Jump to content

ଜାତି, ଜାଗୃତି ଓ ପ୍ରଗତି/ଉତ୍ପାଦନ ବଢୁଛି, ତଥାପି କୃଷକ ଆତ୍ମହତ୍ୟା କରୁଛି

ଉଇକିପାଠାଗାର‌ରୁ
ଜାତି, ଜାଗୃତି ଓ ପ୍ରଗତି  (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ଉତ୍ପାଦନ ବଢୁଛି, ତଥାପି କୃଷକ ଆତ୍ମହତ୍ୟା କରୁଛି

୧୦୨ / ଜାତି, ଜାଗୃତି ଓ ପ୍ରଗତି

ଉତ୍ପାଦନ ବଢୁଛି, ତଥାପି କୃଷକ ଆତ୍ମହତ୍ୟା କରୁଛି

ସାରଣୀ-୧

ଓଡ଼ିଶାରେ କୃଷକ ଆତ୍ମହତ୍ୟା
ବର୍ଷ ପରୁଷ ମହିଳା ମୋଟ୍
୧୯୯୮ ୩୫୩ ୬୫ ୪୧୮
୧୯୯୯ ୨୫୯ ୨୬୫
୨୦୦୦ ୧୮୦ ୧୯ ୧୯୯
୨୦୦୧ ୨୦୭ ୪୯ ୨୫୬
୨୦୦୩ ୩୨୪ ୪୧ ୩୬୫
୨୦୦୪ ୨୯୯ ୮୦ ୩୭୯
୨୦୦୫ ୨୦୪ ୫୦ ୨୫୪
୨୦୦୬ ୨୪୧ ୪୨ ୨୮୩
ମୋଟ ୨୦୬୭ ୩୫୨ ୨୪୧୮

(ଉତ୍ସ: ଏନ୍ ସି ଆର୍ ବି, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ନୂଆଦିଲ୍ଲୀ)

ବିଗତ ବର୍ଷରେ କୃଷକ ଆତ୍ମହତ୍ୟା ସର୍ବଭାରତୀୟ ସ୍ତରରେ ମୁଖ୍ୟ ଆଲୋଚନାର ପ୍ରସଙ୍ଗ ପାଲଟି ଯାଇଥିଲା । ଫଳରେ କେନ୍ଦ୍ର ସରକାର ମହାରାଷ୍ଟ୍ର-ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଭଳି ରାଜ୍ୟରେ କୃଷକ ଆତ୍ମହତ୍ୟା କରିଥିବାରୁ ଏହିସବୁ ଚର୍ଚ୍ଚିତ ରାଜ୍ୟକୁ ସହାୟତା ପ୍ୟାକେଜ୍ ନାମରେ ୨୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ପ୍ରଦାନ କରିଥିଲେ । ସେତେବେଳେ ଓଡ଼ିଶାର କୃଷକଙ୍କ ସ୍ଥିତି ସଂପର୍କରେ କେହି ମଧ୍ୟ ଆଲୋଚନା କରି ନ ଥିଲେ । ମାତ୍ର କିଛିି ଦିନ ତଳେ “ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ” ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ନୂଆଦିଲ୍ଲୀ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ତାହା କେବଳ ଆମ ନୀତି ପ୍ରଣୟନକାରୀଙ୍କ ଅପାରଗତାକୁ ଦର୍ଶାଇନାହିଁ, ବରଂ ଏହା ଆମ ଅସହାୟତାକୁ ମଧ୍ୟ ସର୍ବ ସମ୍ମୁଖରେ ଉପସ୍ଥାପିତ କରୁଛି ।

