ଜାତି, ଜାଗୃତି ଓ ପ୍ରଗତି/ଏ ସ୍ୱାଧୀନତା କାହାପାଇଁ... ?

ଉଇକିପାଠାଗାର‌ରୁ
Jump to navigation Jump to search
ଜାତି, ଜାଗୃତି ଓ ପ୍ରଗତି (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ଏ ସ୍ୱାଧୀନତା କାହାପାଇଁ... ?

୧୦୬ / ଜାତି, ଜାଗୃତି ଓ ପ୍ରଗତି

ଏ ସ୍ୱାଧୀନତା କାହାପାଇଁ...?

କୁହାଯାଏ ଭାରତ ହେଉଛି କୃଷିପ୍ରଧାନ ଦେଶ । ବିଶ୍ୱର ଏହି ଏକମାତ୍ର ଉପମହାଦ୍ୱୀପର ଜଳବାୟୁ ଫସଲ ଉତ୍ପାଦନପାଇଁ ଅନୁକୂଳ ଥିବାରୁ ଏଠିକାର ଅଧିବାସୀ କୃଷିକୁ ହିଁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଆସୁଛନ୍ତି । ଫଳରେ କେଉଁ ପ୍ରାଚୀନକାଳର ଭାରତର ସମୃଦ୍ଧ ଅର୍ଥନୀତିରେ କୃଷିର ବଡ଼ ଭାଗ ରହିଛି । ଏପରିକି କୃଷିକୁ ନେଇ ଅତୀତ ଭାରତର ଶିଳ୍ପ ଗଢ଼ି ଉଠିଥଲାବୋଲି ବିଭିନ୍ନ ସ୍ଥାନରୁ ମିଳଥିବା ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଖନନରୁ ଜଣାପଡିଛ । ଏହି କୃଷିକୁ ନେଇ ଆମ ଗ୍ରାମଜୀବନ ଓ ଗ୍ରାମ ସଂସ୍କୃତି ମଧ୍ୟ ସୁଦୃଢ଼ ହୋଇଛି । ସେଇଥିପାଇଁ ମହାତ୍ମାଗାନ୍ଧୀ କହିଥିଲେ-“ଭାରତବର୍ଷ ଗାଁ’ରେ ବଞ୍ଚିଛି ।”

ମାତ୍ର ଇଂରେଜ ଶାସନ କାଳରେ ଇଂରେଜ ବେପାରୀଙ୍କ କୃଷକମାରଣ ନୀତି ତଥା ଶୋଷଣ ଚରମସୀମାରେ ପହଞ୍ଚି ଯାଇଥିବାରୁ ଭାରତବର୍ଷରେ କୃଷିର ଭୂମିକା ଧୀରେ ଧୀରେ କମିବାରେ ଲାଗିଲା । ଏହି ଶୋଷକ ବିଦେଶୀମାନଙ୍କଠାରୁ ମୁକ୍ତ ହେବାପରେ, ଅର୍ଥାତ୍ ଭାରତବର୍ଷ ସ୍ୱାଧୀନତା ହାସଲ କଲାପରେ ପୁଣି ଭାରତର କୃଷି ବ୍ୟବସ୍ଥା ପୂର୍ବସ୍ଥାନ ଫେରିପାଇବ ବୋଲି ତତ୍କାଳୀନ ଜାତୀୟ ନେତୃବୃନ୍ଦଙ୍କଠାରୁ ଆଶା କରାଯାଉଥିଲା । ମାତ୍ର ତାହା ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଆମ ନୀତିନିର୍ଦ୍ଧାରକଗଣଙ୍କ ଖାମଖିଆଲି ମନୋଭାବ, ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ତଥା କୃଷି ଅଧିକାରୀଙ୍କ ଦୂର୍ନୀତିଯୋଗୁଁ ଆମ ଭାରତୀୟକୃଷି ବିକାଶ ପରିବର୍ତ୍ତେ ବିନାଶ ଆଡ଼କୁ ମୁହାଁଇଛି । ସବୁଠାରୁ ଦୁର୍ଭାଗ୍ୟର କଥା ଯେ ଦେଶର ଏକଶହ ଦଶକୋଟି ଜନତାଙ୍କୁ ଖାଦ୍ୟ ଯୋଗାଉଥିବା ଏହି ବୃହତଗୋଷ୍ଠୀ ଚିର ଅବହେଳିତ ହୋଇ ଦାରିଦ୍ର୍ୟରେ କାଳ କାଟୁଥିବାବେଳେ, ଏମାନଙ୍କ ମଧ୍ୟରୁ ଅନେକ ମଣିଷ ଭାବରେ ବଞ୍ଚି ନ ପାରିବା- ଦୁଃଖରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଯାହାର ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି ।


