ପୃଷ୍ଠା:Bikalpa Biswa.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୁଦ୍ଧ, ‘ବନ୍ଦ’ ଓ ବିଚାର ସଙ୍କଟ

ଛବିଶ ଶହ ବର୍ଷ ପୂର୍ବେ ଶାକ୍ୟମୁନି ବୁଦ୍ଧଦେବଙ୍କ ବାଣୀ ଥିଲା “କାମନାର ବିନାଶରେ ଦୁଃଖର ବିନାଶ” । ଅଗଷ୍ଟ ୨୫ ତାରିଖ ଦିନ କଲିକତାରେ ଉଦ୍ୟୋଗପତିମାନଙ୍କ ସଭାରେ ସାମ୍ୟବାଦର ନୂଆ ‘ପୋଷ୍ଟରବୟ’ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନୂତନ ବାଣୀ ହେଲା ‘ବନ୍ଦ୍’ର ବିନାଶରେ ବେରୋଜଗାରି ବିନାଶ ଓ ଦେଶର ବିକାଶ । ଅର୍ଥାତ୍ ବିକାଶପାଇଁ ବନ୍ଦ, ଧାରଣା, ଧର୍ମଘଟ ବନ୍ଦ କରିବାକୁ ହେବ । ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ବୁଦ୍ଧଦେବ ଉଦାରୀକରଣର ପକ୍ଷଧର ରୂପେ ମାର୍କସ୍‌ଧର୍ମୀ କମ୍ୟୁନିଷ୍ଟ ଓ ଅନ୍ୟ ବାମପନ୍ଥୀ ଦଳରେ ହଲଚଲ ସୃଷ୍ଟି କରି ଆସୁଛନ୍ତି । ତାଙ୍କୁ ଭାରତୀୟ କମ୍ୟୁନିଷ୍ଟ ଆନ୍ଦୋଳନର ‘ଡେଙ୍ଗ୍‌ସିଅ। ଓ ପିଙ୍ଗ୍' ବୋଲି କୁହାଯାଉଛି । ଚୀନ୍‌ରେ ମାଓବାଦୀକୁ କବର ଦିଆଯାଇ ଏବେ ଡେଙ୍ଗ୍‌ଙ୍କ ବିଚାରଧାରାରେ ସାମ୍ୟବାଦ ଓ ପୁଞ୍ଜିବାଦର ସୁସ୍ୱାଦୁ ଖେଚେଡ଼ି ଗୋଟିଏ ଡେକ୍‌ଚିରେ ରନ୍ଧା ହୋଇ ପରଷା ଯାଉଛି । ଏକଦା ସାମ୍ୟବାଦର ଲାଲଝଣ୍ଡାକୁ ବିଦ୍ରୂପ କରି ଡେଙ୍ଗ୍ କହୁଥିଲେ ବିରାଡ଼ି ଲାଲରଙ୍ଗ କି କଳାରଙ୍ଗ ହେଲେ କିଛି ଯାଏ ଆସେ ନାହିଁ , ଦେଖିବାକୁ ହେବ ସେ ପ୍ରକୃତରେ ମୂଷା ମାରି ପାରୁଛି କି ନାହିଁ ।

ନିଜର ସ୍ୱାଧୀନ ମତଯୋଗୁ ଡେଙ୍ଗ୍ ମାଓଙ୍କ କ୍ରୋଧର ଶିକାର ହୋଇଥିଲେ । କିନ୍ତୁ ମାଓଙ୍କ ପରେ ଡେଙ୍ଗ୍‌ଙ୍କ ଦର୍ଶନକୁ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଗ୍ରହଣ ଓ ଅନୁସରଣ କରି ଆଜି ପୃଥିବୀର ଦ୍ୱିତୀୟ ମହାଶକ୍ତି ହୋଇ ଠିଆ ହୋଇଛି । ଯେଉଁ ଚୀନ୍‌କୁ ଅଲମ୍ପିକ୍‌ରେ ପୂରାଇ ଦିଆ ହେଉନଥିଲା, ସେ ଦେଶ ଗତ ଅଲିମ୍ପିକ୍‌ରେ ସବୁଠାରୁ ଅଧିକ ପଦକ ହାସଲ କରିଛି । ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସବୁ ଅଲିମ୍ପିକ୍‌ଠାରୁ ବେଜିଂ ଅଲିମ୍ପିକ୍ ଥିଲା ସର୍ବଶ୍ରେଷ୍ଠ, ସୁନିୟୋଜିତ ଓ ଚିତ୍ତାକର୍ଷକ ଘଟଣା । ଏଥିପାଇଁ ଚୀନ୍ ଖର୍ଚ୍ଚ କରିଥିଲା ଏକଲକ୍ଷ ବୟାଅଶି ହଜାର କୋଟି ଟଙ୍କା । ସାମ୍ୟବାଦର ମହାନ୍ ମାନବୀୟ ଦର୍ଶନ, ପୁଞ୍ଜିବାଦର ସୃଜନାତ୍ମକ ପ୍ରୟୋଗ, କଠୋର ଶୃଙ୍ଖଳା ଓ ଦୃଢ଼ ଶାସନର ଅପୂର୍ବ ସମନ୍ୱୟ ଫଳରେ ଏହା ସମ୍ଭବପର ହେଲା । ସବୁଦିନ ବନ୍ଦ, ହରତାଳ, ଧର୍ମଘଟ, ତାଲାବନ୍ଦ,

ବିକଳ୍ପ ବିଶ୍ୱ ୩୩