସମ । ରୂପରେ ଦ୍ୱିତୀୟ କାମ ତେଜେ ଅଟେ ଯମ ॥
ବକତାରେ ଶକତା କି ଦ୍ୱିତୀ ବୃହଷ୍ପତି । ଦାନେ ସଚା ତାହା ସମ ନାହିଁ ଜଣେ କ୍ଷିତି ॥
ବିବେକ ମର୍ଯ୍ୟାଦାବନ୍ତ ଶାସ୍ତ୍ର ସେ ଶୁଣଇ । ଧନୁର୍ଦ୍ଧାରୀ କ୍ଷତ୍ରିମଧ୍ୟେ ଗଣିତା ହୁଅଇ ॥
ଅକଣ୍ଟକ ରାଜ୍ୟଭୋଗ କରଇ ସେ ରାଜା । ତିନିପୁରେ ବିଦିତ ତା ନାମେ ବାଜେ ବାଜା ॥
କୌଶଲ୍ୟା କୈକେୟୀ ସୁମିତ୍ରା ଏ ତିନିରାଣୀ । ପାଟବଂଶୀ ଖଟନ୍ତି ସେ ରାଜା ମନଜାଣି ॥
ସାତଶପଞ୍ଚାଶ ରାଣୀ ପୁତ୍ର ଅର୍ଥେ କଲା । ଦଇବର ଯୋଗୁଁପୁତ୍ର ଜାତ ଯେ ନୋହିଲା ॥
ଜ୍ୟେଷ୍ଠ କଉଶଲ୍ୟା ରାଜା ମନକୁ ମୋହିଲା । ତିନିପୁରେ ପ୍ରତାପୀ ସେ ମହାରାଜା ହେଲା ॥
ପୁରୋହିତ ବଶିଷ୍ଠ ତା ମନ୍ତ୍ରୀ ଯେ ସୁମନ୍ତ୍ର । ଭଟ୍ରୁମିଶ୍ର ବାମଦେବ ପଣ୍ତା ତପୋବନ୍ତ ॥
ଜାବାଳି କଶ୍ୟପ ଯେ ଜାଣନ୍ତି ସର୍ବ ବାଣୀ । ନୃପତିକି ପଟାନ୍ତର ଦ୍ୱିତୀ ବଜ୍ରପାଣି ॥
ଆସନରେ ପରିପୂର୍ଣ୍ଣ ଦେବସଭା ଜାଣି । ଭାଟ କୟେବାର ବେଶ୍ୟା ଖଟିଥାନ୍ତି ପୁଣି ॥
ରଥୀ ଯୋଦ୍ଧା ମାହୁନ୍ତ ପଦାତି ମହାପାତ୍ର । ବସନ୍ତି ପଣ୍ତିତେ ଯେ କହନ୍ତି ନାନାଶାସ୍ତ୍ର ॥
ସହସ୍ରେକ ପଟୁଆରୀ ଜଣାନ୍ତି ଛାମୁରେ । ପଟୁଆର ପଡିଥାଇ କୋଶେକ ଆକାରେ ॥
ଶିରର ଉପରେ ଯେ ଉଡ଼ଇ ଶ୍ୱେତଛତ୍ର । ସୂର୍ଯ୍ୟବଂଶୀ ରାଜା ସେ ଯେ ବଡ଼ଇ ବିଖ୍ୟାତ ॥
ସହସ୍ରେକ ଶ୍ୱେତଚାମର ଢଳନ୍ତି ବାଳିଏ । ଶୀତଳପବନ ତହିଁ ଧୀରେ ଧୀରେ ବହେ ॥
ସୁବର୍ଣ୍ଣର ବିଞ୍ଚଣୀ ଅଗର ଧୂପକାଠି । ସଭାରେ ବିଜୟ ରାଜା କରେ ସଦଗୋଷ୍ଠୀ ॥