ଏହି ରିପୋର୍ଟ ଅନୁସାରେ ୧୯୯୮ରୁ ୨୦୦୬ ମଧ୍ୟରେ ଓଡ଼ିଶାରୁ ମୋଟ୍ ୨୪୧୯ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ବିଶେଷ କରି ୨୦୦୬ ମସିହାରେ ୨୮୩ଜଣ ଆତ୍ମହତ୍ୟା କରିଥିଲେ ମଧ୍ୟ ଏହା ଜାତୀୟ ସ୍ତରରେ ଚର୍ଚ୍ଚା ପରିସରକୁ ଆସି ନ ଥିଲା । ତେଣୁ ଆମ ରାଜ୍ୟର ଏହି କୃଷକ ପରିବାର କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଥିବାବେଳେ, ଅନ୍ୟ ରାଜ୍ୟର କୃଷକଗଣ ବ୍ୟାପକ ରିହାତି ପାଇବା ସହ ପ୍ରଚୁର କ୍ଷତିପୂରଣ ପାଇପାରିଲେ ଏବଂ ଏଥିସହିତ ଉକ୍ତ ରାଜ୍ୟଗୁଡ଼ିକର କୃଷି ଓ କୃଷକମାନଙ୍କ ବିକାଶପାଇଁ କେନ୍ଦ୍ରଦ୍ୱାରା ମଧ୍ୟ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଗଲା ।

ଜାତି, ଜାଗୃତି ଓ ପ୍ରଗତି / ୧୦୩
ଓଡ଼ିଶା ସରକାରଙ୍କ କୃଷିବିଭାଗ ଅନୁସାରେ ଆମ ରାଜ୍ୟର ଚାଷ ଜମି ଆୟତନ ହ୍ରାସ ପାଉଥିବାବେଳେ, ଉତ଼୍ପାଦନ କ୍ଷମତା ବୃଦ୍ଧି ପାଉଛି । ଫଳରେ କୃଷି ବିଭାଗର ବାର୍ଷିକ ବିବରଣୀ (୨୦୦୭-୦୮) ଅନୁସାରେ ସମସ୍ତଙ୍କୁ ଖାଦ୍ୟ ଯୋଗାଇ ସାରିବା ପରେ ଆମ ପାଖରେ ଆଉ ୬.୪୬ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ବଳକା ରହୁଛି । ତେବେ ଦୁଃଖର ବିଷୟ ଯେ, ସମସ୍ତଙ୍କପାଇଁ ଖାଦ୍ୟ ଉତ୍ପାଦିତ ହୋଇ ଶସ୍ୟ ବଳକା ରହୁଥିଲେ ମଧ୍ୟ ବଣ୍ଟନ ବ୍ୟବସ୍ଥାରେ ଦୁର୍ନୀତି ତଥା ସରକାରୀ କଳର ଅପାରଗତା ଯୋଗୁଁ ଏବେ ବି ବହୁଲୋକ ଅନାହାରରେ ମରୁଛନ୍ତି କିମ୍ବା ପିଲା ବିକ୍ରି କରୁଛନ୍ତି, ନଚେତ୍ ଦାଦନ ହୋଇ ଅନ୍ୟ ରାଜ୍ୟକୁ ପଳାଇ ଯାଉଛନ୍ତି ।

