ପୃଷ୍ଠା:Ama Deha (BB Patnaik 1940) o.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ଦେହ

ଆଦି ସେଠାରୁ ନଳା ବାଟେ ଘର ବାହାରକୁ ବାହାର କରି ଦିଆଯାଏ । ସେହିପରି ଆମ ଦେହଘରର ସରଘର, ରୋଷେଇଘର, ଅନ୍ତୁଡ଼ିଶାଳ, ନର୍ଦ୍ଦମା ଆଦି ଏହି ତଳ ତାଲାରେ ରହିଅଛି । ଏ ହେଲା ଆମ ପେଟ । ଏ ତ ବଡ଼ ବଡ଼ କଥା, କିନ୍ତୁ ଯେତେ ଯେତେ ସୂକ୍ଷ୍ମ ଯନ୍ତ୍ର ରହିଅଛି, ତାହା କହିବାକୁ ଗଲେ ୪|୬ ଖଣ୍ଡ ମହାଭାରତ ପୋଥି ହେବ । ତଥାପି ଆହୁରି ଏପରି ସବୁ ସୂକ୍ଷ୍ମ ସୂକ୍ଷ୍ମ ଯନ୍ତ୍ର ଅଛି, ଯାହା ବିଷୟରେ ସବୁ କଥା ଏପର୍ଯ୍ୟନ୍ତ ବଡ଼ ବଡ଼ ପଣ୍ଡିତମାନେ ବି ଜାଣି ପାରି ନାହାନ୍ତି ।

ଘରଟିଏ ତୋଳିବାକୁ ଗଲେ ପ୍ରଥମେ ଆମେ ଖୁଣ୍ଟ ପୋତୁଁ । ତା ଉପରେ ଶେଣୀ, ଓରା ଓ ରୁଅ ପକାଉଁ, ତା ପରେ ଘର ବେତରା ଯାଏ, ଏତକ ହୋଇଗଲେ ଘରର ଗୋଟାଏ ଛାଞ୍ଚ ହୋଇଯାଏ । ତା ପରେ, ମାଟି ଛାଟି, ଦୁଆର ଓ ଖିଡ଼ିକି ବସାଇ, ଲିପାପୋଛା କରି ଶେଷରେ ତାକୁ ରହିବା ଭଳି କରୁଁ । ଖାଲି ଘରକଥା ନୁହେ, ପିତୁଳାଟିଏ ଗଢ଼ିଲାବେଳେ ବି କାରିଗର ସେହି କଥା କରେ । ଆଗ ବାଉଁଶର ଗୋଟାଏ ଛାଞ୍ଚ ଗଢ଼େ, ତା ପରେ କୁଟା ଗୁଡ଼ାଇ ମାଟି ଛାଟି ଯେଉଁ ଆକାରରେ କରିବାର କଥା, ସେ ଆକାରରେ କରେ । ଶେଷରେ ରଙ୍ଗ ଦେଇ ବେଶ୍ ସୁନ୍ଦର ସୁଢ଼ଳ କରେ । ସେହିପରି ଆମ ଦେହଘରର ଗୋଟିଏ ଛାଞ୍ଚ ଅଛି । ଏହା ହାଡ଼ରେ ଗଢ଼ା । ଏହି ଛାଞ୍ଚ ଯୋଗେ ଆମେ ସିଧା ସଳଖ ହୋଇ ରହି ପାରୁଥାଇଁ । ଏହା ନ ଥିଲେ ଆମେ ଗୋଟିଏ ଗୋଟିଏ ମାଂସର ମାଦଳ ହୋଇଥାଆନ୍ତୁ । ଏହି ଛାଞ୍ଚକୁ କଙ୍କାଳ କହନ୍ତି । କଙ୍କାଳର ଛବି ଦେଖ । ଏହା କିପରି ଗଢ଼ା ହୋଇଅଛି ବୁଝି ପାରିବ । ଏହି ଛାଞ୍ଚ ଉପରେ ପିତୁଳା ଉପର ମାଟି ପରି ମାଂସପେଶୀ