ରଥ ଗଜ ଅଶ୍ୱ ଯେ ପାଦତି ଅପ୍ରମିତ । ଉଡ଼ନ୍ତି ଆଲମ୍ବ ଯେ ଚିରାଳ ପାଟଛତ୍ର ॥
ଦୁଇଲକ୍ଷ ଶ୍ୱେତଛତ୍ର ଉଡ଼େ ନିରନ୍ତର । ଧାଡ଼ି ଧାତି ଉଭାରି ଯେ ଅଛନ୍ତି ଅପାର ॥
ଢୋଲ ଦମା ଟମକ ଯେ ନିରତେ ବାଜଇ । ଅପାର ଯେ ଶଙ୍ଖ ବୀଣା ମହୁରି ସ୍ଫୁରଇ ॥
କୋଳାହଳ ଶବଦ କି ବିଜୀଘୋଷ-ନାଦ । ଢାଳି ଢାଳି କଂସାଳ ଘାଘୁଡ଼ି ଘଣ୍ଟାଶବ୍ଦ ॥
ଶୋଭାପାଏ ନାନାବାଦ୍ୟ ମୃଦଙ୍ଗ ଯେ ବଂଶୀ । ନାଚନ୍ତି ଯେ ନୃତ୍ୟକାରେ ନୃତ୍ୟରଙ୍ଗେ ମିଶି ॥
ରାଜା ଆପଣେ କରଇ ବସି ସର୍ବଚିନ୍ତା । ପରଜା ପାଳଇ ସୁଖେ ଶତ୍ରୁକୁ ଅହନ୍ତା ॥
ଏସନକ ସମୟରେ ପାଟଜଉତିଷ । ସପ୍ତାଙ୍ଗ ପାଞ୍ଜି ଶୁଣାନ୍ତି ଆଣି ରାଜା ପାଶ ॥
ଶୁଣିମା ସାବଧାନେ ଅଯୋଧ୍ୟା ନରପତି । ଦୁଷ୍ଟ ଶତ୍ରୁ ଗଞ୍ଜନ ଯେ ଅଟ ଚକ୍ରବର୍ତ୍ତୀ ॥
ଆଦିତ୍ୟଙ୍କୁ ଆଦିକରି ନବଗ୍ରହଗଣ । ଭୋଦେବ ତୁମ୍ଭଙ୍କୁ ନିତ୍ୟ କରନ୍ତି କଲ୍ୟାଣ ॥
ସତାଇଶ ନକ୍ଷତ୍ର ଯେ ପଞ୍ଚଦଶ ତିଥି । ଏ ତୁମ୍ଭଙ୍କୁ ଅନୁଗ୍ରହ ସମସ୍ତେ କରନ୍ତି ॥
ବ୍ରହ୍ମା ବିଷ୍ଣୁ ମହେଶ୍ୱର ପୁରନ୍ଦର ମଧ୍ୟ । ଚନ୍ଦ୍ର ସୂର୍ଯ୍ୟ ପବନ ଯେ ଯମ ସାଧ୍ୟ ସିଦ୍ଧ ॥
ସମସ୍ତେ ବାଞ୍ଛନ୍ତି ଶୁଭ ତୋତେ ନୃପସାଇଁ । କାହାରି ମନରେ ତୋତେ ଅବିଗୁଣ ନାହିଁ ॥
କିଞ୍ଚିତ କଥାକୁ ଯେ କରଇ ଦେବ ଭୟେ । ଏକମାତ୍ର ଶନିଶ୍ଚର ଶିରେ ତୋର ରହେ ॥
ବୃଷ ରାଶିରେ ଯେ ଭେଦ ହେବ ସୂର୍ଯ୍ୟପୁତ୍ର । ଏଣୁ ସେ ପୀଡ଼ା ପାଇବ ତୁମ୍ଭେ ନିଜ ଗାତ୍ର ॥
ଇନ୍ଦ୍ରହିଁ ନ ପାଳିବ ଯେ ହେବ ଅନାବୃଷ୍ଟି । ହାଡ଼ ମାଳ ମାଳ ଯେ ହୋଇବ ନବସୃଷ୍ଟି ॥