ପୁନଶ୍ଚ ଜମିର ଶସ୍ୟ ଉତ଼୍ପାଦନ‌କୁ ଆହୁରି ବୃଦ୍ଧି କରାଯାଇପାରନ୍ତା, ଯଦି ଜଳସେଚନ ବ୍ୟବସ୍ଥାକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରାଯାଉଥା’ନ୍ତା । ସ୍ୱାଧୀନତା ପୂର୍ବରୁ ଆମ ରାଜ୍ୟର ୨ ଲକ୍ଷ ହେକ୍ଟର ଚାଷଜମି ଜଳସେଚିତ ହୋଇଥିବା ବେଳେ ବିଭିନ୍ନ ଯୋଜନାଦ୍ୱାରା ତାହା ଏବେ ୨୭ ଲକ୍ଷ ହେକ୍ଟରରେ ପହଞ୍ଚିଛି; ଯାହାକି ୫୦ଲକ୍ଷ ହେକ୍ଟର ହେବା କଥା । ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ନ‌ଦୀନାଳର ସୁବିଧା ନ ଥିବାବେଳେ ସେଠାରେ କୃଷିଜମିକୁ ଶତପ୍ରତିଶତ ଜଳସେଚିତ କରାଯାଇସାରିଲାଣି । ଏପରିକି ଆନ୍ଧ୍ରପ୍ରଦେଶ ନିଜ କୃଷକଙ୍କ ସୁବିଧାପାଇଁ ଆମ ରାଜ୍ୟର ପ୍ରବାହିତ ନ‌ଦୀଜଳକୁ ବନ୍ଧ ପକାଇ କେନାଲ ମାଧ୍ୟମରେ ଜଳସେଚିତ କରୁଛି । ଅଥଚ ଜଳସଂପଦ ନାମରେ ଏକ ସ୍ୱତନ୍ତ୍ର ବିଭାଗଦ୍ୱାରା ରାଜୀବଭବନ ନାମକ ଏକ ବୃହତ କାର୍ଯ୍ୟାଳୟ ଖୋଲି କେଉଁଠୁ କେତେ ଟଙ୍କା ଋଣ ଅଣାଇ ଜଳସେଚନ ନାମରେ ନିଜପାଣ୍ଠି ବୃଦ୍ଧି କରିବେ, ସେ ହିସାବରେ ବ୍ୟସ୍ତ ଅଛନ୍ତି ଆମ ଅଧିକାରୀଗଣ । ଏପରିକି ଏହି ଅଧିକାରୀଗଣ ହିସାବ କରି ଦେଖେଇ ଦେଲେଣି ଯେ, ସରକାର ଦେଉଥିବା ସୁବିଧା ଯଦି କୃଷକ ଗ୍ରହଣ କରେ, ତେବେ ୨୦୧୦ ସୁଦ୍ଧା ହେକ୍ଟର ପିଛା ୨୦୧୨ କିଲୋଗ୍ରାମ ଧାନ ଉତ୍ପାଦନ କରିହେବ । ମାତ୍ର ସେମାନେ ଜାଣିନାହାନ୍ତି ଯେ, ଓଡ଼ିଶାର ନିରକ୍ଷର ଗ୍ରାମୀଣ କୃଷକ ନିଜ ବୁଦ୍ଧିବଳରେ ହେକ୍ଟର ପିଛା ବାର୍ଷିକ ୬୦୦୦ କିଲୋଗ୍ରାମ ଧାନ ବର୍ତ୍ତମାନ ଉତ୍ପାଦନ କରିପାରୁଛନ୍ତି ବୋଲି ! ଏବେ ଗ୍ରାମାଞ୍ଚଳରେ କେନ୍ଦ୍ର ସରକାରଙ୍କ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ଅନୁସାରେ ସିଧାସଳଖ ଚାଷୀଙ୍କଠାରୁ ଧାନ କିଣାଯାଉଛି । ପୂର୍ବରୁ ସରକାର ମଣ୍ଡି ବା ସଂଗ୍ରହ କେନ୍ଦ୍ର ମାଧ୍ୟମରେ ଧାନ ସଂଗ୍ରହ କରିଆସୁଥିଲେ, କିନ୍ତୁ ଏଥିରେ କେତେକ ସମସ୍ୟା ରହିଛି । କୃଷି ଉପରେ ନିର୍ଭର କରୁଥିବା ଓଡ଼ିଶାର ୯୦ ଭାଗ ଜନସାଧାରଣଙ୍କ ମଧ୍ୟରୁ ପ୍ରାୟ ୭୦ ଭାଗ ଚାଷୀ ପରିବାର ଅନ୍ୟର ଜମି ଭାଗ ନେଇ ଚାଷ କାର୍ଯ୍ୟ କରୁଛନ୍ତି । କାରଣ ଗ୍ରାମାଞ୍ଚଳର କୃଷକ ଆଜି କୃଷିକାର୍ଯ୍ୟ ଛାଡ଼ି ସାରିଥିବା ବେଳେ ବିଗତ ଦିନର କୃଷି ଶ୍ରମିକଗଣ ଏବେ


