ପୃଷ୍ଠା:Ama Deha (BB Patnaik 1940) o.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୮
ଆମ ଦେହ

ଏ ସବୁର ସାରତକ ବଦଳିବା ସଙ୍ଗେ ସଙ୍ଗେ ପାଣିରେ ଲୁଣ ମିଳିଗଲା ପରି ଖାଦ୍ୟର ଜଳଭାଗ ସଙ୍ଗେ ମିଳିଯାଏ; ତେଣୁ ସହଜରେ ଅଙ୍କୁରିକା ଶୋଷି ନିଏ ।

ଭାତ, ରୁଟି,ଚିନି,ଆଳୁ ଆଦି ଚିନିଜାତୀୟ ଖାଦ୍ୟ । ଅନ୍ତଭିତରେ ଏ ସମସ୍ତେ ଦ୍ରାକ୍ଷା ଶର୍କରାରେ (Grape Sugar) ପରିଣତ ହୋଇ ଶୋଷି ହୁଅନ୍ତି ।

ମାଛ, ମାଂସ, ଛେନା, ଡାଲି ଆଦି ଛେନାଜାତୀୟ ଖାଦ୍ୟର ଅନ୍ତଭିତରେ ଚରମ ପରିଣାମ ହେଉଛି ଆମିନୋ ଏସିଡ୍ (Amino Acid) । ଏହା ଜଳରେ ମିଳିଯାଇ ପାରେ, ତେଣୁ ଏହାକୁ ଅଙ୍କୁରିକା ଶୋଷିନେଇ ପାରେ ।

ତେଲ ପାଣିରେ କେବେହେଲେ ମିଶିବ ନାହିଁ । କିନ୍ତୁ ତାହା ସହିତ ଯଦି କ୍ଷାର ଜିନିଷ ମିଶେ, ତେବେ ତାହା ଗ୍ଲିସେରିନ୍ (Glycerine) ଓ ସାବୁନ (Soap) ହୋଇଯାଏ ଏବଂ ଏ ଦୁହେଁ ଜଳରେ ମିଳିଯାଇ ପାରନ୍ତି । ପିତ୍ତ, ଅଗ୍ନ୍ୟାଶୟ ରସ ଓ ଆନ୍ତ୍ରିକ ରସ ଏ ସମସ୍ତେ କ୍ଷାରଗୁଣବିଶିଷ୍ଟ (Alkaline); ଏ ହେତୁରୁ ଏମାନେ ତୈଳଜାତୀୟ ଖାଦ୍ୟକୁ ଜଳରେ ମିଶିଲା ଭଳି ଗ୍ଲିସେରିନ୍ ଓ ସାବୁନରେ ପରିଣତ କରାଇ ଦିଅନ୍ତି, ତେଣୁ ତାହାକୁ ଅଙ୍କୁରିକା ଶୋଷି ନିଏ ।

ଜଳ ଓ ଲବଣଜାତୀୟ ଖାଦ୍ୟର କିଛି ପରିବର୍ତ୍ତନ ଦରକାର ପଡ଼େ ନାହିଁ; ତେଣୁ ତାହା ସେହିପରି ଶୋଷି ହୋଇଯାଏ । ଜଳ ଓ ଲବଣଜାତୀୟ ଜିନିଷର ହଜମ ଦରକାର ନାହିଁ ।

ଏହିପରି ଖାଦ୍ୟର ସାର ଅଙ୍କୁରିକାଦ୍ୱାରା ଶୋଷି ହୋଇ ତେଣିକି ଦୁଇଟି ବାଟ ଧରେ । ତୈଳଜାତୀୟ ଖାଦ୍ୟର ସାର