ତୁମ୍ଭ ଜନ୍ମ ଅଟଇ ରୋହିଣୀ ବୃଷରାଶି । ଏଣୁ ସେ ପୀଡ଼ା କରିବ ତୋତେ ସୂର୍ଯ୍ୟବଂଶୀ ॥
ଯମର ଭାଇ ସେ ଶନି ସ୍ୱୟଂ ଯମ ମୂର୍ତ୍ତି । ସକଳ ସୁର ନର ଯେ ତାହାକୁ ଡରନ୍ତି ॥
ତାହାକୁ ଶାନ୍ତି କରିବା ହେଉ ମହୀପାଳ । ବଶିଷ୍ଠକୁ ପୁଛିଣ ତୁ କର ଅନୁକୂଳ ॥
ତା ଶୁଣି ଦଶରଥ ବିରସମନା ହୋଇ । ଖରତର ନିଶ୍ୱାସେ ବଶିଷ୍ଠ ମୁଖ ଚାହିଁ ॥
ବୋଇଲେ ଶନୈଶ୍ଚର ଭେଦିବ ମୋର ରାଶି । ଏକା ନାରାଚକେ ତାକୁ ପକାଇବି ନାଶି ॥
ଜଗତର କଷ୍ଟ ମୁଁ ଫେଡ଼ିବି ତାକୁ ମାରି । କୋପେଣ କୋଦଣ୍ତ କରେ ଦଶରଥ ଧରି ॥
ସୁତୀକ୍ଷ୍ଣ ନାରାଚ ଏକ ବସାଇଲେ ଗୁଣେ । ବୋଇଲେ ବିନ୍ଧିବି ଆଜ ଶନିକି ଏ ବାଣେ ॥
ଅଧର ଚାପି ରାଜା ପ୍ରଚଣ୍ତକୋପ ହୋଇ । ଆକର୍ଣ୍ଣ ସରିକି ବାଣ ଟାଣିଲା ପୂରୋଇ ॥
ଶନିଶ୍ଚର ମଣ୍ତଳରେ ହୋଇଲା ଅରିଷ୍ଟି । ଅଦଭୁତେ ତାର ପୁରେ ହେଲା ରକ୍ତବୃଷ୍ଟି ॥
ଇନ୍ଦ୍ର ଆଦି ସହିତେ କମ୍ପିଲେ ଦିଗପାଳ । ସାତ ସିନ୍ଧୁ ଉଛୁଳି ପଡ଼ିଲା ଆସି କୂଳ ॥
ଦଶରଥଙ୍କର କୋପ ଜାଣି ଶନିଗ୍ରହ । ସୁରରାଜପୁରେ ସେ କରଇ ଯାଇଁ କୋହ ॥
ମନୁଷ୍ୟ ହୋଇଣ ଦେବେ ବାଦ ସେ କରଇ । ଭସ୍ମ କରିବି ତାହାକୁ ଶନି ଯେ ବୋଲଇ ॥
ମଞ୍ଚ ରାଜା ଅଟେ ତାର କିସ ବୀର୍ଯ୍ୟ ବଳ । ନ ଜାଣି କୋପ କରଇ ମୋତେ ମହୀପାଳ ॥
ଅଯୋଧ୍ୟା ସହିତେ କରିବି ମୁଁ ଭସ୍ମରାଶି । କଥା ରୁହାଇବି ମଞ୍ଚେ ଶୁଣସ୍ୱର୍ଗବାସି ॥
ପିତାମହ ବୋଇଲେ ନ କର ଶନି ରୋଷ । ପୂର୍ବର କଥା ଏମନ୍ତ ଶୁଣ ଯେ ଭବିଷ୍ୟ ॥
ଦେବଙ୍କ କାର୍ଯ୍ୟ ହୋଇବ ଜାଣ ତାହାଘେନି । ନ କର ତୁ ତାକୁ କୋପ ମୋର ବୋଲେ ଶନି ॥
