ପୃଷ୍ଠା:Bikalpa Biswa.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଣ ଅତି ଧନୀ - ଅଲଟ୍ରା ରିଚ୍ । ଏବଂ ପ୍ରତ୍ୟେକଙ୍କ ପାଖରେ ଅଛି ଅତି କମ୍‌ରେ ଦେଢଶହ କୋଟି ଟଙ୍କା । ସବୁଠୁ କମ୍ ‘ଅତି ଧନୀକ’ ଅଛନ୍ତି ଆଫ୍ରିକାରେ ।

ଏଇ ଧନୀକ ଓ ବଣିକମାନେ ଗଚ୍ଛିତ ଧନକୁ କେମିତି ଖର୍ଚ୍ଚ କରନ୍ତି ? ୟୁରୋପରେ ଏ ପଇସା ଖର୍ଚ୍ଚ ହୁଏ ଦାମିକା କଳା, କାରୁକାର୍ଯ୍ୟପୂର୍ଣ୍ଣ ଦ୍ରବ୍ୟ କିଣିବାରେ, ଦାମିକା ମଟର ଗାଡି, ଉଡାଜାହାଜ, ବୋଟ୍, ଘୋଡା, ବିଦେଶ ଭ୍ରମଣ, ସପ୍ତତାରକା ହୋଟେଲରେ ରହଣି ଓ ବିଳାସ ବ୍ୟସନରେ । ଭାରତ ସମେତ ଏସିଆର ଧନାଢ୍ୟ ବ୍ୟକ୍ତିମାନେ ଏ ଟଙ୍କା ଦେଇ ସୁନା, ହୀରା, ମଣି, ମାଣିକ୍ୟ, ଦାମିକା ଘଣ୍ଟା ଓ ଅତି ଦାମିକା ପୋଷାକ କିଣନ୍ତି । ଏବଂ ବେଳେବେଳେ ଖେଳ ଜଗତର ବିଖ୍ୟାତ ଖେଳାଳି ଓ ରାଜନୈତିକ ନେତାମାନଙ୍କୁ ବି ଖର୍ଦି କରନ୍ତି । ନୀତା ଅମ୍ବାନୀ, ସ୍ୱାମୀ ମୁକେଶ ଅମ୍ବାନୀଙ୍କୁ ଜନ୍ମଦିନରେ ଚାଳିଶ କୋଟି ଟଙ୍କା ମୂଲ୍ୟର ଉଡାଜାହାଜ ଉପହାର ଦେଇଥିଲେ । ଭାରତୀୟ ଧନୀକମାନଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ପୃଥିବୀର ପ୍ରାୟ ୧୦୦ଟି ଦେଶର ସାମୁଦାୟିକ ସମ୍ପତ୍ତିଠାରୁ ଅଧିକ । ଏବଂ ମାତ୍ର ୯୨୦୦୦ ଏକର ଜାଗାରେ ଏ ସମଗ୍ର ସମ୍ପତ୍ତି ଗଚ୍ଛିତ ରହିଛି, ଯାହାକି ବମ୍ବେ ମହାନଗରୀର ଅର୍ଦ୍ଧାଂଶରୁ ଅଧିକ ହେବ ନାହିଁ ।

ତେଣୁ ଆମ ଦେଶରେ ଦୁଇଟି ଭାରତ ଏକାଠି ରହନ୍ତି । ଗୋଟିଏ ହେଲା ପଇସାବାଲାଙ୍କ ଭାରତ ଓ ଅନ୍ୟଟି ହେଲା ଦରିଦ୍ର ଭାରତ । ଦ୍ୱିତୀୟ ଭାରତରେ ବିଶ୍ୱର ଦରିଦ୍ର ଜନତାଙ୍କର ଏକ ତୃତୀୟାଂଶ ରହନ୍ତି । ସଂଖ୍ୟା ପ୍ରାୟ ୪୫ କୋଟି ୬୦ ଲକ୍ଷ । ପ୍ରତି ଦଶ ଜଣରେ ଚାରି ଜଣ । ପ୍ରତ୍ୟେକଙ୍କ ହାରାହାରି ଦୈନିକ ରୋଜଗାର ୫୦ ଟଙ୍କାରୁ କମ୍ । ଓଡ଼ିଶାରେ ଏହି ପରିମାଣ ଅଧାରୁ କମ୍ । ଏଠି ଦରିଦ୍ର ଖାଉଟିଙ୍କ ମୁଣ୍ଡ ପିଛା ଦୈନିକ ଖର୍ଚ୍ଚ ମାତ୍ର ବାର ଟଙ୍କା । ତେଣୁ ‘ମୁକେଶ’ ଓ ‘ମକରା’ଙ୍କ ଭାରତ ଗୋଟିଏ ଦେଶ ନୁହେଁ । ଉଭୟଙ୍କର ସ୍ୱପ୍ନ, ବିଶ୍ୱାସ, ବିଚାର ଓ ବ୍ୟବହାର ଅଲଗା ଅଲଗା ।

ଯେଉଁ ଦେଶର ଉଦ୍ୟୋଗପତି, ଶିଳ୍ପପତି, ଧନୀକ ଓ ବଣିକ ଏକାଠି ହେଲେ ୧୦୦ଟି ଦେଶକୁ କିଣି ପାରିବେ, ସେମାନେ ନିଜ ଦେଶର ଦରିଦ୍ର ଲୋକଙ୍କପାଇଁ କ’ଣ କରୁଛନ୍ତି ? ଏ ପ୍ରଶ୍ନ ବାରମ୍ବାର ପଚରାଗଲାଣି । ଇଂରାଜୀରେ ଏହାର ଅନ୍ୟ ନାମ ହେଲା ‘କର୍ପୋରେଟ୍ ସୋସିଆଲ୍ ରେସ୍‌ପନସ୍‌ବିଲିଟି’ ବା ବ୍ୟବସାୟୀ ସଂସ୍ଥାଙ୍କ ସାମାଜିକ ଦାୟିତ୍ୱବୋଧ । ମହାତ୍ମା ଗାନ୍ଧୀ କହୁଥିଲେ, ବ୍ୟବସାୟୀମାନେ ହେଲେ ଦେଶରେ ଉତ୍ପାଦିତ ଧନର ଟ୍ରଷ୍ଟି - ମାଲିକ ନୁହଁନ୍ତି । ନିଜ ନିଜର ଆବଶ୍ୟକତା ପୂରଣ ପରେ ଏହି ବଳକା ଲାଭ ସାଧାରଣ ଜନତାଙ୍କ ଜୀବନ-ଧାରଣ-ମାନ ବଢ଼ାଇବାରେ ଖର୍ଚ୍ଚ ହେବା ଦରକାର ।

ବିକଳ୍ପ ବିଶ୍ୱ ୧୯