ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ପ୍ରତି ଦେବାଳୟ ପାର୍ଶ୍ଵରେ ଠିଆ ହୋଇ ଯଦି କେହି ଶ୍ରବଣ କରେ, ତାହାହେଲେ ଶୁଣିବାକୁ ପାଇବ ପୂଜକ ଦେବ-ବିଗ୍ରହରେ ଈଶ୍ବରଙ୍କର ସମୁଦାୟ ଗୁଣ, ଏପରି କି ସର୍ବବ୍ୟାପିତୃ ପର୍ଯ୍ୟନ୍ତ ଆରୋପ କରୁଛନ୍ତି । ଏହା ବହୁ ଈଶ୍ବରବାଦ ନୁହେଁ ବା ଏହାକୁ କୌଣସି ଦେବ-ବିଶେଷଙ୍କର ପ୍ରାଧାନ୍ୟ ବୋଲି କହିଲେ ମଧ୍ୟ ପ୍ରକୃତ କଥାର ବ୍ୟାଖ୍ୟା ହେଲା ନାହିଁ । ଗୋଲାପକୁ ଅନ୍ୟ ଯେ କୌଣସି ନାଁ ଦିଅନା କାହିଁକି, ତାହାର ସୁଗନ୍ଧ ସମାନ ରହିବ । ସଂଜ୍ଞା ବା ନାମ ଦ୍ବାରା ବ୍ୟାଖ୍ୟା ହୁଏ ନାହିଁ । ୩୪ ଭାରତରେ, ମୋ ବାଲ୍ୟକାଳରେ ଏକଦା ଜଣେ ଖ୍ରୀଷ୍ଟିଆନ୍ ପାଦ୍ରୀଙ୍କୁ ଏକ ଜନଗହଳି ସମ୍ମୁଖରେ ବକ୍ତୃତା ଦେବା ଶୁଣିଥୁଲି । ନାନାବିଧ ମଧୁର କଥା କହୁ କହୁ ସେ କହି ଉଠିଲେ, ‘ମୁଁ ଯଦି ତୁମର ବିଗ୍ରହକୁ ଏହି ଲାଠିଦ୍ୱାରା ଆଘାତ କରେ, ତେବେ ସେ ମୋର କ’ଣ କରିପାରିବେ ?? ଜନତା ମଧ୍ୟରୁ ଜଣେ କହିଲେ, ‘ମୁଁ ଯଦି ତୁମ ଭଗବାନଙ୍କୁ ଗାଳିଦିଏ, ସେ ବି ମୋର କ’ଣ କରିପାରିବେ ? ’ ପାଦ୍ରୀ ଉତ୍ତର ଦେଲେ, ‘ମୃତ୍ୟୁ ପରେ ତୁମର ଶାସ୍ତି ହେବ ।’ ସେ ବ୍ୟକ୍ତି ମଧ୍ୟ କହିଲେ, ‘ତୁମେ ମଲେ ଆମ ଦେବତା ମଧ୍ୟ ତୁମକୁ ଶାସ୍ତି ଦେବେ ।’ ଫଳଦ୍ଵାରା ହିଁ ବୃକ୍ଷର ପ୍ରକୃତ ପରିଚୟ ମିଳେ । ଯେତେବେଳେ ମୁଁ ଦେଖେ ଯେ, ଯାହାଙ୍କୁ ପୌତ୍ତଳିକ କୁହାଯାଏ, ତାଙ୍କ ମଧ୍ୟରେ ବି ଏପରି ମନୁଷ୍ୟ ଅଛନ୍ତି, ଯାହାଙ୍କ ପରି ଚରିତ୍ରବାନ୍, ଆଧ୍ୟାତ୍ମିକ ଭାବପୂର୍ଣ୍ଣ ଓ ପ୍ରେମିକ କେବେ କେଉଁଠି ହେଲେ ଦେଖୁ ନାହିଁ, ସେତେବେଳେ ମନରେ ଏହି ପ୍ରଶ୍ନ ସ୍ବତଃ ଉଦିତ ହୁଏ ଯେ ପାପରୁ କ’ଣ କେବେ ପବିତ୍ରତା ଜନ୍ମିପାରେ ? କୁସଂସ୍କାର ମଣିଷର ଶତ୍ରୁ ସତ; କିନ୍ତୁ ଧର୍ମାନ୍ଧତା ଆହୁରି ଖରାପ । ଖ୍ରୀଷ୍ଟିଆନ୍‌ମାନେ କାହିଁକି ଗୀର୍ଜାକୁ ଯାଆନ୍ତି ? କୁଶ୍ ଏତେ ପବିତ୍ର କାହିଁକି ? ପ୍ରାର୍ଥନା ସମୟରେ ସେମାନେ କାହିଁକି ଉପର ଆଡ଼କୁ ଚାହାଁନ୍ତି ? କ୍ୟାଥଲିକ୍‌ମାନଙ୍କର ଗୀର୍ଜାରେ ଏତେ ମୂର୍ତ୍ତି ରହିଛି କାହିଁକି ? ପ୍ରୋଟେଷ୍ଟାଣ୍ଟ୍‌ମାନଙ୍କ ମନରେ ପ୍ରାର୍ଥନା କାଳରେ ଏତେ ଭାବମୟ ରୂପର ଆବିର୍ଭାବ ହୁଏ କାହିଁକି ? ହେ ମୋର ଭ୍ରାତୃବୃନ୍ଦ, ନିଃଶ୍ବାସ ଗ୍ରହଣ ନ କରି ଜୀବନ ଧାରଣ କରିବା ଯେପରି ଅସମ୍ଭବ, ଚିନ୍ତା କଲାବେଳେ ରୂପବିଶେଷର ସାହାଯ୍ୟ ନ ନେବା ମଧ୍ୟ ଆମ ପକ୍ଷରେ ସେହିପରି ଅସମ୍ଭବ । ଭାବାନୁସଙ୍ଗ ନିୟମାନୁସାରେ (Law of association) ଜଡ଼ମୂର୍ତ୍ତି ଦେଖିଲେ ମାନସିକ ଭାବବିଶେଷରେ ଉଦ୍ଦୀପନ ହୁଏ, ବିପରୀତକ୍ରମେ ମନରେ ଭାବବିଶେଷର ଉଦ୍ଦୀପନ ହୁଏ, ବିପରୀତ କ୍ରମେ ମନରେ ଭାବବିଶେଷର ଉଦ୍ଦୀପନ ହେଲେ ତଦନୁରୂପ ମୂର୍ତ୍ତିବିଶେଷ ମଧ୍ୟ ମନରେ ଉଦିତ ହୁଏ । ଏଥିପାଇଁ ହିନ୍ଦୁମାନେ ଉପାସନା ସମୟରେ କାହିଁକି ବାହ୍ୟ ପ୍ରତୀକ ବ୍ୟବହାର କରନ୍ତି, ଏହା ହିଁ ତାହାର କାରଣ । ସେମାନେ କହିବେ ଯେ, ଉପାସ୍ୟ ଦେବତାଙ୍କ ଉପରେ ମନ ସ୍ଥିର କରିବା ପାଇଁ ପ୍ରତୀକ ସାହାଯ୍ୟ କରେ । ସେମାନେ ମଧ୍ୟ ତୁମମାନଙ୍କ ପରି ଜାଣନ୍ତି ଯେ, ପ୍ରତିମା ଈଶ୍ବର ନୁହେଁ କିମ୍ବା ସର୍ବବ୍ୟାପୀ ମଧ୍ଯ ନୁହେଁ । ଆଚ୍ଛା କହ, ‘ସର୍ବବ୍ୟାପୀ’ କହିଲେ ଅଧିକାଂଶ ଲୋକ କ’ଣ ବୁଝନ୍ତି ? ତାଙ୍କ ପକ୍ଷରେ ଏହା ଗୋଟିଏ ଶବ୍ଦ ମାତ୍ର — ଗୋଟିଏ ପ୍ରତୀକ ମାତ୍ର । ଈଶ୍ବର କ’ଣ ବାହ୍ୟ ଆୟତନ ବିଶିଷ୍ଟ ? ତାହା ଯଦି ନ ହୁଏ, ତେବେ