ତାହାର କୋଳରେ ବିଷ୍ଣୁ ହୋଇବେ ଜନମ । ରାବଣ ଆଦି ଦୁଷ୍ଟଙ୍କୁ କରିବେ ନିଧନ ॥
ତେବେ ସେ ଦେବେ ସୁସ୍ଥେ ବସିବେ ସ୍ୱର୍ଗପୁରୀ । ତୁହିତ ଶନିଶ୍ଚର ହୋ ଦେବଗଣ ସରି ॥
ଶୁଣିଣ ପ୍ରସନ୍ନମନା ହୋଇ ଶନିଶ୍ଚର । ୟା ଯୋଗୁ ହେବ ଯେବେ ଦେବଙ୍କ ଉପକାର ॥
ଆଜ ମୁଁ ଏହାର ନ ଭେଦିବି ଏହୁ ରାଶି । ଏତେ ବୋଲି ଶନିଶ୍ଚର ଚିତ୍ତେ ଭାବି ବସି ॥
କେବଳ ମାତ୍ର ଗମନ ମୋର ପୂର୍ବ ହେତୁ । ନାହିଁ ମୋର କ୍ରୋଧ ତାକୁ ଜାଣ କୁଶକେତୁ ॥
ଶୁଣି ଦେବଗଣେ ଅନ୍ତରିକ୍ଷେ ଡାକଦେଲେ । ଆହୋ ଦଶରଥ କୋପ ସଂହର ବୋଇଲେ ॥
ଧାତାର ବଚନେ ନ ପୀଡ଼ିବ ତୋର ରାଶି । କୋପ ଶାନ୍ତି କରି ନାରାଚ ତୁ ସଂହରସି ॥
ଏତେ କହି ଦେବଗଣେ ପୁଷ୍ପବୃଷ୍ଟି କଲେ । ଶାନ୍ତି ଭଜି ବେନିଲୋକେ ଯେଝାପୁରେ ଗଲେ ॥
ସେହି ଦିନୁ ଶନିର ରୋହିଣୀ ଭେଦ ନାହିଁ । ଯାବତକାଳକୁ କଥା ଶାସ୍ତ୍ରେ ଅଛି ରହି ॥
ଶୁଣ ଶଶିମୁଖି ଗୋ କହନ୍ତି ତ୍ରିପୁରାରି । ରବିତଳେ ନାହିଁ ଦଶରଥକୁ କେ ସରି ॥
ପ୍ରତିଜ୍ଞାବନ୍ତ ରାଜା ସେ ସର୍ବଗୁଣେ ପୂର୍ଣ୍ଣ । ସ୍ୱର୍ଗେ ପ୍ରଶଂସା କରନ୍ତି ତାକୁ ମଘବାନ ॥
ମଞ୍ଚେ ରାଜା ଯେତେ ସେ ସକଳ ସାଧ୍ୟ କଲା । ବୁଦ୍ଧିବଳ ପରାକ୍ରମେ ଶନିକି ଜିଣିଲା ॥
ଏଥୁ ଅନନ୍ତରେ ସେ ଅଯୋଧ୍ୟା ନୃପମଣି । ସଭାକରି ମୁଖେ ବିଷ୍ଣଶାସ୍ତ୍ର ବସି ଶୁଣି ॥
ମନ୍ତ୍ରୀ ଅମାତ୍ୟମାନଙ୍କୁ ଘେନି ନୃପମଣି । ବଶିଷ୍ଠଙ୍କୁ ଚାହିଁଣ ବୋଲଇ ମୃଦୁବାଣୀ ॥
ଭୋ ମହାମୁନି ମୁହିଁ ଯେ ପଚାରଇ ତୋତେ । ଅନୁଗ୍ରହ ବଚନେ ତୁ ଆଜ୍ଞାଦିଅ ମୋତେ ॥
