ପୃଷ୍ଠା:Bikalpa Biswa.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୁପ୍ରିମ୍ କୋର୍ଟ ଓ ‘ଇଡିଅଟ୍’

ନିଜ ଗୋସେଇଁ ଶ୍ୱଶୁରଙ୍କୁ ହତ୍ୟା କରି ସାରିବା ପରେ ନିଜକୁ ‘ନିର୍ବୋଧ’ ଘୋଷଣା କରି ଆଇନ୍ ହାତରୁ ଖସିଯିବାପାଇଁ ଚେଷ୍ଟା କରୁଥିଲେ ମଧ୍ୟପ୍ରଦେଶର ହରି ସିଂ ଗୋଣ୍ଡ୍ । ଏବେ ସୁପ୍ରିମ୍‌କୋର୍ଟ ନିର୍ବୋଧତାର ସଂଜ୍ଞା ନିରୂପଣ କରି ଗୋଣ୍ଡ୍‌ଙ୍କ ଅପିଲ୍ ଖାରଜ କରିଦେଇଛନ୍ତି । ନିର୍ବୋଧମାନଙ୍କୁ ଇଂରାଜୀ ଭାଷାରେ କୁହାଯାଏ ‘ଇଡିଅଟ୍’ । ଅକ୍ସଫୋର୍ଡ ଡିକ୍ସିନାରୀ ଅନୁସାରେ ଇଡିଅଟ୍‌ର ପ୍ରକୃତ ସଂଜ୍ଞା ହେଲା ବୋଧଶକ୍ତିହୀନ ଓ ଯୁକ୍ତିସଙ୍ଗତ ଆଚରଣ ପ୍ରଦର୍ଶନପାଇଁ ଅସମର୍ଥ ବ୍ୟକ୍ତି, ଷ୍ଟୁପିଡ୍ ବା ନିର୍ବୋଧ ! ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଉଭୟ ଭଲ ପାଠ ପଢ଼ୁନଥିବା ବା ବୁଝିପ।ରୁନଥିବା ପିଲାଙ୍କୁ ଗାଳି ଦେଇ କହନ୍ତି - ଗଧ, ବୋକା, ଇଡିଅଟ୍, ଷ୍ଟୁପିଡ୍ । କିନ୍ତୁ ଭାରତୀୟ ପିଙ୍ଗଳ କୋଡ୍ ଧାରା ୮୪ ଅନୁସାରେ ଯଦି ଜଣେ ‘ଇଡିଅଟ୍’; ତାର ସବୁ ଦୋଷ, ଅପରାଧ ମାଫ୍ । ତେଣୁ ହରି ସିଂ ଗୋଣ୍ଡ୍ କୋର୍ଟକୁ କହିଥିଲେ ସେ ଜଣେ ‘ଇଡିଅଟ୍’, କିଛି ବୁଝି ପାରନ୍ତି ନାହିଁ, ଆଇନ୍‌କାନୁନ୍ ଓ ତାର ପରିଣାମ ଜାଣନ୍ତି ନାହିଁ, ତାଙ୍କ ମୁଣ୍ଡ ଠିକ୍ ନାହିଁ ।

ନିର୍ବୋଧ’ ଶବ୍ଦଟିକୁ ଆମେ ହାଲୁକା ଭାବରେ ବ୍ୟବହାର କରୁଁ । ଏ ଶବ୍ଦର ଅପବ୍ୟବହାର ବି ହୁଏ । କିନ୍ତୁ ସୁପ୍ରିମ୍ କୋର୍ଟଙ୍କ ନୂଆ ସଂଜ୍ଞା ଅନୁସାରେ କୌଣସି ବ୍ୟକ୍ତିଙ୍କୁ ଇଡିଅଟ୍ କହିବା କି କୌଣସି ବ୍ୟକ୍ତି ନିଜେ ଇଡିଅଟ୍ ବୋଲି ଦାବି କରିବା ଆଉ ସମ୍ଭବପର ହେବ ନାହିଁ । ଦେଶରେ ଇଡିଅଟ୍‌ମାନଙ୍କ ସଂଖ୍ୟା ବି କମିଯିବ । ଏହି ନୂଆ ସଂଜ୍ଞା ଅନୁସାରେ ଯେଉଁ ବ୍ୟକ୍ତି ଏକରୁ କୋଡିଏ ପର୍ଯ୍ୟନ୍ତ ଗଣି ପାରୁନଥିବେ, ସପ୍ତାହର ସାତ ଦିନର ନାଁ କହି ପାରୁନଥିବେ, ନିଜ ବାପ, ମା’ଙ୍କ ନାମ ମନେ ରଖିପାରୁନଥିବେ, ମାନସିକ ଦୃଷ୍ଟିରୁ ଅବ୍ୟବସ୍ଥିତ ଥିବେ - ତାଙ୍କୁ ‘ଇଡିଅଟ୍’ ବା ନିର୍ବୋଧ କୁହାଯିବ । ମାନସିକ ଅସ୍ଥିର ଓ ଅବ୍ୟବସ୍ଥିତ ଲୋକଙ୍କୁ ପୁଣି ଚାରି ଭାଗରେ ବଣ୍ଟାଯାଇଛି - (୧) ଇଡିଅଟ୍ (୨) ଅତ୍ୟନ୍ତ ଅସୁସ୍ଥ (୩) ପାଗଳ ଓ (୪) ନିଶାଗ୍ରସ୍ତ ।

ବିକଳ୍ପ ବିଶ୍ୱ ୨୯