ପୃଷ୍ଠା:Bikalpa Biswa.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗତବର୍ଷ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ, ଶାସକ ଦଳର ଜଣେ ପୁରୁଖା ମନ୍ତ୍ରୀଙ୍କୁ ‘ନନ୍‌ସେନ୍‌ସ’ କହିବାରୁ ମାନ୍ୟବର ମନ୍ତ୍ରୀ ରାଗି ଯାଇ କହିଥିଲେ ମୁଁ ନନ୍‌ସେନ୍‌ସ ନୁହେଁ, ତମେ ନନ୍‌ସେନ୍‌ସ । ଏବେ ଇଡିଅଟ୍ , ନନ୍‌ସେନ୍‌ସର ସଂଜ୍ଞା ନିର୍ଦ୍ଧାରଣ ପରେ ଆଉ ଏପରି କହିବା ବିପଜ୍ଜନକ ହେବ । ସେହିପରି କଥାକଥାକେ ପିଲାମାନଙ୍କୁ ନିର୍ବୋଧ ବାଳକ, ବାଳିକା, ଘରେ ଚାକରକୁ ଇଡିଅଟ୍ , ସ୍କୁଲ୍‌ରେ ଛାତ୍ରଛାତ୍ରୀମାନଙ୍କୁ ନନ୍‌ସେନ୍‌ସ କହିଲେ କୋର୍ଟରେ ପ୍ରମାଣିତ କରିବାକୁ ପଡିବ । ବାକ୍ ସଂଯମ ନଥିବା ଲୋକେ ହଇରାଣରେ ପଡ଼ିବେ । ବିନା ଭାବିଚିନ୍ତି ଗାଳି ଗୁଲଜ କରି ନିଜ ପାଟି ଖରାପ କରୁଥିବା ଲୋକଙ୍କ ଅବସ୍ଥା ଆହୁରି ଖରାପ ହେବ ।

ଇଡିଅଟ୍‌ମାନଙ୍କ ସମ୍ପର୍କରେ ବହୁ ଥଟ୍ଟା, ପରିହାସ, ଜୋକ୍ ସବୁ ଅଛି । ଆମ ଦେଶରେ ହୋଲି ପର୍ବ ଦିନ ଇଡିଅଟ୍‌ମାନଙ୍କ ସମ୍ମିଳନୀ ହୋଇ ‘ମହା-ନିର୍ବୋଧ’ ଉପାଧି ଦିଆଯାଏ । ଥରେ ଜଣେ ମହିଳା ଖୁବ୍ ରାଗିଯାଇ ତାଙ୍କ ସ୍ୱାମୀଙ୍କୁ କହିଲେ, ତମେ ଜଣେ ଇଡିଅଟ୍ , ସଦାବେଳେ ଇଡିଅଟ୍ ଥିଲ ଓ ଇଡିଅଟ୍ ହୋଇ ରହିବ ଏବଂ ଯଦି ଇଡିଅଟ୍‌ମାନଙ୍କ ଭିତରେ କିଏ ସବୁଠୁ ବଡ ଇଡିଅଟ୍ ଜାଣିବାକୁ ପ୍ରତିଯୋଗିତା ହେବ, ତମେ ସେ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିବ । ସ୍ୱାମୀ ପଚାରିଲେ ପ୍ରଥମ ନ ହୋଇ ଦ୍ୱିତୀୟ ହେବି କାହିଁକି ? ଉତ୍ତର ଦେଇ ସ୍ତ୍ରୀ କହିଲେ, "କାରଣ ତମେ ଜଣେ ଇଡିଅଟ୍" ।

ରାଜନୀତି କ୍ଷେତ୍ରରେ ‘ଇଡିଅଟ୍' ଶବ୍ଦ ବହୁଳ ଭାବରେ ବ୍ୟବହାର କରାଯାଏ । ଭାରତ ଇତିହାସରେ ଶତକଡା ୬୦ ଭାଗ ଇଡିଅଟ୍‌ମାନଙ୍କର ଇତିହାସ ବୋଲି କୁହାଯାଏ । ବିଭିନ୍ନ ଧର୍ମରେ ଇଡିଅଟ୍‌ଙ୍କ ସଂଖ୍ୟା ଏହାଠାରୁ ଅଧିକ । ଲେନିନ୍‌ଙ୍କ ଚିନ୍ତାଧାରାକୁ ସମର୍ଥନ କରୁଥିବା ୟୁରୋପୀୟ ସାମ୍ବାଦିକମାନଙ୍କୁ ସେତେବେଳେ କୁହାଯାଉଥିଲା ‘ଇଉଜ୍‌ଫୁଲ୍ ଇଡିଅଟ୍’ । ଲେନିନ୍ ନିଜେ ତାଙ୍କର ଜଣେ ପାଶ୍ଚାତ୍ୟ ବାମପନ୍ଥୀ ସମର୍ଥକ ହେଣ୍ଡରସନ୍‌ଙ୍କ ବିଷୟରେ ୧୯୨୨ ମସିହା ଫେବ୍ରୁଆରି ୧୦ ତାରିଖରେ ସହଯୋଗୀ ଜର୍ଜିଙ୍କୁ ଲେଖିଥିଲେ - ‘ହେଣ୍ଡରସନ୍ ଜଣେ ଷ୍ଟୁପିଡ୍ ଲୋକ ଏବଂ ସେଇ କାରଣରୁ, କିଛି ନ ଜାଣି ସେ ଆମକୁ ଅନ୍ଧ ସମର୍ଥନ କରୁଛନ୍ତି । ଏ ଉକ୍ତି ଏବେ ବି ବିବାଦୀୟ ହୋଇ ରହିଛି ।

୧୯୩୦ ଦଶକରେ ଇଂଲଣ୍ଡରେ ମୁଦ୍ରାସ୍ଫୀତି ଓ ଦୀର୍ଘକାଳୀନ ଅର୍ଥନୈତିକ ଦୁରବସ୍ଥା ଦେଖି ଷ୍ଟାଲିନ୍ ନିଜର ଜଣେ ଅନୁଗତ ସହଯୋଗୀଙ୍କୁ ଲଣ୍ଡନ ପଠାଇ ସେଠା କଳକାରଖାନାରେ କାମ କରୁଥିବା ଶ୍ରମିକମାନଙ୍କୁ କମ୍ୟୁନିଷ୍ଟ ଆନ୍ଦୋଳନରେ ଯୋଗ

୩୦ ବିକଳ୍ପ ବିଶ୍ୱ