ପୃଷ୍ଠା:Bikalpa Biswa.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାନ୍ଧିବାଦୀ ଥିଲେ । ସେମାନେ ହେଲେ ଯୀଶୁ, ମହମ୍ମଦ, ବୁଦ୍ଧ, ଓ ଗାନ୍ଧୀ ନିଜେ ।

ଧର୍ମ ଈଶ୍ୱର ନୁହନ୍ତି, ଈଶ୍ୱରବାଦୀଙ୍କ ବିଶ୍ୱାସ । ବିଭିନ୍ନ ଧର୍ମ ସମ୍ପ୍ରଦାୟର ବିଶ୍ୱାସ ଓ ବିଚାର ଅଲଗା ଅଲଗା । ତାକୁ ସମ୍ମାନ ନ ଦେଇ ସମସ୍ତଙ୍କୁ ନିଜ ବିଚାର ଓ ବିଶ୍ୱାସ ଗ୍ରହଣ କରିବାକୁ ପ୍ରବର୍ତ୍ତାଇଲେ ଧର୍ମ କନ୍ଦଳ ସୃଷ୍ଟି ହୁଏ । ଧର୍ମାନ୍ତରୀକରଣ ରୋଗରୁ କୌଣସି ଧର୍ମ ବା ପନ୍ଥା ମୁକ୍ତ ନୁହଁନ୍ତି । ଦକ୍ଷିଣ ପୂର୍ବ ଏସିଆରେ ଲୋକଙ୍କୁ ତିନି ତିନି ଥର ଧର୍ମ ପରିବର୍ତ୍ତନ କରିବାକୁ ପଡିଛି, ‘ଆନିମିଜ୍‌ମ୍' ରୁ ହିନ୍ଦୁ ତାପରେ ବୌଦ୍ଧ ଓ ପରେ ଇସଲାମ ଓ ଖ୍ରୀଷ୍ଟିୟାନିଟି । ଭାରତରେ ସମ୍ରାଟ ଅଶୋକ ସର୍ବପ୍ରଥମେ ଧର୍ମାନ୍ତରୀକରଣ ଉଦ୍ୟମ ଆରମ୍ଭ କରିଥିଲେ । ଭାରତ ଖଣ୍ଡ ବିଖଣ୍ଡ ହେବାର ପ୍ରଧାନ କାରଣ ଥିଲା ଧର୍ମାନ୍ତରୀକରଣ । ତେଣୁ ଏହା ଆମ ଦେଶରେ ଏକ ସ୍ପର୍ଶକାତର ବିଷୟ ।

ଭାରତ ଧର୍ମ ଭିତ୍ତିରେ ବିଭାଜିତ ହେଲା । ଯେଉଁମାନେ ସ୍ୱତନ୍ତ୍ର ରାଷ୍ଟ୍ର ଦାବୀ କଲେ ଓ ନେଲେ ସେମାନଙ୍କ ପୂର୍ବପୁରୁଷ ଥିଲେ ହିନ୍ଦୁ । ଉତ୍ତର ପୂର୍ବ ଭାରତରେ ଖ୍ରୀଷ୍ଟିୟାନ୍, ବୋଡୋ, ଗୁର୍ଖା, ନାଗାମାନେ ସ୍ୱତନ୍ତ୍ର ରାଜ୍ୟ ଓ ରାଷ୍ଟ୍ର ଦାବି ଛାଡ଼ି ନାହାନ୍ତି । ଶ୍ରୀଲଙ୍କାରେ ତାମିଲ୍ ହିନ୍ଦୁମାନେ ସ୍ୱତନ୍ତ୍ର ରାଷ୍ଟ୍ରପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । କାଶ୍ମୀରରେ ପ୍ରାୟ ସବୁ ମୁସଲମାନ ଯେଉଁମାନେ ଏବେ ଆଜାଦୀ ଆନ୍ଦୋଳନ ଚଳାଇଛନ୍ତି, ଏକଦା ଥିଲେ ହିନ୍ଦୁ । ଇଣ୍ଡୋନେସିଆର ଇଷ୍ଟ୍ ଟିମୋର୍‌ର ଧର୍ମାନ୍ତରିତ ଖ୍ରୀଷ୍ଟିୟାନ୍‌ମାନେ ନିଜ ଦେଶରୁ ଅଲଗା ହୋଇ ନୂଆ ଦେଶ ପ୍ରତିଷ୍ଠା କରିଛନ୍ତି ।

ଆଫ୍ରିକାର ବହୁ ଦେଶରେ ଧର୍ମାନ୍ତରିତ ଲୋକେ ନିଜ ଭାଷା, ସଂସ୍କୃତି ହରାଇଥିବାରୁ ନୃତତ୍ତ୍ୱବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି । ଯାହା ପିଲାକୁ ସାପ କାମୁଡିଥାଏ, ତା ମା’ ପାଳ ଦଉଡି ଦେଖିଲେ ଡ଼ରେ । ଏକଥା ସତ ଯେ କନ୍ଧମାଳରେ ଯେଉଁ ଧର୍ମୀୟ ଲୋକଙ୍କ ସଂଖ୍ୟା ୧୯୫୧ରେ ଶତକଡା ଦୁଇଭାଗ ଥିଲା, ତାହା ଏବେ ୧୮ ଭାଗ ହେଲାଣି । ଏହା କାହିଁକି ଓ କିପରି ହେଲା, ସେ ସମ୍ପର୍କରେ ଆଦିବାସୀ ଓ ହିନ୍ଦୁ ସମାଜରେ ଆତ୍ମ-ସମୀକ୍ଷା ହେବା ଦରକାର । ଘରକୁ ଫେରିବା ଅପେକ୍ଷା ଘର ଛାଡ଼ି ନ ଯିବାପାଇଁ ସମାଜ ସଂସ୍କାର ଭାବନା, ଆନ୍ଦୋଳନ ଆବଶ୍ୟକ । ସେହିପରି ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟ ସଂଖ୍ୟାଗରିଷ୍ଠଙ୍କ ଆଶଙ୍କା, ଉଦ୍‌ବେଗକୁ ବୁଝିବା ଓ ଧ୍ୟାନ ଦେବା ଉଚିତ୍ ହେବ । ଉଭୟେ ନିଜ ନିଜ ଲକ୍ଷ୍ମଣ ରେଖା ସ୍ଥିର କରନ୍ତୁ ।

ଅଯଥା ସାମାଜିକ ସାମ୍ପ୍ରଦାୟିକ ଦ୍ୱନ୍ଦ, ରକ୍ତପାତ ରୋକିବାପାଇଁ ଅନେକ ଦେଶରେ

୨୬ ବିକଳ୍ପ ବିଶ୍ୱ