ଜାତି, ଜାଗୃତି ଓ ପ୍ରଗତି / ୧୦୭
ଏଠାରେ ପ୍ରଶ୍ନ ଉଠେ ଯେ, ଇଂରେଜ ଶାସନର ଅତ୍ୟାଚାର ବିରୁଦ୍ଧରେ ସଂଘବଦ୍ଧ ଭାବରେ ସଂଗ୍ରାମ କରି ସ୍ୱାଧୀନତା ହାସଲରେ ମୁଖ୍ୟ ଭୂମିକା ନେଇଥିବା ଆମ ଦେଶର କୃଷକମାନେ, ଯଦି ବିକାଶ ଆଡ଼କୁ ଗତି କରୁଥିବା ଭାରତବର୍ଷରେ ଅଭାବ ଅନଟନ ମଧ୍ୟରେ ଆତ୍ମହତ୍ୟାକୁ ଏକମାତ୍ର ପଥ ଭାବରେ ଗ୍ରହଣ କରିବେ, ତେବେ ଆମେ ସ୍ୱାଧୀନ ହୋଇଛେ ବୋଲି ଯେଉଁ ଗର୍ବ କରୁଛୁ, ତାହା କେଉଁମାନଙ୍କ ପାଇଁ? କ’ଣ ହାତଗଣତି କେତେଜଣ ପୁଞ୍ଜିପତିଙ୍କପାଇଁ ନା ଶାସନ ନାମରେ କେତେକ ଟାଉଟର ନେତା ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କପାଇଁ, ଯେଉଁମାନେ କର ଆକାରରେ ଯାଉଥିବା ଏହି ସାଧାରଣବର୍ଗଙ୍କ ଝାଳବୁହା ଧନକୁ ଲୁଟ୍ କରି ଖାଇବାରେ ଲାଗିଛନ୍ତି । ତେବେ ଏ ସ୍ୱାଧୀନତା କାହାପାଇଁ?

ନିକଟରେ “ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ”ର ୨୦୦୭ ମସିହା ରିପୋର୍ଟ ପ୍ରକାଶିତ ହୋଇଛି । ଏହି ରିପୋର୍ଟ ଅନୁସାରେ ସମଗ୍ର ଦେଶରେ ପ୍ରତିିଦିନ ୪୬ ଜଣ କୃଷକ ଆତ୍ମହତ୍ୟା କରୁଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ସରକାରୀ କଳର ଅପାରଗତାକୁ ପରୋକ୍ଷ ଭାବରେ ସୂଚୀତ କରିବା ସହ, ବର୍ତ୍ତମାନ ଭାରତରେ କୃଷକଗଣ କିପରି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି, ସେକଥା ଏହି ରିପୋର୍ଟ ଜଣାଇ ଦେଉଛି । ରିପୋର୍ଟ ଅନୁସାରେ ଗତ ୨୦୦୭ ମସିହାରେ ମୋଟ୍ ୧୬,୬୩୨ ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ଏଥିମଧ୍ୟରୁ ୨,୩୬୯ଜଣ ମହିଳା କୃଷକ ଅଛନ୍ତି । ଅର୍ଥାତ୍ ଏହି ବର୍ଷ ଆତ୍ମହତ୍ୟା କରିଥିବା ମୋଟ୍ ୧ଲକ୍ଷ ୨୨ ହଜାର ୬୩୭ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୬.୬୩୨ ଜଣ କୃଷକ, ଯାହାକି ମୋଟ ଆତ୍ମହତ୍ୟାର ୧୪.୪ଭାଗ । ପୁଣି କୃଷକମାନଙ୍କଠାରେ ଏହି ଆତ୍ମହତ୍ୟା ପ୍ରବଣତା ଦେଶର ୭ଟି ପ୍ରମୁଖ କୃଷିରାଜ୍ୟ-ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ପଶ୍ଚିମବଙ୍ଗରେ ବୃଦ୍ଧି ପାଉଛି । ଅର୍ଥାତ୍ ଏଠାରେ ଆତ୍ମହତ୍ୟା ସଂଖ୍ୟା ୧୦୦୦ରୁ ଅଧିକ । ତେବେ ଦୁଃଖର ବିଷୟ ଏହି ଯେ, ୨୦୦୬ ମସିହାରେ ୨୧୫ଜଣ କୃଷକ ମହାରାଷ୍ଟ୍ର ରାଜ୍ୟରେ ଆତ୍ମହତ୍ୟା କରିଥିବା ବେଳେ ୨୦୦୭ରେ ୪,୨୩୮ଜଣ କୃଷକ ଏହି ରାଜ୍ୟରେ ଆତ୍ମହତ୍ୟା କରିଛନ୍ତି ।

