ପୃଷ୍ଠା:Bikalpa Biswa.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବେ ହାର୍ଭାଡ୍ ବିଜିନେସ୍ ସ୍କୁଲର ପ୍ରଫେସର ‘ମାଇକେଲ ପୋର୍ଟର’ ଏ ସମ୍ପର୍କରେ ନିଜର ଗବେଷଣାର ଫଳାଫଳକୁ ଉଲ୍ଲେଖ କରି ‘ବିଜିନେସ୍ ରିଭିଉ’ ପତ୍ରିକାରେ ଲେଖିଛନ୍ତି ଯେ ଯେଉଁ ବ୍ୟବସାୟୀ ସଂସ୍ଥାମାନେ ନିଜର ଲାଭାଂଶ ସମାଜକୁ ଫେରାଇଥାନ୍ତି ସେମାନଙ୍କର ବ୍ୟବସାୟ ଭଲ ଚାଲେ, ସେମାନଙ୍କ ଉପରେ ଖାଉଟିମାନଙ୍କର ଅଧିକ ଆସ୍ଥା ଓ ବିଶ୍ୱାସ ଥାଏ ।

ଦୁର୍ଭାଗ୍ୟର କଥା ଯେ କେବଳ ଟାଟାଙ୍କୁ ଛାଡିଦେଲେ ପ୍ରାୟ ଅନେକ ଭାରତୀୟ କମ୍ପାନିଙ୍କର ସାମାଜିକ ଦାୟିତ୍ୱବୋଧ ନିରୁତ୍ସାହଜନକ ଓ ଦାନ ପରିମାଣ ନଗଣ୍ୟ । ଏଠି ଜଣେ ମହିଳା ନିଜ ସ୍ୱାମୀଙ୍କୁ ୪୦ କୋଟି ଟଙ୍କାର ଜନ୍ମଦିନ ଉପହାର ଦେଇ ପାରନ୍ତି କିନ୍ତୁ ଏକଲକ୍ଷରୁ ଊର୍ଦ୍ଧ୍ୱ ଧନାଢ୍ୟ ବ୍ୟକ୍ତି ଓ କମ୍ପାନିଙ୍କର ସମାଜ କଲ୍ୟାଣପାଇଁ ସାମୁଦାୟିକ ବାର୍ଷିକ ଦାନର ପରିମାଣ ମାତ୍ର ୪୦୦ କୋଟି ଟଙ୍କା । ବରଂ ଭାରତରେ କାମ କରୁଥବ। ବିଦେଶୀ କମ୍ପାନି ମାଇକ୍ରୋସଫ୍‌ଟ ଓ ସିଟି ବ୍ୟାଙ୍କର ସମାଜ କଲ୍ୟାଣପାଇଁ ବାର୍ଷିକ ଦାନର ପରିମାଣ ଏହାଠାରୁ ଯଥେଷ୍ଟ ଅଧିକ ।

ଏବେ ‘କେପିଏମ୍‌ଜି' ୨୭ଟି ବଡ଼ ବଡ଼ ଭାରତୀୟ ବ୍ୟବସାୟୀ ସଂସ୍ଥା ସର୍ଭେ କରି ଜଣାଇଛନ୍ତି ଯେ ଏମାନଙ୍କ ମଧ୍ୟରୁ ମାତ୍ର ତିନିଟି ସଂସ୍ଥା ସମାଜ କଲ୍ୟାଣପାଇଁ କିଛି ପଇସା ଖର୍ଚ୍ଚ କରିଛନ୍ତି । ତେଣୁ ତିନିମାସ ତଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ କହିଲେ କି ଲାଭରେ ଚାଲିଥିବା କଳ, କାରଖାନା, ବ୍ୟବସାୟ ଓ ସେବା ସଂସ୍ଥା ନିଜ ଲାଭର ୩୫ ପ୍ରତିଶତ ଜନମଙ୍ଗଳ କାର୍ଯ୍ୟରେ ବିନିଯୋଗ କରନ୍ତୁ - ତାଙ୍କର ଏଇ ସୁଚିନ୍ତିତ ମନ୍ତବ୍ୟ ବିରୋଧରେ ପାଟିତୁଣ୍ଡ ଆରମ୍ଭ ହୋଇଗଲା । ପରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଏତାଦୃଶ ମନ୍ତବ୍ୟକୁ ମଧ୍ୟ କମ୍ପାନିମାନେ ନାକଚ କରିଦେଲେ ।

ଆମ ସମାଜରେ ଏକ ଉକ୍ତି ଅଛି - ‘ଦେବା ଓ ମରିବାକୁ କେହି ଭଲ ପାଆନ୍ତି ନାହିଁ’ ଯେତେ ଲାଭ ହେଉ, ଯେତେ ବୟସ ହେଉ । ହିନ୍ଦୁସ୍ଥାନ ଟାଇମ୍‌ସର ପ୍ରଖ୍ୟାତ ଓ ଜନପ୍ରିୟ ସ୍ତମ୍ଭକାର ସର୍ଦ୍ଧାର ଖୁସୱନ୍ତ ସିଂ, ସ୍ୱର୍ଗତ କେ.କେ.ବିରଳାଙ୍କ ସ୍ମୃତିରେ ଏକ ଆଲେଖ୍ୟରେ ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ଶିଳ୍ପପତି ବିରଳା ପ୍ରଥମଥରପାଇଁ ଖୁସଓ୍ୱନ୍ତଙ୍କ ଘରକୁ ଆସି ଦାଣ୍ଡ ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ଦେଖିଲେ, ପକେଟ୍‌ରୁ ମାତ୍ର ଚାରଣା ପଇସା କାଢ଼ି ଦାନ କରିଥିଲେ । ଗଣେଶଙ୍କୁ ଚାରଣା ଚଳିବ, କିନ୍ତୁ ଗଣ ବା ସାଧାରଣ ଜନତାପାଇଁ ଏହା କୃପଣତା ବିବେଚିତ ହେବ । ବିରଳାଙ୍କର ବଦାନ୍ୟତାର ଉଦାହରଣ ବି ରହିଛି ।

ତେଣୁ ପ୍ରାୟ ଦୁଇଶହ ବର୍ଷ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ଦ୍ୱିତୀୟ ଧନାଢ୍ୟ ବ୍ୟକ୍ତି

୨୦ ବିକଳ୍ପ ବିଶ୍ୱ