ଜାତି, ଜାଗୃତି ଓ ପ୍ରଗତି/ଆଉ କେତେିନ ଭୋକିଲା ରହିବା ?

ଉଇକିପାଠାଗାର ରୁ
Jump to navigation Jump to search
ଜାତି, ଜାଗୃତି ଓ ପ୍ରଗତି (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ଆଉ କେତେିନ ଭୋକିଲା ରହିବା ?

୯୨ / ଜାତି, ଜାଗୃତି ଓ ପ୍ରଗତି



ଆଉ କେତେଦିନ ଭୋକିଲା ରହିବା

ସମଗ୍ର ବିଶ୍ୱରେ ଓଡ଼ିଶା ଆଜି ଦୁଇଟି ଘଟଣାକୁ ନେଇ ଚର୍ଚ୍ଚିତ । ଗୋଟିଏ ଭୋକ, ଅନ୍ୟଟି ଦଙ୍ଗା । ଭୋକ ଏ ମାଟିକୁ ଆସିଛି ଦେଢ଼ଶହ ବର୍ଷ ତଳୁ, ୧୮୬୬ ନଅଙ୍କ ଦୂର୍ଭିକ୍ଷଦ୍ୱାରା । ଆଉ ଦଙ୍ଗା ଆସିଛି ମାତ୍ର ପଚିଶ ବର୍ଷ ତଳୁ, ସ୍ୱାର୍ଥପର ବ୍ୟବସାୟୀ ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କ୍ୱାରା । ତେବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଓ ଭାରତ ସ୍ୱାଧୀନତାପ୍ରାପ୍ତି ପରେ ଏହି ଭୋକର ସୀମା ସଂକୁଚିତ ହୋଇ ବର୍ତ୍ତର୍ମାନ ଘନ ଜଙ୍ଗଲ ଘେରା ଅବିଭକ୍ତ କୋରାପୁଟ, ବଲାଙ୍ଗୀର ଓ କଳାହାଣ୍ଡି ବା କେବିକେ ଜିଲ୍ଲା ମଧ୍ୟରେ ସୀମିତ ହୋଇଥିବା ବେଳେ, ଦୂର୍ଭାଗ୍ୟବଶତଃ ଦଙ୍ଗା ଘଟଣା ମଧ୍ୟ ସେହି ଅଞ୍ଚଳରୁ ସୃଷ୍ଟି ହୋଇଛି । ଆଉ ଏହି ଦଙ୍ଗା ମଧ୍ୟ ଭୋକକୁ ନେଇ । ଅର୍ଥାତ୍ ‘ବୁଭୁକ୍ଷୁଂ କିମ୍ ନ କରୋତି ପାପଂ’-ନ୍ୟାୟରେ ଏହି ତିନୋଟି ଜିଲ୍ଲାର ସରଳ, ନିରୀହ ଅଥଚ ଏକବାଗିଆ ଅଧିବାସୀଗଣଙ୍କୁ ଶାଗୁଣା ପରି ଝୁଣି ଖାଇବାରେ ବ୍ୟସ୍ତ ଥିବା ତେଲୁଗୁ କୁମୁଟି, ମାରୱାଡି ଓ ଉପକୂଳ ଓଡ଼ିଶାରୁ ଯାଇଥିବା କେତେକ ଗୋତ୍ରମାରୁ ଓଡ଼ିଆଙ୍କ କୁଚକ୍ରାନ୍ତ ଯୋଗୁଁ ନିଜର ତଥା ନିଜ ପରିବାରର ପେଟଜ୍ୱାଳାକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ସେମାନଙ୍କ କଥାରେ ପରିଚାଳିତ ହୋଇ ଏମାନେ ନିଜନିଜ ଭିତରେ ହଣାକଟା ହେଉଛନ୍ତି । ଯାହାକୁ ସାଧାରଣ ଲୋକଙ୍କ ଦୃଷ୍ଟିରେ କନ୍ଧ-ପାଣ ଲଢ଼େଇ, ଧାର୍ମିକ ଠିକାଦାରଙ୍କ ଦୃଷ୍ଟିରେ ହିନ୍ଦୁ-ଖ୍ରୀଷ୍ଟିୟାନ ଦଙ୍ଗା, ସୁଯୋଗ ଉଣ୍ଡୁଥିବା ସାମ୍ୟବାଦୀଙ୍କ ଦୃଷ୍ଟିରେ ଧନୀ-ଗରୀବର ଦ୍ୱନ୍ଦ ବୋଲି କୁହାଯାଉଛି । ଏପରିକି ଏହି ଭୋକ ଦାଉରୁ ହାତଗଣତି କେତେକ ଲୋକଙ୍କୁ ପେଟପୁରା ମୁଠେ ଖାଇବାର ବନ୍ଦବୋସ୍ତ ନ କରି ଆମ ପ୍ରଧାନମନ୍ତ୍ରୀ ଏହାକୁ ଜାତୀୟ ଲଜ୍ଜା ବୋଲି ଘୋଷଣା କରିବାକୁ ପଛେଇଲେ ନାହିଁ । ଯଦି ମୁମ୍ବାଇ ବୋମା ବିସ୍ଫୋରଣ ଘଟି ନ ଥା’ନ୍ତା, ତେବେ ଆନ୍ତର୍ଜାତୀୟ ପ୍ରେକ୍ଷାପଟରୁ କନ୍ଧମାଳରେ ନିଆଁ ଲିଭି ନ ଥା’ନ୍ତା ।

