ପୃଷ୍ଠା:Bikalpa Biswa.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଗେ ଗୋଟିଏ ଚର୍ଚ୍ଚ ପ୍ରତିଷ୍ଠାପାଇଁ ଜଣେ ମିସନାରିଙ୍କୁ ଅତି କମ୍‌ରେ ୫ ରୁ ୧୦ ବର୍ଷ କାଳ ଲାଗୁଥିଲା । ସେ ପ୍ରଥମେ ସଂପୃକ୍ତ ଅଞ୍ଚଳର ଲୋକଙ୍କ ସହ ମିଶୁଥିଲେ; ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଥିଲେ; ଶିକ୍ଷା, ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରୁଥିଲେ ଓ ତା’ପରେ ଯୀଶୁ ଓ ବାଇବଲ୍ କଥା କହୁଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ଲୋକଙ୍କ ଆସ୍ଥାଭାଜନ ହେବାପାଇଁ ୪୦ ବର୍ଷ ସମୟ ଲାଗିଥିଲା । ଏବେ ସେ କଥା ହେଉନାହିଁ । ଧର୍ମ ପ୍ରଚାରପାଇଁ ଗଭୀର ଅଧ୍ୟୟନ, ଧାର୍ମିକ ଜ୍ଞାନ, ତତ୍ତ୍ୱ ଓ ତ୍ୟାଗର ଆବଶ୍ୟକତା ପଡ଼ୁନାହିଁ । ପାଖରେ ବା ପଡୋଶୀ ଅଞ୍ଚଳରେ ଥିବା ବଡ଼ ବଡ଼ ଚର୍ଚ୍ଚକୁ ‘ଆଉଟ୍ ସୋର୍ସ’ କରାଯାଉଛି, ଅର୍ଥାତ୍ ଠିକାରେ ନୂଆ ଚର୍ଚ୍ଚ ସ୍ଥାପନ ଓ ଧର୍ମାନ୍ତରୀକରଣ ଦାୟିତ୍ୱ ଦିଆଯାଉଛି । ସଂଖ୍ୟାବୃଦ୍ଧି ଉପରେ ଦକ୍ଷତା, ଯୋଗ୍ୟତା, ସ୍ୱୀକୃତି ଓ ସହାୟତା ନିର୍ଭର କରୁଛି । କୋଟା ପୂରଣ ନ କରିପାରିଲେ ସହାୟତା ବନ୍ଦ ହୋଇଯାଉଛି ।

ଏହିଭଳି ଭାବରେ ଧର୍ମର ବ୍ୟବସାୟୀକରଣ ଊଣା ଅଧିକେ ପ୍ରାୟ ସବୁ ଧର୍ମକୁ ବ୍ୟାପିଲାଣି । ଏହା ସହିତ ତାଳ ଦେଇ ଧର୍ମ କୋଳାହଳ, ଧର୍ମ ବଜାର ସଂଖ୍ୟା ବି ବଢ଼ିବାରେ ଲାଗିଛି । ଦେଶର ନଈ, ନାଳ, ପୋଖରୀ, ହ୍ରଦ ଆଦି ଗଣେଶ, ସରସ୍ୱତୀ, ଦୁର୍ଗା, ଗଜଲକ୍ଷ୍ମୀଙ୍କ ମେଢ ଓ ମୂର୍ତ୍ତିର କାଦୁଅକୁ ବକ୍ଷରେ ଧରି ଧରି ଆକ୍ରାନ୍ତ ହୋଇଗଲେଣି । ଧର୍ମ ଗୁରୁ ଓ ପ୍ରଚାରକମାନେ ଅନୁଗତଙ୍କ ସଂଖ୍ୟା ବଢାଇବାପାଇଁ ପ୍ରବଳ ପ୍ରତିଯୋଗିତାରେ ବ୍ୟସ୍ତ, ଧର୍ମ ସଂସ୍କାରପାଇଁ ନୁହେଁ । ପାଶ୍ଚାତ୍ୟ ଦେଶମାନଙ୍କରେ ଶିକ୍ଷା, ବିଜ୍ଞାନ ଓ ଜୀବନ ଯାପନ ଶୈଳୀ ପ୍ରଭାବରୁ ଧାର୍ମିକ ବିଶ୍ୱାସ ବି କମିଗଲାଣି । ଆଉ ସହଜରେ ‘ନନ୍’ (ସନ୍ନ୍ୟାସିନୀ) ଓ ପାଦ୍ରୀ ମିଳୁନାହାନ୍ତି । ଏ କାମପାଇଁ ଏବେ ତୃତୀୟ ବିଶ୍ୱର ଗରିବ ଦେଶମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି । ତେଣୁ ଭାରତ ଏବେ ଉଭୟ ସଫ୍‌ଟୱେୟାର ଓ ନନ୍ ବା ସନ୍ନ୍ୟାସିନୀ ରପ୍ତାନି କରୁଛି । ଏମାନଙ୍କ ଯୌନ ନିର୍ଯ୍ୟାତନା ଖବର ବେଳେ ବେଳେ ପ୍ରକାଶ ପାଉଛି ।

ବିଭିନ୍ନ ଦେଶରେ ଧର୍ମ ବିଶ୍ୱାସ ଏବେ ଧର୍ମାନ୍ଧତାରେ ପରିଣତ ହେଲାଣି । ଧର୍ମ ସ୍ୱାଧୀନତା ଧର୍ମ-କଳହକୁ ଜନ୍ମ ଦେଲାଣି । ନିଜ ଧର୍ମ ରକ୍ଷା ନାମରେ ଅନ୍ୟ ଧର୍ମ ବିରୋଧରେ ଜିହାଦ୍ ଓ ଫତୁଆ ଜାରି ହେଉଛି । ଦ୍ୱାଦଶ ଶତାବ୍ଦୀରେ ବିଭିନ୍ନ ଧର୍ମଗୁରୁଙ୍କ ଡାକରାରେ ୧୦୦ ବର୍ଷ ଧରି ଯେଉଁ ‘କ୍ରୁସେଡ୍’ ବା ଧର୍ମଯୁଦ୍ଧ ଚାଲିଥିଲା, ସେଥିରେ ଲକ୍ଷ ଲକ୍ଷ ଖ୍ରୀଷ୍ଟିଆନ୍, ମୁସଲମାନ ଓ ଇହୁଦୀ ବଳି ପଡିଥିଲେ । ଏହା ପ୍ରକୃତରେ ଧର୍ମଯୁଦ୍ଧ ନଥିଲା, ଥିଲା ଧର୍ମାନ୍ଧ ମୂର୍ଖମାନଙ୍କ ଯୁଦ୍ଧ । ତେଣୁ କୁହାଯାଏ ପୃଥିବୀରେ କେବଳ ଜଣେ ସଚ୍ଚା ଖ୍ରୀଷ୍ଟିଆନ୍, ଜଣେ ସଚ୍ଚା ମୁସଲମାନ, ଜଣେ ସଚ୍ଚା ବୈାଦ୍ଧ ଓ ଜଣେ ସଚ୍ଚା

ବିକଳ୍ପ ବିଶ୍ୱ ୨୫