ସୂର୍ଯ୍ୟବଂଶ ଆମ୍ଭର ଧାର୍ମିକ ସତ୍ୟବାଦୀ । ତ୍ରୈଲୋକ୍ୟମଧ୍ୟରେ ଆମ୍ଭ ମହିମା ପ୍ରସିଦ୍ଧି ॥
ଇଚ୍ଛାକୁରୁ ମାନଧାତା ହରିଶ୍ଚନ୍ଦ୍ର ରାୟେ । ଦିଲୀପ ଯେ ଭଗୀରଥ ରଘୁନୃପ ଯାଏ ॥
ଅଜ ଋତୁପର୍ଣ୍ଣ ଯେ ସଗର ମହାରାଜା । ଏକୁଏକ ସାମରଥ ପାଳନ୍ତିତ ପ୍ରଜା ॥
ଧାର୍ମିକ ଶୂରବୀର ଆଚାର୍ଯ୍ୟ ମଧ୍ୟେ ଗଣି । ଏହାଙ୍କର କୀର୍ତ୍ତିମାନ ପୁରାଣେ କାହାଣୀ ॥
ପୁତ୍ରର ସମାନ କରି ପାଳନ୍ତି ପରଜା । ଅନେକ ଯାଗ ଯଜ୍ଞ ସେ କରିଛନ୍ତି ରାଜା ॥
ଏମାନଙ୍କ ରାଜ୍ୟକାଳେ ନାହିଁ ଅନାବୃଷ୍ଟି । ଶସ୍ୟ ସଂପୂର୍ଣ୍ଣ ଚଳାନ୍ତି ଏହୁ ନବସୃଷ୍ଟି ॥
ତାହାଙ୍କର କୁଳେ ମୁଁ ଯେ ହୋଇଲଇଁ ଜାତ । ମୋହର ଜାଣନ୍ତେ ମୁହିଁ ନ କରେ ଦୁଷ୍କୁତ ॥
ନହୁଶତ ବରଷ ହୋଇଲା ମୋତେ ଆସି । ବୃଦ୍ଧ ସମୟରେ ମୋର ହେଲା ତପଧ୍ୱଂସି ॥
ପୁତ୍ର ଅର୍ଥେ ବିଭା ହେଲି ରାଜାର ଦୁଲଣୀ । ସାତଶ ପଞ୍ଚାଶ କନ୍ୟା ତିନି ପାଟରାଣୀ ॥
ତେବେହେଁ ନୋହିଲା ମୋର କାଳେ ପୁତ୍ର ଜାତ । ମୋହରଠାବରୁ ବଂଶ ସରେ ତପୋବନ୍ତ ॥
କି ବୁଦ୍ଧି କରିବଇଁ ଉପାୟ ମୋତେ କହ । ପୁତ୍ରହୀନେ ବ୍ୟାକୁଳ ଯେ ହେଉଛି ମୋ ଦେହ ॥
ଅର୍ଥ ସମ୍ପଦ ମୁନି ହେ ସକଳ ଐଶ୍ୱର୍ଯ୍ୟ । ସକଳ ବିଅର୍ଥ ମୋର ଏଥିରେ କି କାର୍ଯ୍ୟ ॥
ପୁତ୍ରର ବିହୁନେ ଘରେ କେବେ ସୁଖ ନାହିଁ । ଅପୁତ୍ରିକଲୋକଙ୍କର ସ୍ୱର୍ଗେ ଠାବ ନାହିଁ ॥
ପୁତ୍ରର ବିହୁନେ ଗୃହ ନୋହିଲା କାରଣ । ପୁତ୍ର ସେ ଅଟଇ ନିଜ କୁଳ ଉଦ୍ଧାରଣ ॥
ଅପୁତ୍ରିକଲୋକଙ୍କର ମୁଖହିଁ ନ ଚାହିଁ । ଅପୁତ୍ରିକ ଘରେ ଗଲେ ଅନ୍ନହିଁ ନ ପାଇ ॥
ଅପୁତ୍ରିକ ସଙ୍ଗତରେ ନାହିଁ ସଦଗୋଷ୍ଠୀ । ଅପୁତ୍ରିକ ବାପୁଡ଼ା ଯେ ଅଟେ ବଡକଷ୍ଠୀ ॥
