Jump to content

ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କର୍ମ—ରହସ୍ଯ ୭୩ ଏବଂ ଏଗୁଡ଼ିକ ଅଜ୍ଞାତସାରରେ ତାର କର୍ମ ଓ ଚିନ୍ତାକୁ ପ୍ରଭାବିତ କରିବ । ବସ୍ତୁତଃ ସର୍ବଦା ଏହି ସଂସ୍କାର ଗୁଡ଼ିକର କାର୍ଯ୍ୟ ଚାଲିଛି, ସୁତରାଂ ମନ୍ଦ ସଂସ୍କାରଗୁଡ଼ିକର ଫଳ ମନ୍ଦ ହେବ ଏବଂ ଏହି ବ୍ୟକ୍ତି ଗୋଟିଏ ମନ୍ଦ ଲୋକରେ ପରିଣତ ହେବ—ସେ ତାହା ନ ହୋଇ ରହିପାରିବ ନାହିଁ, ତା’ର ଏହି ସଂସ୍କାର-ସମଷ୍ଟି ମନ୍ଦ କାର୍ଯ୍ୟ କରିବା ପାଇଁ ପ୍ରବଳ ପ୍ରେରଣା-ଶକ୍ତି ଉତ୍ପନ୍ନ କରିବ । ଏହି ସଂସ୍କାରଗୁଡ଼ିକର ସେ ଯନ୍ତ୍ରତୁଲ୍ୟ ହେବ, ଏଗୁଡ଼ିକ ତାହାକୁ ବଳପୂର୍ବକ ମନ୍ଦ କାର୍ଯ୍ୟରେ ପ୍ରବୃତ୍ତ କରାଇବ । ଠିକ୍ ସେହି ଭାବରେ ଯଦି କେହି ଶୁଭ ଚିନ୍ତା କରେ ଏବଂ ଭଲ କାମ କରେ, ସଂସ୍କାରଗୁଡ଼ିକର ସମଷ୍ଟି ମଧ୍ୟ ଉତ୍ତମ ହେବ ଏବଂ ଏଗୁଡ଼ିକ ଅନିଚ୍ଛା ସତ୍ତ୍ୱେ ଏହି ବ୍ୟକ୍ତିଙ୍କୁ ସତ୍ କାର୍ଯ୍ୟରେ ପ୍ରବୃତ୍ତ କରାଇବ । ଯେତେବେଳେ ମନୁଷ୍ୟ ଏତେ ଅଧିକ ଭଲ କାମ କରେ ଓ ଏତେ ଅଧିକ ସଚିନ୍ତା କରେ ଯେ, ଅନିଚ୍ଛାସତ୍ତ୍ବେ ତାହାର ପ୍ରକୃତିରେ ସତ୍ଵକର୍ମ କରିବାର ଅଦମ୍ୟ ଇଚ୍ଛା ଜାଗ୍ରତ ହୁଏ; ସେତେବେଳେ ସେ କୌଣସି ଅନ୍ୟାୟ କାମ କରିବାକୁ ଇଚ୍ଛା କଲେ ମଧ୍ୟ ଏହିସବୁ ଶୁଭ ସଂସ୍କାରଗୁଡ଼ିକ ତାହାକୁ ଏହା କରିବାକୁ ଦିଏ ନାହିଁ, ଏହି ସଂସ୍କାରଗୁଡ଼ିକ ତାହାକୁ ମନ୍ଦ କର୍ମରୁ ଫେରାଇ ଆଣେ, କାରଣ ସେ ତାହାର ସତ୍ ସଂସ୍କାରଗୁଡ଼ିକ ଦ୍ବାରା ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଥାଏ । ଜଣକର ଏପରି ଅବସ୍ଥା ହେଲେ, ସେତେବେଳେ ଯାଇ ତାହାର ଚରିତ୍ର ଗଠିତ ହୋଇଛି ବୋଲି କୁହାଯାଏ । ଉଦାହରଣସ୍ୱରୂପ, କୂର୍ମ ତାହାର ଗୋଡ଼ ଓ ମୁଣ୍ଡ ଖୋଳ ଭିତରେ ରଖେ ।