ଜାତି, ଜାଗୃତି ଓ ପ୍ରଗତି / ୯୩

ଏଠାରେ କହିବାର କଥା ହେଲା, କନ୍ଧମାଳର ଜାତିଗତ ଦଙ୍ଗାକୁ ନେଇ ଯେତେ ଚର୍ଚ୍ଚା ଦୀର୍ଘଦିନ ଧରି ଚାଲିଥିଲା ତଥା ଏବେ ମଧ୍ୟ ଚାଲିଛି, କନ୍ଧମାଳର ଅଧିବାସୀଙ୍କ ଭୋକକୁ ନେଇ ଯାହା ଗତ ଅକ୍ଟୋବର ମାସ ଶେଷ ସପ୍ତାହରେ ଜାତିସଂଘ ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମ ଓ ନୂଆଦିଲ୍ଲୀସ୍ଥିତ ମାନବ ବିକାଶ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ସେ ସଂପର୍କରେ କେହି ଜଣେ ହେଲେ ପଦେ ପାଟି ଫିଟାଇନାହାନ୍ତି । ଅର୍ଥାତ୍ ଜାତିକୁ ନେଇ ସମସ୍ତେ ଚିନ୍ତିତ ଅଥଚ ଭୋକରେ ଡହଳବିକଳ ହେଉଥିବା ମଣିଷପାଇଁ କେହି ପଦେ ଆହା କହିବାକୁ ଆଗ୍ରହୀ ନୁହନ୍ତି ।