୧୦୪ / ଜାତି, ଜାଗୃତି ଓ ପ୍ରଗତି
କୃଷକ ସାଜିଛନ୍ତି । ଅଥଚ ଏମାନଙ୍କ ନିକଟରେ ଚାଷଜମି ସମ୍ବନ୍ଧୀୟ କୌଣସି ଅଧିକାର ପତ୍ର ନ ଥିବାରୁ ସରକାର ପ୍ରଦତ୍ତ ବିଭିନ୍ନ ଋଣ କିମ୍ବା ସବ୍‌ସିଡି ପାଇପାରୁନାହାନ୍ତି । ଏପରିକି ଧାନସଂଗ୍ରହ କେନ୍ଦ୍ରରେ ସଂଖ୍ୟାଧିକ ଭାଗଚାଷୀମାନେ ଉତ୍ପାଦିତ ଶସ୍ୟ ବିକ୍ରିପାଇଁ ନିଜ ଚାଷଜମିର ପଟ୍ଟାପାଉତି ଦେଖାଇପାରୁ ନ ଥିବାରୁ ଶସ୍ୟ ବିକ୍ରି କରିପାରୁନାହାନ୍ତି । ଏଥିସହିତ ସଂଗ୍ରହକେନ୍ଦ୍ରରେ ଧାନ ଦେଲେ କୃଷକକୁ ଟଙ୍କା ଚେକ୍ ଆକାରରେ ମିଳିବ ଓ ଟଙ୍କା ପାଇବାକୁ ହେଲେ ବ୍ୟାଙ୍କରେ ଖାତା ଖୋଲିବାକୁ ପଡିବ । ଚେକ୍ ଟଙ୍କା ହୋଇ ଫେରିବାକୁ ଅନ୍ୟୁନ ୧୫ ଦିନ ଲାଗିଯାଇପାରେ । ଚାଷୀ ଧାନ ବିକ୍ରି ଟଙ୍କାରେ ଧାର କରିଥିବା ପଇସା ଶୁଝି ଶୀଘ୍ର ଋଣମୁକ୍ତ ହେବାକୁ ଚାହୁଁଥିବାରୁ ତଥା ଅନ୍ୟାନ୍ୟ ଖର୍ଚ୍ଚପାଇଁ ଅର୍ଥର ଆବଶ୍ୟକତା ଦୃଷ୍ଟିରୁ ଗ୍ରାମ ବେପାରୀକୁ ଅଳ୍ପ ମୂଲ୍ୟରେ ଧାନ ବିକି ତୁରନ୍ତ ଧାନ ବ୍ୟବସାୟୀଙ୍କଠାରୁ ପଇସା ପାଇବାପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ତେଣୁ ସରକାରୀ ଯୋଜନା ଯୋଜନାରେ ହିଁ ରହିଯାଉଛି ।

ଏଥର ଉତ୍ପାଦିତ ଶସ୍ୟର ମୂଲ୍ୟ ସମ୍ପର୍କରେ ଆଲୋଚନା କରିବା । ଓଡ଼ିଶାର ବର୍ତ୍ତମାନ ତିନୋଟି ମୁଖ୍ୟ ଫସଲ ଯଥା-ଧାନ, କପା ଓ ଝୋଟ । ୨୦୦୨-୦୩ ବର୍ଷ ବେଳକୁ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୫୩୦ ଟଙ୍କା ଥିଲାବେଳେ, ଗ୍ରେଡ୍ ‘ଏ’ ଧାନ ୫୬୦ ଟଙ୍କା ଥିଲା । ୨୦୦୮-୦୯ରେ ସରକାର ଏହି ସର୍ବନିମ୍ନ ସହାୟକ ମୂଲ୍ୟର ପରିମାଣ ବଢ଼ାଇ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୮୫୦ଟଙ୍କା ଧାର୍ଯ୍ୟ କରିଥିଲା ବେଳେ ଗ୍ରେଡ୍ ‘ଏ’ ଧାନ କ୍ୱିଣ୍ଟାଲ ପିଛା ୮୮୦ଟଙ୍କା ଧାର୍ଯ୍ୟ କରିଛନ୍ତି ।

