Jump to content

ପୃଷ୍ଠା:Abakash chinta.pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସଂସାର-ସମରେ ଦଗଧ ମୋ ବ୍ୟସ୍ତ ଜୀବନ
ପରମ ଉଲ୍ଲାସ-ରସେ ହେଲା ନିମଗନ,
ଆହା ସେ ମଧୁର ଗୀତି,
ମୋ ତାପିତ ହୃଦେ ଜାତ କଲା ଦିବ୍ୟ ପ୍ରୀତି ।(୪)

ନିରେଖିଲି ଚଉଦିଗେ ସାବଧାନ ନେତ୍ରେ
କାହାକୁ ଦେଖିଲି ନାହିଁ ଡାଳେ କିବା ପତ୍ରେ
ବହେ ସେ ସଙ୍ଗୀତ-ସୁଧା,
ପୁଲକି ଉଠେ କି ସତେ ନିଖିଳ ବସୁଧା !(୫)

ମନେ ବିଚାରିଲି ଶାନ୍ତିଦେବୀ ରାଜପଣେ
କରନ୍ତି ସଙ୍ଗୀତ ସ୍ବର୍ଗ-ଅପସରାଗଣେ
ରହି ଅଦୃଶ୍ୟେ ଗୋପନେ,
ବୁଝିବେ ଏହାର ଅର୍ଥ କାହୁଁ ମର୍ତ୍ତ୍ୟଜନେ?(୬)

କ୍ଷୁଦ୍ର ପକ୍ଷୀ ଏକ ତରୁଶାଖାରୁ ଏକାଳେ
ଉଡି ପଶିଗଲା ଲତାକୁଞ୍ଜ ଅନ୍ତରାଳେ,
ବାଣୀସ୍ରୋତ ପରମ୍ପରା,
ଏବେ ତାହା ପଛେ ପଛେ ବହିଗଲା ପରା!(୭)

ସେ ଲତାମଣ୍ଡପୁ ପୁଣି ବାହାରିଲାତାନ,
ଜାଣିଲି ସେ କ୍ଷୁଦ୍ର ପକ୍ଷୀ କରୁଅଛି ଗାନ,
ଧନ୍ୟ ଧନ୍ୟ ରେ ବିହଙ୍ଗ,
କି ହେବ ବା ହେଲେ ତୋର ଅସୁନ୍ଦର ଅଙ୍ଗ?(୮)