ଜାତିସଂଘର ସଦ୍ୟ ପ୍ରସ୍ତୁତ ରିପୋର୍ଟ ଅନୁସାରେ ବିଶ୍ୱର ଖାଦ୍ୟାଭାବ ଅଞ୍ଚଳ ବା ଭୋକର ଭୂଗୋଳ ଭାବରେ ଓଡ଼ିଶାର ୪ଟି ଜିଲ୍ଲା- ମାଲକାନଗିରି, ଗଜପତି, ରାୟଗଡ଼ା ଓ କନ୍ଧମାଳକୁ ଚିହ୍ନିତ କରାଯାଇଛି । ଖାଦ୍ୟ ଉପଲବ୍ଧି ଦୃଷ୍ଟିରୁ କନ୍ଧମାଳ ଜିଲ୍ଲା ସବୁଠାରୁ ପଛରେ । ଏଠାରେ ଶସ୍ୟକ୍ଷେତ୍ର କମ୍ ଥିବାବେଳେ ମାତ୍ର ୧୩.୫% କୃଷି ଜମି ଜଳସେଚିତ । ଏହି ଜିଲ୍ଲାର ମୁଣ୍ଡପିଛା ବାର୍ଷିକ ଶସ୍ୟ ଉତ୍ପାଦନ ୯୦୦ଟଙ୍କାରୁ କମ୍ । ଓଡ଼ିଶାରେ ୫ବର୍ଷରୁ କମ୍ ଶିଶୁମୃତ୍ୟୁ ପ୍ରତି ୧୦୦ରେ ୯ ଜଣ ବା ପ୍ରତି ୧୧ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରୁଥିବା ବେଳେ ଏହି ୪ଟି ଜିଲ୍ଲାରେ ଶିଶୁମୃତ୍ୟୁହାର ୧୦୦ରୁ ୧୬ ଜଣ ଅର୍ଥାତ୍ ପ୍ରତି ୬ ଜଣରେ ଜଣେ ଶିଶୁ ମରୁଛନ୍ତି । ଯେଉଁ ଶିଶୁଗଣ ବର୍ତ୍ତି ଯାଉଛନ୍ତି ସେମାନେ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଉ ନ ଥିବାରୁ ଏମାନେ ଅଳ୍ପ ଓଜନ ବିଶିଷ୍ଟ ଓ ଭୟଙ୍କର ରୋଗରେ ପୀଡ଼ିତ । ଏହିସବୁ ଜିଲ୍ଲାମାନଙ୍କରେ ମୁଣ୍ଡପିଛା ମାସିକ ଖର୍ଚ୍ଚ ୨୫୦ ଟଙ୍କାରୁ କମ୍ । ଶ୍ରମିକମାନେ ଏଠାରେ ୩୦ ଟଙ୍କାରୁ ମଧ୍ୟ କମ୍ ମଜୁରି ପାଇଥାନ୍ତି । ତଥାପି ଏମାନେ ଦାଦନ ଖଟିବାକୁ ବାଧ୍ୟ ହୁଅନ୍ତି । ଏହି ଜିଲ୍ଲାଗୁଡ଼ିକରେ ୨୦% ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିଥାଏ । ପରେ ଉତ୍କଟ ଖାଦ୍ୟାଭାବ ସହିତ ପାନୀୟ ଜଳର ବ୍ୟାପକ ଅଭାବ ଏବଂ ଚିକିତ୍ସାର ଅଭାବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି ପାଉଥିବା ବେଳେ ପୂର୍ବରୁ ଅତିକ୍ଷୁଧା ଅଞ୍ଚଳ ଭାବରେ ଚିହ୍ନିତ କୋରାପୁଟ-ବଲାଙ୍ଗୀର-କଳାହାଣ୍ଡି ସହିତ ଏଥର ଦୁଇଟି ନୂଆଜିଲ୍ଲା- ଗଜପତି ଓ କନ୍ଧମାଳକୁ ଯୋଗ କରାଯାଇଛି । ଅର୍ଥାତ୍ ଓଡ଼ିଶାର ପ୍ରଗତି ହୋଇଛି ବୋଲି ବାହାରକୁ ଜଣାପଡୁଥିବା ବେଳେ ଏହାର ସୁଫଳ ଯେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚି ପାରୁନାହିଁ, ତାହା ‘ଭୋକର ଭୁଗୋଳ’ ପରିସୀମା ବୃଦ୍ଧିରୁ ଜଣାପଡ଼େ । ଏହି ୪ଟି ଜିଲ୍ଲା ସହିତ ଅନ୍ୟ ୧୪ଟି ଜିଲ୍ଲା-ନୂଆପଡ଼ା, କୋରାପୁଟ, କଳାହାଣ୍ଡି, ବୌଦ୍ଧ, ନବରଙ୍ଗପୁର, ଗଞ୍ଜାମ, ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ସୋନପୁର,