–ତୁମେ ତାକୁ ମାରି ପକାଅ, ଖଣ୍ଡ ଖଣ୍ଡ କରିଦିଅ—ତଥାପି ତା’ର ଗୋଡ଼ ଓ ମୁଣ୍ଡ ବାହାରକୁ ବାହାରିବ ନାହିଁ, ଠିକ୍ ସେହିପରି, ଯେଉଁ ବ୍ୟକ୍ତିଙ୍କର ଇନ୍ଦ୍ରିୟ ଓ ପ୍ରବୃତ୍ତିଗୁଡ଼ିକ ସଂଯତ, ତାଙ୍କର ଚରିତ୍ର ମଧ୍ୟ ଦୃଢ଼ ଭାବରେ ପ୍ରତିଷ୍ଠିତ ହୋଇଛି । ସେ ତାଙ୍କର ଅନ୍ତରେନ୍ଦ୍ରିୟଗୁଡ଼ିକୁ ସଂଯତ କରିଛନ୍ତି । ତାଙ୍କ ଇଚ୍ଛା ବିରୋଧରେ କେବେହେଲେ ସେଗୁଡ଼ିକ ବହିର୍ମୁଖୀ ହୁଅନ୍ତି ନାହିଁ । ଏହିପରି ନିରନ୍ତର ସତ୍ଵଚିନ୍ତା ଫଳରେ ସତ୍ଵକର୍ମ କରିବାର ପ୍ରବଣତା ତାଙ୍କର ପ୍ରବଳ ହୁଏ । ଏହି ଭାବରେ ଆମେ ଇନ୍ଦ୍ରିୟଗୁଡ଼ିକୁ ଜୟ କରିବାରେ ସମର୍ଥ ହେଉ । ଏପରି ଚରିତ୍ର ପ୍ରତିଷ୍ଠିତ ହେଲେ ଯାଇ ମନୁଷ୍ୟ ସତ୍ୟ ଲାଭ କରିପାରେ । ଏହି ବ୍ୟକ୍ତି ସର୍ବଦା ନିରାପଦ; ତାଙ୍କ ଦ୍ବାରା କୌଣସି ଅନ୍ୟାୟ ବା ଅଶୁଭ କାର୍ଯ୍ୟ ସମ୍ଭବ ହୁଏ ନାହିଁ । ତାଙ୍କୁ ଯେକୌଣସି ଲୋକ ସହିତ ରଖ ନା କାହିଁକି, ତାଙ୍କର କୌଣସି ବିପଦର ସମ୍ଭାବନା ନାହିଁ । ଏହାଠାରୁ ମଧ୍ୟ ଆହୁରି ଏକ ଉଚ୍ଚ ଅବସ୍ଥା ଅଛି—ମୁକ୍ତିର କାମନା । ସକଳ ଯୋଗର ଲକ୍ଷ୍ୟ ଆତ୍ମାର ମୁକ୍ତି ଏବଂ ପ୍ରତ୍ୟେକ ଯୋଗଦ୍ଵାରା ଏହି ଏକ ଲକ୍ଷ୍ୟରେ ପହଞ୍ଚି ହୁଏ । ବୁଦ୍ଧ ପ୍ରଧାନତଃ ଧ୍ୟାନ ଦ୍ଵାରା, ଖ୍ରୀଷ୍ଟ ପ୍ରାର୍ଥନା ଦ୍ବାରା ଯେଉଁ ଅବସ୍ଥା ଲାଭ କରିଥିଲେ, ମନୁଷ୍ୟ କେବଳ କର୍ମଦ୍ବାରା ହିଁ ସେହି ଅବସ୍ଥା ଲାଭ କରିପାରେ । ବୁଦ୍ଧ ଥିଲେ କର୍ମପରାୟଣ ଜ୍ଞାନୀ, ଆଉ ଖ୍ରୀଷ୍ଟ ଥିଲେ ଭକ୍ତ; କିନ୍ତୁ ଉଭୟେ ଏକ ଲକ୍ଷ୍ୟରେ ହିଁ ଉପନୀତ ହୋଇଥିଲେ । ଏହା ବୁଝିବା କଠିନ ଯେ, ମୁକ୍ତି ଅର୍ଥ ସମ୍ପୂର୍ଣ୍ଣ ସ୍ଵାଧୀନତା—ଶୁଭ ବନ୍ଧନରୁ ଯେପରି, ଅଶୁଭ ବନ୍ଧନରୁ ମଧ୍ୟ ସେପରି । ସୁନାର ଶିକୁଳି ବି ଶିକୁଳି, ଲୁହାର ଶିକୁଳି ବି ଶିକୁଳି । ମୋ ଆଙ୍ଗୁଠିରେ କଣ୍ଟାଟିଏ ପଶିଗଲା, ଆଉ ଗୋଟିଏ କଣ୍ଟାଦ୍ଵାରା ଏହି କଣ୍ଟାଟିକୁ ମୁଁ ବାହାର କଲି, ବାହାର କଲାପରେ ଦୁଇଟିଯାକ କଣ୍ଟା ଫୋପାଡ଼ିଦେଲି । ଦ୍ବିତୀୟ କଣ୍ଟାଟି ମଧ୍ୟ ରଖିବା ଦରକାର ନାହିଁ, କାରଣ ଏହା ମଧ୍ୟ ଗୋଟିଏ କଣ୍ଟା । ଏହିପରି ଅଶୁଭ ସଂସ୍କାରଗୁଡ଼ିକୁ ଶୁଭ ସଂସ୍କାର ଦ୍ଵାରା ନାଶ କରିବାକୁ ହେବ । ମନର ମନ୍ଦ ସଂସ୍କାରଗୁଡ଼ିକୁ ଦୂରକରି ତା’