ପୃଷ୍ଠା:Bikalpa Biswa.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୋମନାଥ ଏକଥା ବିଶ୍ୱାସ କରି ସ୍ୱାଧୀନ ନିଷ୍ପତ୍ତି ନେଲେ, ତାଙ୍କୁ ଦଳରୁ ବାହାର କରି ଦିଆଗଲା । ଜ୍ୟୋତିବସୁଙ୍କୁ ପ୍ରଧାନମନ୍ତ୍ରୀ ହେବା ସକାଶେ ଅନୁମତି ନ ମିଳିବାରୁ ସେ କହିଥିଲେ ଏହା ଦଳର ଐତିହାସିକ ନିର୍ବୋଧତା ବା ତ୍ରୁଟି । ହିଷ୍ଟରିକ୍ ବ୍ଲଣ୍ଡର୍ । ସ୍ୱାଧୀନତା ଆନ୍ଦୋଳନ ବେଳେ ଗାନ୍ଧୀଙ୍କୁ ବିରୋଧ କରି ଓ ପରେ ଇମର୍ଜେନ୍‌ସିକୁ ସମର୍ଥନ କରି ଦଳ ଐତିହାସିକ ତ୍ରୁଟି କରିଥିଲା ।

ଚୀନ୍ ଓ ଭିଏତନାମ ଭଳି କଠୋରପନ୍ଥୀ କମ୍ୟୁନିଷ୍ଟ ଦେଶ ସବୁ ପରିବର୍ତ୍ତିତ ପରିସ୍ଥିତିରୁ ଲାଭ ଉଠେଇବାପାଇଁ ନିଜର ନୀତି ପରିବର୍ତ୍ତନ କଲେ । ଭାରତୀୟ ବାମପନ୍ଥୀ ଦଳମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ । ଯଦି ବି କେତେକ ସମ୍ମାନାସ୍ପଦ ନେତା ଆଲୋଚନାର ସୂତ୍ରପାତ କରିବାକୁ ଚାହିଁଲେ, ତାଙ୍କୁ ଚୁପ୍ କରିିଦିଆଗଲା । ‘ବନ୍ଦ’ ବିରୋଧରେ ନିଜ ବିଚାରର ତୀବ୍ର ପ୍ରତିକ୍ରିୟା ଦେଖି ବୁଦ୍ଧଦେବ ବି ଚୁପ୍ ହୋଇଗଲେ । ଦର୍ଦୁର ରବ ଶୁଣି ନୀରବ ପିକ, ମୂର୍ଖ ସଭାରେ ମୂକ ଯଥା ଧାର୍ମିକ । ପ୍ରଗତିର ପରାଜୟ ହେଉ ପଛେ, ବନ୍ଦ୍‌ର ବିଜୟ ବାନା ଉଡ଼ୁଥାଉ !

ବିଭିନ୍ନ ସର୍ବେକ୍ଷଣରୁ ଜଣାପଡେ ଯେ, ଦେଶର ଶତକଡା ୯୦ ଭାଗ ନାଗରିକ ‘ବନ୍ଦ’ର ବିରୋଧୀ । ଦେଶର ବିଭିନ୍ନ ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମ୍‌କୋର୍ଟ ‘ବନ୍ଦ’ ବିରୁଦ୍ଧରେ ମତ ଓ ମନ୍ତବ୍ୟ ଦେଇ ସାରିଲେଣି । ଭାରତରେ ପ୍ରତିବର୍ଷ ବନ୍ଦ ଓ ଧର୍ମଘଟଯୋଗୁଁ ଯେଉଁ କ୍ଷତି ହୁଏ, ତାହାର ମୂଲ୍ୟ ୫୦ ହଜାର କୋଟି ଟଙ୍କାରୁ ଅଧିକ । ସିଙ୍ଗୁରଠାରେ ତୃଣମୂଳ କଂଗ୍ରେସର ବନ୍ଦ୍ ଓ ରାସ୍ତାରୋକ ଆନ୍ଦୋଳନ ଫଳରେ ଜାତୀୟ ରାଜପଥରେ ଅଟକି ରହିଥିବା ୨୫୦୦୦ ଟ୍ରକ୍ ଡ୍ରାଇଭରମାନେ ବିକ୍ଷୋଭ ଓ ‘ବନ୍ଦ୍’ ଡାକରା ଦେଲେ । ଏହା ଫଳରେ ପ୍ରତିିଦିନ ୫୦ ଲକ୍ଷ ଟଙ୍କା କ୍ଷତି ହେଲା । ମାଲ ନ ପହଞ୍ଚିବାରୁ ଫଳ, ପନିପରିବା, ତେଲ, ଡାଲି ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି ଫଳରେ ଖାଉଟିମାନେ ହରତାଳ, ଶୋଭାଯାତ୍ରା, ବିକ୍ଷୋଭ ଓ ‘ବନ୍ଦ୍’ ପ୍ରଦର୍ଶନ କଲେ । ଡାକ୍ତରଖାନାରେ ରୋଗୀମାନେ ଖାଦ୍ୟ ଓ ଔଷଧ ନ ପାଇ ଛଟପଟ ହେଲେ । କେତେକ ମୃତ୍ୟୁମୁଖରେ ପଡ଼ିଲେ ।

ବନ୍ଦ୍ ଏକ ବିଷଚକ୍ର - ଏବଂ କେତେକ ଦଳ ଓ ବ୍ୟକ୍ତିଙ୍କପାଇଁ ଏକ ଲାଭଜନକ ବ୍ୟବସାୟରେ ପରିଣତ ହେଲାଣି । କଲିକତାର ଅନ୍ୟ ନାମ ହେଲା ବନ୍ଦନଗରୀ । ୧୯୭୦ ଦଶକରେ ବମ୍ବେ ନଗରୀରେ ବନ୍ଦ ଓ ହରତାଳ, ମାଫିଆମାନଙ୍କ କବଳକୁ ଚାଲି ଯାଇଥିଲା । ଫଳରେ ବହୁ କଳ କାରଖାନା ବନ୍ଦ ହୋଇଗଲା ଓ ଲକ୍ଷାଧିକ ଲୋକ ନିଜର ଦାନାପାଣି ହରାଇଲେ, ଆତ୍ମହତ୍ୟାର ସଂଖ୍ୟା ବଢ଼ିଗଲା । ଶିଳ୍ପ ଓ ଶିଳ୍ପପତି ଉଭୟଙ୍କ ବିରୁଦ୍ଧରେ କ୍ରମାଗତ ଆନ୍ଦୋଳନ ଫଳରେ ଯୁବ ଉଦ୍ୟୋଗୀମାନେ ନୂଆ ଉଦ୍ୟୋଗରୁ ପଛଘୁଞ୍ଚା ଦେଇ ଚାକିରି ଖୋଜିବାରେ ଲାଗିଲେ । ଚାକିରି ନ ପାଇ ଆତଙ୍କବାଦୀ ଆନ୍ଦୋଳନରେ ଯୋଗଦେଲେ ।

ବିକଳ୍ପ ବିଶ୍ୱ ୩୫