ଜୟ ଜୟ ରଘୁନାଥ

ଉଇକିପାଠାଗାର‌ରୁ
Jump to navigation Jump to search

ଜୟ ଜୟ ରଘୁନାଥ
ରାମଚନ୍ଦ୍ରଙ୍କ ବନ୍ଦନା
ରାଗ ରାମକେରୀ

ଜୟ ଜୟ ରଘୁନାଥ ହେ ପ୍ରଭୁ କୌଶଲ୍ୟା ସୁତ ।
ଧରା ଭାରାଭର ନାଶନେ ତୁମ୍ଭେ ମର୍ତ୍ତ୍ୟରେ ଜାତ ॥୧॥

ନବୀନ ନୀରଦ ବରନ ଆହା ଦିଶେ କି ଶୋଭା ।
ଅଯୋଧ୍ୟା-ଆକାଶ ଘନରେ ଯେହ୍ନେ ବିଦ୍ୟୁତ ଆଭା ॥୨॥
 
ଶ୍ରୀ ଭୁଜେ ଶୋଭିତ କୋଦଣ୍ଡ କାଣ୍ଡ କି ମନୋହର ।
ନୂଆ ମଦନ କି ବିଜୟ ଘେନିଣ ପୁଷ୍ପ ଶର ॥୩॥

ଶ୍ରୀମୁଖ ଶୋଭାକୁ ଦେଖିଣ ଚନ୍ଦ୍ର ହେଲେ ଲଜ୍ଜିତ ।
ଉପମା କି ଦେବି ନ ମିଲେ ଖୋଜି ତିନିପୁରୀ ତ ॥୪॥

କୌଶଲ୍ୟା ଆନନ୍ଦ ବର୍ଧନକାରୀ ଦଶରଥଙ୍କ ।
ନୟନ ପୁତ୍ତଳିକା ପ୍ରାୟ ଧନ ପ୍ରାପ୍ତ କି ରଙ୍କ ॥୫॥

ଅଯୋଧ୍ୟା ନର ନାରୀ ପ୍ରାଣ ଯେଉଁ ରଘୁନନ୍ଦନ ।
ତାଙ୍କ ଶ୍ରୀଚରଣେ ଶରଣ ଏ ପଦ୍ମନାଭ ଦୀନ ॥୬॥