ଓଡ଼ିଶା ଏ କ୍ଷେତ୍ରରେ ବି ପଛରେ ପଡ଼ିନାହିଁ । ଓଡ଼ିଶାରୁ ୨୦୦୬ ମସିହାରେ ୨୮୩ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ଏଥିମଧ୍ୟରେ ୨୪୧ଜଣ ପୁରୁଷ ଓ ୪୨ଜଣ ମହିଳା ଅନ୍ତର୍ଭୁକ୍ତ । ତେବେ ଗରିବ ଓ ବିଶୃଙ୍ଖଳା ରାଜ୍ୟ ଭାବେ ଚିହ୍ନିତ ଉତ୍ତରପୂର୍ବ ରାଜ୍ୟ ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ତଥା ଗୋଆ ରାଜ୍ୟରେ କୌଣସି କୃଷକ ଆତ୍ମହତ୍ୟା କରିନାହାନ୍ତି ବୋଲି ଉକ୍ତ ରିପୋର୍ଟରୁ ଜଣାପଡିଛି । ସେହିପରି ବିଭିନ୍ନ ସହରରେ


୧୦୮ / ଜାତି, ଜାଗୃତି ଓ ପ୍ରଗତି
ଥିବା ବହୁ କୃଷକ ପରିବାର ମଧ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି । ଏ କ୍ଷେତ୍ରରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରେ ସର୍ବାଧିକ ୩୦ଜଣ ଆତ୍ମହତ୍ୟା କରିଥିବା ବେଳେ, ଚେନ୍ନାଇରେ ୧୭ଜଣ ଓ କାନପୁରରେ ୧୧ଜଣ କୃଷକ ଆତ୍ମହତ୍ୟା କରିଛନ୍ତି ।

ଆତ୍ମହତ୍ୟା କରିଥିବା ଏହି କୃଷକବର୍ଗଙ୍କ ମଧ୍ୟରେ ସବୁଠାରୁ ଦକ୍ଷତା ସମ୍ପନ୍ନ ଓ କାର୍ଯ୍ୟକୁଶଳୀ ଥିବା ୩୦ରୁ ୪୪ବର୍ଷ ମଧ୍ୟରେ ୬ହଜାର ୧୭୪ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ଯେଉଁଥିରେ ୭୦୭ଜଣ ମହିଳା କୃଷକ ଅନ୍ତର୍ଭୁକ୍ତ । ସେହିପରି ବୟସ ଦୃଷ୍ଟିରୁ ୧୪ବର୍ଷରୁ କମ୍ ବୟସର ୯୫ଜଣ, ୧୫ରୁ ୨୯ବର୍ଷ ବୟସର ୪ହଜାର ୬୩ଜଣ, ୩୦ରୁ ୪୪ବର୍ଷ ବୟସର ୬ହଜାର ୧ଶହ ୭୪ଜଣ, ୪୫ରୁ ୫୯ବର୍ଷ ବୟସର ୪ହଜାର ୮୦ଜଣ ତଥା ୬୦ବର୍ଷରୁ ଊଦ୍ଧ୍ୱର୍ ୧ହଜାର ୮ଶହ ୨୦ଜଣ କୃଷକ ଗତ ୨୦୦୭ ମସିହାରେ ଆତ୍ମହତ୍ୟା କରି କୃଷିପ୍ରତି ଆମ ସରକାର ଓ ଜନସାଧାରଣଙ୍କ ଥିବା ହେୟ ଦୃଷ୍ଟିକୋଣକୁ ସିଧାସଳଖ ଲୋକଲୋଚନକୁ ଆଣିଛନ୍ତି ।

“ଭାରତ ନିର୍ମାଣ ଯୋଜନା” ମାଧ୍ୟମରେ କେନ୍ଦ୍ର ସରକାର ୨୦୨୦ ମସିହା ସୁଦ୍ଧା କୃଷି ଓ କୃଷକର ସାମଗ୍ରିକ ବିକାଶପାଇଁ ଯୋଜନା ପ୍ରସ୍ତୁତ କରୁଥିବାବେଳେ, ତଥା ଭାରତରେ ସବୁଜ ବିପ୍ଳବର ସ୍ରଷ୍ଟା ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍.ଏସ୍ ସ୍ୱାମୀନାଥନଙ୍କ କୃଷି ରିପୋର୍ଟ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିବାବେଳେ, କୃଷକମାନଙ୍କର ଏହିଭଳି ଭାବରେ ଆତ୍ମହତ୍ୟା ପ୍ରବଣତା ଆମର କୃଷି ବିକାଶ ଲକ୍ଷ୍ୟକୁ କିଭଳି ପୂରଣ କରିବ, ତାହା ସରକାର ଚିନ୍ତା କରିବା ଆବଶ୍ୟକ ହୋଇପଡିଛି । ନଚେତ୍ ଦେଶର କେତୋଟି ହାତଗଣତି ଶିଳ୍ପପତି ନିଜର କଳାଧନକୁ ଧଳାଧନରେ ପରିଣତ କରିବା ପରେ, ସେମାନଙ୍କ ନାମ ବିଶ୍ୱ ଧନୀ ବ୍ୟକ୍ତି ତାଲିକାରେ ଦେଖି ଭାରତ ଏକ ବିକଶିତ ରାଷ୍ଟ୍ର ପାଲଟିବାକୁ ଯାଉଛି ବୋଲି ଚିନ୍ତା କରିବା କେବଳ ଆତ୍ମଘାତୀ ହିଁ ହେବ ।


***