ଅପୁତ୍ରିକ ହୋଇଲେ ସେ ଅର୍ଥେ ନାହିଁ କାର୍ଯ୍ୟ । ପରକୁଇଁ ଧନଦ୍ରବ୍ୟ ଅଟଇ ଗ୍ରାହିଯ୍ୟ ॥
ଅନେକ ଯତନେ ସେ ଅରଜିଥାନ୍ତି ବିତ୍ତ । ପୁତ୍ରହିଁ ନ ଥିଲେ ସର୍ବ ହୁଏ ଅପ୍ରାପତ ॥
ପରବିତ୍ତ ଧ୍ୱଂସିଲେ କେବଣ ଗୁଣ ଅଛି । ପୁତ୍ର ଯେ ନ ଥିଲା ଲୋକ ନ ଯୋଗାଏ କିଛି ॥
ସକଳ ଧର୍ମ କର୍ମର ପୁତ୍ରହିଁ ସେ ମୂଳ । ପୁତ୍ରଥିଲା ପ୍ରାଣିଙ୍କର ବର୍ଦ୍ଧମାନ କୁଳ ॥
ମୁହିଁ ପୁଣି ମହାରାଜା ପୁତ୍ର ମୋର ନାହିଁ । କାହାକୁଇଁ ମୋରଅନ୍ତେ ରାଜ୍ୟ ସମର୍ପଇଁ ॥
କରିବଇଁ ବନବାସ ପିନ୍ଧିବଇଁ କଷା । ପୁତ୍ରବିନୁ ଆବର କି ଜୀବନର ଆଶା ॥
ଗଦଗଦ ବଚନେ ନୃପତିଶିରୋମଣି । ବଶିଷ୍ଠଙ୍କ ମୁଖଚାହିଁ ବୋଲେ ପୁଣପୁଣି ॥
ଋଷ୍ୟଶୃଙ୍ଗ ନିକଟକୁ ଜରତାର ଯାତ୍ରା
[ସମ୍ପାଦନା] ଲୋମପାଦ ବୋଇଲା ଯେ ଶୁଣ ରେ ତରୁଣୀ । ତୁ ଯେବେ ପାରିବୁ ଏବେ ଋଷ୍ୟଶୃଙ୍ଗ ଆଣି ॥
ରାଜ୍ୟ ରଖିବୁ ତୋହରେ ହୋଇବ କାରେଣୀ । ଧନ ରତନଭଣ୍ତାର ବିଧ୍ୱଂସିବୁ ପୁଣି ॥
ଏତେ କହି ଭଣ୍ତାରରୁ ଆଣି ରତ୍ନମାଳ । ହରଷେ ଜରତ୍କୁଶାକୁ ମଣ୍ତିଲା ଭୂପାଳ ॥
ଏହ୍ନେ ପ୍ରବୋଧି କହିଲା ତାକୁ ମୃଦୁବାଣୀ । ମୋହର ରାଜ୍ୟକୁ ତୁହି ରଖ ରେ ତରୁଣୀ ॥
ଜରତ୍କୁଶା ବୋଇଲାକ ଯୋଡି ବେନିକର । ଶୁଣସି ହୋ ମହାରାଜା ମୋହର ଉତ୍ତର ॥
ଏ ତୋହର ଆଜ୍ଞାକୁ ମୁଁ ଶିରେ ଧରି କରି । ସେ ମହାଋଷିକି ଆଣିମଇଁ ଏହି ପୁରୀ ॥
କଥାଏ କହିବାକୁ ଯେ କରଇ ମୁଁ ଭୟ । ସାବଧାନ ହୋଇ ତୁମ୍ଭେ ଶୁଣ ମହାରାୟ ॥
ଏ ତୋହର କଟକରେ ସର୍ବଜନ ସୁଖୀ । ଏକା ମୁହିଁ ତୋ ରାଜ୍ୟରେ ଅଟେ ବଡ଼ଦୁଃଖୀ ॥
