ପୃଷ୍ଠା:Bikalpa Biswa.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

‘ୱାରେନ ବୁଫେ’ ଯେତେବେଳେ ତାଙ୍କ କମ୍ପାନିର ସବୁତକ ଲାଭ ଜନହିତକର କାମପାଇଁ ପ୍ରତିଷ୍ଠିତ ‘ବିଲ୍ ଓ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍’କୁ ଦାନ କରିଦେଲେ, ଏପରି ଛପର୍‌ଫାଡ୍ ଦାନ ସାରା ବିଶ୍ୱକୁ ଚମକାଇ ଦେଇଥିଲା । ଭାରତୀୟ ଲାଭଖୋର ବ୍ୟବସାୟୀମାନେ ପ୍ରଥମେ ଏ ଖବରକୁ ବିଶ୍ୱାସ କରିନଥିଲେ । କାରଣ ସମଗ୍ର ଦାନର ପରିମାଣ ଥିଲା ୩୨ ବିଲିଅନ୍ ଡଲାର୍ ବା ଏକଲକ୍ଷ ଷାଠିଏ ହଜାର କୋଟି ଟଙ୍କା ।

ଆମେରିକାର ସବୁଠାରୁ ବଡ ଧନୀ ମାଇକ୍ରୋସଫ୍‌ଟ କମ୍ପାନିର ମାଲିକ ‘ବିଲ୍ ଗେଟ୍‌ସ ଓ ତାଙ୍କ ପତ୍ନୀ ମେଲିଣ୍ଡାଙ୍କଦ୍ୱାରା ପ୍ରତିଷ୍ଠିତ ଏହି ଫାଉଣ୍ଡେସନ୍ ପୃଥିବୀର ଦରିଦ୍ର ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜନମଙ୍ଗଳ କାର୍ଯ୍ୟପାଇଁ ବେଶ୍ ପରିଚିତ । ବିଲ୍ ମଧ୍ୟ ତାଙ୍କ କମ୍ପାନିର ଲାଭାଂଶର ଏକ ସିଂହ ଭାଗ ଫାଉଣ୍ଡେସନ୍‌କୁ ଦାନ କରିଛନ୍ତି ଓ ମାଇକ୍ରୋସଫ୍‌ଟର ମୁଖିଆ ଦାୟିତ୍ୱରୁ ଅବ୍ୟାହତି ନେଇ ସ୍ୱାମୀ ଓ ସ୍ତ୍ରୀ ଉଭୟେ ଫାଉଣ୍ଡେସନ୍ ଜରିଆରେ ଲୋକହିତକର କାମରେ ବ୍ୟସ୍ତ ଅଛନ୍ତି । ବୁଫେ ପୁଣି ବିଲ୍‌ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ତାଙ୍କ ଦାନର ସଦୁପଯୋଗ ହୁଏ, ତେବେ ସେ ପୁଣି ସେତିକି ପରିମାଣ ଦାନ କରିବେ । ମହାଦାନୀ ବୁଫେ, ଆମ ପୌରାଣିକ ଇତିହାସର ଦାନବୀର କର୍ଣ୍ଣ, ହରିଶ୍ଚନ୍ଦ୍ର ବା ବଳୀଙ୍କଠାରୁ କିଛି କମ୍ ନୁହଁନ୍ତି ।

ପୃଥିବୀରେ ସବୁଠାରୁ ବେଶୀ ଦାନ ମିଳିଥାଏ ଆନ୍ତର୍ଜାତିକ ରେଡ୍‌କ୍ରସ ସଂସ୍ଥାକୁ ପରିମାଣ ୧୫ ହଜାର କୋଟି ଟଙ୍କା । ଶିକ୍ଷା, ସଂସ୍କୃତି, ପ୍ରଚାର, ପ୍ରସାରପାଇଁ ୟୁନେସ୍କୋକୁ ବର୍ଷକୁ ଅଢେଇ ହଜାର କୋଟି ଟଙ୍କା ଦାନ ମିଳିଥାଏ । ଭାରତୀୟ ବ୍ୟବସାୟୀଙ୍କ ଦାନ ପରିମାଣ ଏହା ତୁଳନାରେ ନଗଣ୍ୟ । ୱାରେନ୍‌ଙ୍କ ପୂର୍ବରୁ ଫୋର୍ଡ, ରକ୍‌ଫେଲର୍ ଓ କାର୍ନେଜି ଫାଉଣ୍ଡେସନ୍ ସବୁଠୁ ବେଶୀ ଦାନ କରୁଥିଲେ । ତେବେ ତିନି ସଂସ୍ଥାର ମିଳିତ ଦାନ ପରିମାଣ ୩୦ ହଜାର କୋଟିରୁ ଅଧିକ ନୁହେଁ । ଏବେ ୱାରେନ୍ ସମସ୍ତଙ୍କୁ ଟପିଗଲେ ।

ସେ କହନ୍ତି, ଲାଭସଞ୍ଚିତ ଧନକୁ ନିଜ ପିଲାଙ୍କୁ ଦେଇ ସେମାନଙ୍କୁ ନଷ୍ଟ, ଭ୍ରଷ୍ଟ କରିବା ଅପେକ୍ଷା ମାନବ କଲ୍ୟାଣରେ ଲଗାଇଲେ ଦେଶ ଓ ବ୍ୟବସାୟ - ଉଭୟଙ୍କର ମଙ୍ଗଳ ହୁଏ । ଆମ ଓଡ଼ିଆରେ ଉକ୍ତି ଅଛି - ‘ପିଲା ଯଦି ଯୋଗ୍ୟ ହେଲା ଧନ କାହିଁପାଇଁ ସଞ୍ଚୁ - ପିଲା ଯଦି ଅଯୋଗ୍ୟ ହେଲା ଧନ କାହିଁପାଇଁ ସଞ୍ଚୁ’ । ୱାରେନ୍ କହନ୍ତି ସେ ନିଜ ବଂଶରେ ସମ୍ପତ୍ତିକୁ ବାନ୍ଧି ରଖିବାକୁ ଘୃଣା କରନ୍ତି । ଭାରତୀୟ କର୍ପୋରେଟ୍ ମହାରାଜାମାନେ ଶୁଣିବେ କି ?

ବିକଳ୍ପ ବିଶ୍ୱ ୨୧