୯୪ / ଜାତି, ଜାଗୃତି ଓ ପ୍ରଗତି
ବରଗଡ଼, ସମ୍ବଲପୁର, ବଲାଙ୍ଗୀରର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିବାରୁ ଏଠାରେ ଅଗ୍ରାଧିକାର ଭିତ୍ତିରେ ଯଦି ପ୍ରଶାସନିକ ହସ୍ତକ୍ଷେପ କରା ନ ଯାଏ, ପରବର୍ତ୍ତୀକାଳରେ ଓଡ଼ିଶାରେ କ୍ଷୁଧିତଙ୍କ ସଂଖ୍ୟା ଓ ଅଞ୍ଚଳର ପରିସୀମା ନିଶ୍ଚିତ ଭାବରେ ବୃଦ୍ଧି ପାଇବ ବୋଲି ଉକ୍ତ ସଂସ୍ଥା ପକ୍ଷରୁ ସତର୍କ କରିିଆଯାଇଛି ।

କେବଳ ସେତିକି ନୁହେଁ, ଏହି ସମସ୍ୟା ସମଗ୍ର ଭାରତବର୍ଷରେ ବ୍ୟାପକ ରୂପ ଧାରଣ କରିସାରିଲାଣି । ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (ଆଇ.ଏଫ୍.ପି.ଆର.ଆଇ) ଦ୍ୱାରା ବିଶ୍ୱ ଖାଦ୍ୟ ଦିବସ (ଅକ୍ଟୋବର ୧୬) ଅବସରରେ ପ୍ରକାଶିତ କ୍ଷୁଧା ତାଲିକା ଅନୁସାରେ ବିଶ୍ୱର ୮୮ଟି କ୍ଷୁଧିତ ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ହେଉଛି ୬୬ । ବିଶ୍ୱର ଅନେକ ଅନାମଧ୍ୟେୟ ଓ ଦରିଦ୍ର ଦେଶ ଏ କ୍ଷେତ୍ରରେ ଭାରତଠାରୁ ବହୁ ଉପରେ ରହିଛନ୍ତି । କୃଷି ଉତ୍ପାଦନରେ ଭାରତର ଏକ ନମ୍ବର ରାଜ୍ୟ ପଞ୍ଜାବର କ୍ଷୁଧାସ୍ତର ଭିଏତନାମ ଓ ହଣ୍ଡୁରାସ ଭଳି ଅନଗ୍ରସର ରାଷ୍ଟ୍ରଠାରୁ ତଳେ ରହିଛି । ଭାରତୀୟ ରାଜ୍ୟ ସମୂହଙ୍କର କ୍ଷୁଧା ତାଲିକାରେ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ଗୁଜୁରାଟ ଓ ମହାରାଷ୍ଟ୍ର ପ୍ରଥମରୁ କ୍ରମାନ୍ୱୟରେ ସ୍ଥାନ ପାଇଥିବାବେଳେ, ଓଡ଼ିଶା ସପ୍ତମରେ ରହିଛି । ମଧ୍ୟପ୍ରଦେଶର କ୍ଷୁଧାସ୍ତର ୩୦ ଥିବାବେଳେ ଓଡ଼ିଶାରେ ଏହା ୨୩.୭ । ସେହିଭଳି କମ୍ କ୍ଷୁଧିତ ତାଲିକାରେ ପଞ୍ଜାବ (୧୩.୬) ପ୍ରଥମ ସ୍ଥାନରେ ଥିବାବେଳେ କେରଳ, ହରିୟାଣା, ଆସାମ, ଆନ୍ଧ୍ର, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ କ୍ରମାନ୍ୱୟରେ ଅଛନ୍ତି । ଖାଦ୍ୟ ଉତ୍ପାଦନ ଓ ଭୋଜନ ସୂଚୀ (ଜାତୀୟ) ଅନୁସାରେ ଭାରତର ପ୍ରଦର୍ଶନ ଭିନ୍ନ । ବିଭିନ୍ନ ରାଜ୍ୟରେ ଖାଦ୍ୟ ଉତ୍ପାଦନ ହାର ସମାନ ନ ଥିଲେ ମଧ୍ୟ ଅଧିକାଂଶ ପ୍ରଦେଶ ଖାଦ୍ୟଶସ୍ୟରେ ଆତ୍ମନିର୍ଭରଶୀଳ । ଦେଶ ମଧ୍ୟ ଗତବର୍ଷ ପର୍ଯ୍ୟନ୍ତ ଏ କ୍ଷେତ୍ରରେ ଏକପ୍ରକାର ଆତ୍ମନିର୍ଭରଶୀଳ ଥିଲା । ତେବେ ବଜାରରେ ଖାଦ୍ୟଶସ୍ୟ ମିଳିଲେ ଯେ ସବୁଲୋକଙ୍କ ପେଟ ପୂରିବ, ଏହାର କୌଣସି ନିଶ୍ଚିନ୍ତତା ନାହିଁ । ଲୋକଙ୍କର କ୍ରୟଶକ୍ତି ଉପରେ ସବୁକିଛି ନିର୍ଭର କରୁଛି । ତେଣୁ ଯାହାର ରୋଜଗାର ନାହିଁ ସେ ଭୋକରେ ରହିବ । ଅବଶ୍ୟ ଓଡ଼ିଶା ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଦୁଇଟଙ୍କିଆ ଚାଉଳ ଯୋଗାଇ ଦେଉଛନ୍ତି । ଏହା ସତ୍ତ୍ୱେ କ୍ଷୁଧା ବୃଦ୍ଧି ଏହି ରାଜ୍ୟର ପ୍ରକୃତ ସ୍ଥିତିକୁ ସୂଚାଇ ଦେଇଛି ।