ବନଗିରି କନ୍ଦର ଯେ ଖାଲ ଖଣା ବାଟ । ପାଦେ ଗମନ କଲେ ପାଇବି ବଡ଼ କଷ୍ଟ ॥
ନାବ ସଜାଇଣ ମୋତେ ଦେସି ନୃପବର । ତହିଁରେ ପୂରୋଇ ଥିବ ସମସ୍ତ ସମ୍ଭାର ॥
ବିବିଧ ପକ୍ୱଫଳ ଯେ ଉପହାରମାନ । ନାନା ପୁଷ୍ପ ଦ୍ରବ୍ୟ ଆଉ ସୁଗନ୍ଧଚନ୍ଦନ ॥
ମୋହର ସଙ୍ଗରେ ସଖୀ ସଖାଗଣ ଘେନି । ଅପ୍ରମାଦେ ଆଣିଦେବି ଋଷ୍ୟଶୃଙ୍ଗ ମୁନି ॥
ଲୋମପାଦ ହରଷ ହୋଇଲା ତାହା ଶୁଣି । ନାବମାନ ଭିଆଣ କଲାକ ନୃପମଣି ॥
ନାବର ଭିତରେ ନେଇ ପକାଇଲା ମାଟି । ଫଳ ପୁଷ୍ପମାନ ଯେ ନୂତନ ହୋଇ ଫୁଟି ॥
ଆମ୍ଭ ପଣସ ଆବର ଗୁଆ ନାରିକେଳ । କଦଳୀ ଜମ୍ଭୀର କରମଙ୍ଗା ନାନାଫଳ ॥
ବେଲ ଯେ ବକୁଳ ଆଉ ତାଳ ଯେ ତିନ୍ତୁଳି । ଜାଇଫଳ ଦାରାକ୍ଷ କପିଥ ଚାରକୋଳି ॥
ଲବଙ୍ଗ ମରୀଚ ଖର୍ଜରୀ ଯେ କେନ୍ଦୁଫଳ । ସୁସ୍ୱାଦ ଅମୃତରସମାନ ନାନାଫଳ ॥
ଚମ୍ପା ନାଗେଶ୍ୱରହିଁ ବକୁଳ ଛୁରିଅନା। ଜାଈ ଯୂଈଫୁଲ ମଲ୍ଲୀ ମାଳତୀ ଦୟଣା ॥
କଞ୍ଚନ ଯେ କନିଅର କେତକୀ ମନ୍ଦାର । ନାନାଜାତି କୁସୁମ ସୁବାସ ଗନ୍ଧସାର ॥
ମରୀଚ ଅଳାଇଚ ପିପ୍ପଳୀ ପାନଲତା । ପ୍ରତ୍ୟକ୍ଷେ ସେ ବନକୁ କି ରଚିଲା ବିଧାତା ॥
ଋଷିଙ୍କର ମଢ଼ିଆ କି ଜାଣି ପର୍ଣ୍ଣକୁଟୀ । ନାବମଧ୍ୟେ ରଚିଲେ ଅପୂର୍ବ ପୁରଗୋଟି ॥
ବାହିବା ପଞ୍ଚନାବ ଖଞ୍ଜିଲେ ଏକଠାବ । ଚାରିଡଙ୍ଗାରେ ଭରିଲେ କୈବର୍ତ୍ତ ଯେ ଦ୍ରବ୍ୟ ॥
ଏମନ୍ତେ ଯେ କୋଟିଏକ ନାବ ସଜ କଲେ । ନାବଙ୍କର ଭିତରେ ଯେ ପଲଙ୍କ ପାତିଲେ ॥
ଦେବତାଙ୍କ ଠାବରେ ରଚିଲେ ଖଟ ବୋଲି । ଉପରେ ଟାଣିଲେ ଚନ୍ଦ୍ରାତପ ଯତ୍ନ କରି ॥