ପୃଷ୍ଠା:Bikalpa Biswa.pdf/୨୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିର୍ବାଚିତ ହୋଇ ଆସନ୍ତି କିନ୍ତୁ ପାର୍ଲାମେଣ୍ଟକୁ ଆସନ୍ତି ନାହିଁ କି ବସନ୍ତି ନାହିଁ । ଦିପିକା ଚିକାଲିଆ (ସୀତା), ରାଜବାବର୍, ଶତୃଘ୍ନ ସିହ୍ନା, ହେମାମାଳିନୀ, ଧର୍ମେନ୍ଦ୍ର, ଗୋବିନ୍ଦା, ଜୟପ୍ରଦା ଭଳି ନିର୍ବାଚିତ ଚିତ୍ରତାରକା ପାର୍ଲାମେଣ୍ଟରେ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନିଅନ୍ତି ନାହିଁ । କେତେକ ମାନ୍ୟବରଙ୍କ ଆଚରଣ ଦେଖି ସର୍କସ ପାର୍ଟିର ଦୃଶ୍ୟ ଭଳି ଲାଗେ ।

ଆମ ଦେଶରେ ପ୍ରତିଥର ଲୋକସଭା ନିର୍ବାଚନରେ ଖର୍ଚ୍ଚ ହୁଏ ପ୍ରାୟ ୫୦୦୦ କୋଟି ଟଙ୍କା ଓ ଲୋକସଭାର ବାର୍ଷିକ ବ୍ୟୟ ୪୪୦ କୋଟି ଟଙ୍କା । ମନ୍ତ୍ରୀମାନେ ଯେଉଁ ବଙ୍ଗଳାରେ ରହନ୍ତି ପ୍ରତି ବଙ୍ଗଳାର ବାର୍ଷିକ ମାର୍କେଟ୍ ଭଡା ହେବ ୧୫୦ କୋଟି ଟଙ୍କା । ଲୋକ ପ୍ରତିନିଧିଙ୍କୁ ଲୋକଙ୍କଠାରୁ ରକ୍ଷା କରିବାପାଇଁ ଭିଆଇପି ସିକ୍ୟୁରିଟିରେ ଅଜସ୍ର ପଇସା ଖର୍ଚ୍ଚ ହୁଏ । କମାଣ୍ଡୋମାନେ ଦେଶ ରକ୍ଷା ଛାଡ଼ି ଭିଆଇପି ରକ୍ଷାରେ ବ୍ୟସ୍ତ ରହନ୍ତି । ଆମ ଦେଶରେ କର୍ମଚାରୀମାନଙ୍କପାଇଁ ପେ’କମିଶନ ବସେ, କିନ୍ତୁ ମାନ୍ୟବରମାନେ ନିଜେ ବସି ନିଜର ଦରମା, ଭତ୍ତା ବଢାଇଥାନ୍ତି । ସଂସଦକୁ ନ ଆସିଲେ ବି ଦରମା, ଭତ୍ତା ମିଳିଥାଏ । ଏବେ ଭାରତର ପୂର୍ବତନ ଉପରାଷ୍ଟ୍ରପତି ଓ ଜଣେ ପୋଖତ ନେତା ନିର୍ବାଚନପାଇଁ ଟିକେଟର କିଣା ବିକା ହେଉଛି ବୋଲି ଅଭିଯୋଗ କରିଛନ୍ତି । ଅନ୍ୟ ଏକ ରିପୋର୍ଟରୁ ଜଣାପଡିଛି ଯେ ଚଳିତ ଲୋକସଭା-ରାଜ୍ୟସଭାରେ ଅପରାଧ-ଇତିହାସ ଥିବା ସାଂସଦଙ୍କ ସଂଖ୍ୟା ୧୨୫; ଏହା ସମୁଦାୟ ସଭ୍ୟ ସଂଖ୍ୟାର ଚାରିଭାଗରୁ ଭାଗେ । ଏଣୁ ଆଇନ୍ ପ୍ରଣୟନକାରୀ ଓ ଭଙ୍ଗକାରୀ ପାର୍ଲାମେଣ୍ଟ ଓ ବିଧାନସଭାରେ ଏକାଠି ବସନ୍ତି । ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ, ନିୟମ ମାନନ୍ତି ନାହିଁ । “ଦର୍ଦ୍ଧୁର ରବ ଶୁଣି ନୀରବ ପିକ, ମୂର୍ଖ ସଭାରେ ମୂକ ଯଥା ଧାର୍ମିକ” ଭଳି ନିଷ୍ଠାପର ସାଂସଦମାନେ ଚୁପ୍ ରହନ୍ତି - ସବ୍‌ସେ ଚୁପ୍ ଭଲା ।

ଭାରତରେ ଯୋଗ୍ୟ ଓ ବିଜ୍ଞ ଲୋକଙ୍କର ଅଭାବ ନାହିଁ । ତେଣୁ ଦେଶ କାହିଁକି ଅଯୋଗ୍ୟ, ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଅପରାଧୀଙ୍କ୍ୱାରା ଶାସିତ ହେଉଥିବ ? ବିବେକବାନ ସାଂସଦମାନେ ପାର୍ଲାମେଣ୍ଟକୁ ସଜାଡ଼ିବାପାଇଁ ପାର୍ଲାମେଣ୍ଟ ଭିତରେ ତର୍କବିତର୍କ ଆରମ୍ଭ କରନ୍ତୁ । ଏହା ଶୀଘ୍ର ନ ହେଲେ ଅଧିକରୁ ଅଧିକ ଲୋକେ ପ୍ରଚଳିତ ଗଣତାନ୍ତ୍ରିକ ପଦ୍ଧତି ଓ ପ୍ରକ୍ରିୟା ଉପରୁ ଆସ୍ଥା ହରାଇ ମାଓବାଦୀ, ନକ୍ସଲବାଦୀ ଓ ବ୍ୟବସ୍ଥା ପରିବର୍ତ୍ତନବାଦୀଙ୍କ ଆଶ୍ରା ନେବେ । ସେତେବେଳକୁ ଲେଡ଼ି ଗୁଡ଼ କହୁଣିକୁ ବୋହି ଯାଇଥିବ । ଭାରତର ବୁଦ୍ଧିଜୀବୀ, ନାଗରିକ ସମାଜ ଓ ଯୁବ ସମାଜ ଏକାଠି ହୋଇ ଏ ଅବସ୍ଥା ସୁଧାରିବାପାଇଁ ଆବଶ୍ୟକ ହେଲେ ଜନଆନେ୍ଦାଳନପାଇଁ ପ୍ରସ୍ତୁତ ରହନ୍ତୁ ।

୨୮୨ ବିକଳ୍ପ ବିଶ୍ୱ