ଆଇ.ଏଫ୍.ପି.ଆର୍.ଆଇ ପକ୍ଷରୁ ଶିଶୁଙ୍କ ଓଜନ, ଶିଶୁ ମୃତ୍ୟୁହାର ଓ ସେମାନଙ୍କ ଖାଦ୍ୟ କ୍ୟାଲୋରୀ ଗ୍ରହଣକୁ ନେଇ ପ୍ରସ୍ତୁତ ହୋଇଛି । ଯେଉଁ ରାଜ୍ୟରେ ଶିଶୁ ମୃତ୍ୟୁହାର ଅଧିକ, ଯେଉଁଠି ଶିଶୁମାନେ ସ୍ୱାଭାବିକ ଓଜନଠାରୁ କମ୍ ଏବଂ ଯେଉଁ ପରିମାଣର

ଜାତି, ଜାଗୃତି ଓ ପ୍ରଗତି / ୯୫
କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା କଥା, ତା’ଠାରୁ କମ୍ ଖାଉଛନ୍ତି ସେଠାକାର କ୍ଷୁଧା ତାଲିକା ସେତେ ଖରାପ । ତେବେ କ୍ଷୁଧା ତାଲିକାରେ ଦରିଦ୍ର ଓ ଅନଗ୍ରସର ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଭଳି କେତେକ ରାଜ୍ୟ ଉପରେ ରହିଥିଲେ କାହାରି ସନ୍ଦେହ ହୋଇ ନ ଥାନ୍ତା । ବିଡ଼ମ୍ବନା ହେଉଛି ସମୃଦ୍ଧ ଗୁଜରାଟ ଓ ମହାରାଷ୍ଟ୍ରଠାରୁ ଏସବୁ ରାଜ୍ୟ ଉପରେ ଅଛନ୍ତି । କ୍ଷୁଧାଭାବର ଯେଉଁ ବର୍ଗୀକରଣ ହୋଇଛି, ସେଥିରେ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶ ଆଦି ୧୨ଟି ରାଜ୍ୟ ବିପଜ୍ଜନକ ବର୍ଗରେ ରହିଥିବା ବେଳେ ପଞ୍ଜାବ, କେରଳ, ହରିୟାଣା ଓ ଆସାମ ଗୁରୁତର ବର୍ଗରେ ଅଛନ୍ତି । କେବଳ ମଧ୍ୟପ୍ରଦେଶକୁ ଅତି ଉଦ‌ବେଗଜନକ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଦେଖିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଦ୍ୱାରା ଦୀର୍ଘକାଳ ଧରି ଚାଲୁଥିବା ମହିଳା ଓ ଶିଶୁକଲ୍ୟାଣ ତଥା ଅନ୍ୟାନ୍ୟ ମଙ୍ଗଳକାରୀ କାର୍ଯ୍ୟକ୍ରମର ସଫଳତା ଘେନି ସଂଶୟ ସୃଷ୍ଟି ହେଲାଣି । ଏହି ରିପୋର୍ଟ ଅନୁସାରେ ଭାରତରେ କ୍ଷୁଧା, ଶିଶୁ ମୃତ୍ୟୁହାର ଓ ଅପୁଷ୍ଟି ଆଫ୍ରିକାର