ସେହିଭଳି କପାର ସର୍ବନିମ୍ନ ସହାୟକ ମୂଲ୍ୟ ଭାବରେ ୨୦୦୭-୦୮ ମସିହାରେ ମଧ୍ୟମ ଧରଣର କପାପାଇଁ ୧୮୦୦ ଟଙ୍କା ଥିଲାବେଳେ, ଏ ବର୍ଷ ୨୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଗତବର୍ଷ ଉନ୍ନତ ଧରଣର କପାର କ୍ୱିଣ୍ଟାଲ ପିଛା ମୂଲ୍ୟ ୩ ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି, ମାତ୍ର କପାର ମୂଲ୍ୟ ବୃଦ୍ଧି ହେଉଥିବାବେଳେ, କପାପାଇଁ ବ୍ୟବହୃତ ଚାଷଜମିରୁ ୧୩ ହଜାର ହେକ୍ଟର କମିଯାଇଛି ।

ଝୋଟ କ୍ଷେତ୍ରରେ ଅବସ୍ଥା ମଧ୍ୟ ତଦୃପ । ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ ଗତବର୍ଷ କ୍ୱିଣ୍ଟାଲ ପିଛା ୧୦୫୫ ଟଙ୍କା ଥିଲାବେଳେ, ଏ ବର୍ଷ କ୍ୱିଣ୍ଟାଲ ପିଛା ୧୨୫୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି ।

ସରକାର ୨୦୦୩-୦୪ ବର୍ଷ ତୁଳନାରେ ୨୦୦୭-୦୮ ବେଳକୁ ଧାନ କ୍ୱିଣ୍ଟାଲ ପିଛା ମାତ୍ର ୯୫ ଟଙ୍କା ବଢ଼ାଇଥିଲା ବେଳେ, ଝୋଟ କ୍ୱିଣ୍ଟାଲ ପିଛା ୧୯୫, ଗହମ କ୍ୱିଣ୍ଟାଲ ପିଛା ୭୦ଟଙ୍କା, କପା କ୍ୱିଣ୍ଟାଲ ପିଛା ୭୫ଟଙ୍କା ବଢ଼ାଇଥିଲେ । କିନ୍ତୁ ଏହିବର୍ଷ ଗତବର୍ଷ ତୁଳନାରେ ଅଧିକ ଟଙ୍କା ବଢ଼ିଛି । ଏହି ମୂଲ୍ୟ କୃଷକ ସମୁଦାୟ ପ୍ରତି ଉଚିତ୍ ମୂଲ୍ୟ ଭାବେ ପରିଗଣିତ ହେବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।


ଜାତି, ଜାଗୃତି ଓ ପ୍ରଗତି / ୧୦୫
ମାତ୍ର ଦିନକୁ ଦିନ ଓଡ଼ିଶାରେ ଚାଷୀ କମିବାରେ ଲାଗିଛନ୍ତି । ଜନଗଣନା ଅନୁଯାୟୀ ଓଡ଼ିଶାରେ ଜନସଂଖ୍ୟାର ମାତ୍ର ୩୦ ପ୍ରତିଶତ କୃଷକ ଅଟନ୍ତି । କିନ୍ତୁ ୧୯୭୧ ଜନଗଣନା ଅନୁଯାୟୀ ଓଡ଼ିଶାର ଜନସଂଖ୍ୟାର ୪୮ ପ୍ରତିଶତ କୃଷକ ଥିଲେ । ୧୯୮୧ରେ ମଧ୍ୟ ୪୮ % କୃଷକ ଥିଲେ ଏବଂ ୧୯୯୧ ଜନଗଣନା ବେଳକୁ ମଧ୍ୟ ୪୮ % ପାଖାପାଖି ଥିଲାବେଳେ, ୨୦୦୧ ବର୍ଷ ବେଳକୁ ତାହା କମିଯାଇଛି । କିନ୍ତୁ ଗ୍ରାମାଞ୍ଚଳରେ ଯେଉଁଭଳି ୮୫ରୁ ୯୦ ପ୍ରତିଶତ ଲୋକ ବସବାସ କରୁଥିଲେ, ସେମାନେ ସେହିପରି ବସବାସ କରୁଛନ୍ତି । ତେବେ ଏହି ୮୫ ପ୍ରତିଶତ ଲୋକ କ’ଣ କରୁଛନ୍ତି, ତାହା ଏକ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି । ସାରଣୀ -୨ରେ ତାହା ପ୍ରକାଶ କରିଛୁ ।