ସାହାରା ମରୁଭୂମି ସଂଲଗ୍ନ ଅନଗ୍ରସର ରାଷ୍ଟ୍ରଙ୍କଠାରୁ ଅଧିକ । ଏହା ଆମ ସମୃଦ୍ଧ ଭାରତର ଛବିକୁ ଉପହାସ କରି ଆମ ଦେଶର ଯୋଜନାକାର ଓ ନୀତି ନିର୍ଦ୍ଧାରକଙ୍କପାଇଁ ଏହା ଉପରେ ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି ।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶାରେ ଯେଉଁ ଭୋକିଲାଙ୍କ ସଂଖ୍ୟା ବୃଦ୍ଧି ପାଉଛି, ତାହା କେତେକ ଶୋଷକ ବର୍ଗଙ୍କ ଚକ୍ରାନ୍ତ ଯୋଗୁଁ । କୃତ୍ରିମ କର୍ମନିଯୁକ୍ତିର ଅଭାବ ସୃଷ୍ଟି କିମ୍ବା ସରଳ ଅଥଚ ଗରିବ ଗ୍ରାମୀଣ ଆଦିବାସୀ ଓ ଦଳିତବର୍ଗଙ୍କୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ପ୍ରଥା, ପରମ୍ପରା ଓ ଅନ୍ଧବିଶ୍ୱାସ ମଧ୍ୟରେ ଛନ୍ଦି ଦେଇ, ଆର୍ଥିକ ଶୋଷଣର ବାଟ ମୁକୁଳା କରି ସେମାନଙ୍କୁ ସର୍ବସ୍ୱାନ୍ତ କରିଦେଇଛନ୍ତି । ପରେ ଜାତିର ଦ୍ୱାହିଦେଇ ସେହି ଗରିବ-ଗରିବ ମଧ୍ୟରେ ଲଢ଼େଇ କରି ସମୁଳେ ଧ୍ୱଂସ କରିବା ପରେ ସେମାନଙ୍କ ଜମିବାଡିକୁ ସହଜରେ ଦଖଲ କରିବାର କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ଶିକ୍ଷାଠାରୁ ଦୂରରେ ଥିବା ଏହି ସାଧାରଣବର୍ଗ ପେଟପାଇଁ ଖାଦ୍ୟ ଯୋଗାଡ଼ରେ ବ୍ୟସ୍ତ ଥିବାବେଳେ, ଏସବୁ ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସମସ୍ତ ଅନୁକୂଳ ସୁବିଧା ଥିଲେ ମଧ୍ୟ ଦାରିଦ୍ର୍ୟ ଆଉ କ୍ଷୁଧା ବୃଦ୍ଧି ପାଉଛି ।

ତେଣୁ ଏବେଠାରୁ ଯଦି ଆମେ ସଚେତନ ନ ରହିବା, କନ୍ଧମାଳପରି ଦଙ୍ଗା ଯେ ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ, ତାହା କିଏ କହିବ!

***