ସାରଣୀ ୨ ଓଡିଶାର ଜନସଂଖ୍ୟା
ବର୍ଷ ୧୯୭୧ ୧୯୮୧ ୧୯୯୧ ୨୦୦୧
ମୋଟ ଜନସଂଖ୍ୟା ୨କୋଟି୧୯ ଲକ୍ଷ ୨କୋଟି୬୪ଲକ୍ଷ ୩କୋଟି୧୭ଲକ୍ଷ ୩କୋଟି୬୮ଲକ୍ଷ
ଗ୍ରାମରେ ବାସ କରନ୍ତି ୨କୋଟି୧ଲକ୍ଷ ୨କୋଟି୩୩ଲକ୍ଷ ୨କୋଟି୭୫ଲକ୍ଷ ୩କୋଟି୬୮ଲକ୍ଷ
ସହରରେ ବାସ କରନ୍ତି ୧୮ଲକ୍ଷ ୩୧ଲକ୍ଷ ୪୧ଲକ୍ଷ ୫୫ଲକ୍ଷ
କୃଷି କ୍ଷେତ୍ରରେ କର୍ମରତ ହଳିଆ ୫୩ଲକ୍ଷ ୬୪ଲକ୍ଷ ୭୬ଲକ୍ଷ ୫୫ଲକ୍ଷ
କୃଷକ ୩୪ଲକ୍ଷ ୪୦ଲକ୍ଷ ୪୬ଲକ୍ଷ ୩୪ଲକ୍ଷ
କୃଷିକ୍ଷେତ୍ରରେ କର୍ମରତ ଶ୍ରମିକ ୧୯ଲକ୍ଷ ୨୪ଲକ୍ଷ ୩୦ଲକ୍ଷ ୨୧ଲକ୍ଷ
ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ(ଶତକଡ଼ା) ୯୧.୬% ୮୮.୩% ୮୬.୬% ୮୫%
କୃଷିକ୍ଷେତ୍ରରେ କାମ କରୁଥିବା ଲୋକସଂଖ୍ୟା ୪୮.୪% ୪୮.୪୮% ୪୭.୯୫% ୨୯.୮୯%

ଆମର ଜନସଂଖ୍ୟା ୧୯୯୧ ବର୍ଷ ତୁଳନାରେ ୨୦୦୧ ବେଳକୁ ପ୍ରାୟ ୫୧ଲକ୍ଷ ଲୋକ ବଡ଼ିଲେ, କିନ୍ତୁ ଚାଷୀ ସଂଖ୍ୟା ଓ ଚାଷକୁ ନେଇ ବଞ୍ଚିବା ଲୋକସଂଖ୍ୟା ପ୍ରାୟ ୪୨ଲକ୍ଷ କମିଗଲେ । ଯଦି ପୂର୍ବ ଜନଗଣନାର ଅନୁପାତକୁ ଦେଖାଯାଏ, ତେବେ ୨୦୦୧ ବେଳକୁ ଆମ ଓଡ଼ିଶାରେ ଏକକୋଟି ୭୬ଲକ୍ଷ ୬୪ହଜାର କୃଷକ ଓ କୃଷିକୁ ଜୀବିକା ବୋଲି ଗ୍ରହଣ କରିଥିବା ଲୋକ ଥାଆନ୍ତେ । କିନ୍ତୁ ତାହା ହୋଇପାରିନାହିଁ । ଏ ଅବସ୍ଥାପାଇଁ ଦାୟୀ କିଏ?

ଆମ ସରକାର ପରମାଣୁ ଶକ୍ତି ପ୍ରସାର, ଶିଳ୍ପ ପ୍ରସାରପାଇଁ କମ୍ପାନୀଙ୍କୁ ଡାକିବା, ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା, ବଳକା ବଜେଟ୍ କରିବା, ଇତ୍ୟାଦି କାମରେ ବ୍ୟସ୍ତ । ତେବେ ଏ ଅସୁବିଧାର ସମାଧାନ କରିବାର ଦାୟିତ୍ୱ କିଏ ନେବ, ତାହା ଆଜି ଦିନରେ ଏକ ଚିନ୍ତାଜନକ ବିଷୟ ହୋଇରହିଯାଇଛି ।


***