ପୃଷ୍ଠା:Bikalpa Biswa.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେତେବେଳର କୋଟା ପରମିଟ୍ କଣ୍ଟ୍ରୋଲ ରାଜରେ ଆତ୍ମ ସମ୍ମାନ ସହ ଓ ବିନା ଲାଞ୍ଚରେ ଧାଁ ଧପଡ଼ରେ ନୂଆ ଉଦ୍‌ଯୋଗ ଅସମ୍ଭବ ହୋଇପଡ଼ିଥିଲା । ଏପରି ଅବସ୍ଥା ଦେଖି ଷ୍ଟେଟ୍‌ସମ୍ୟାନ୍ ଖବରକାଗଜ ଏକ କାର୍ଟୁନ୍ ପ୍ରଥମ ପୃଷ୍ଠାରେ ଛାପିଥିଲେ ! ଏକ ବ୍ୟସ୍ତ, ବିବ୍ରତ ଯୁବ ଉଦ୍ୟୋଗୀଙ୍କ ଚିତ୍ର ତଳେ ଲେଖା ଥିଲା ‘କଲିକତାରେ ହଠାତ୍ ଏକ ଯୁବ ଉଦ୍ୟୋଗୀଙ୍କ ଆବିର୍ଭାବ !! ଏହାର କାରଣ ଜାଣିବାପାଇଁ ବାମ ସାମ୍ମୁଖ୍ୟ ସରକାରଙ୍କ ତଦନ୍ତ ଆଦେଶ !!’

‘ବନ୍ଦ୍’ ନାଗରିକ ସ୍ୱାଧୀନତା ଓ ମାନବାଧିକାର ଉପରେ ଦିନ ଦ୍ୱିପ୍ରହରେ ଆକ୍ରମଣ । ରାସ୍ତାରୋକ, ଜଳାପୋଡ଼ା, ଯୋରଜବରଦସ୍ତି ଦୋକାନ ବଜାର ବନ୍ଦ କରିବା, ଚକା ଜାମ୍ ଓ ମାନୁ ନଥିବା ଲୋକଙ୍କ ବିରୁଦ୍ଧରେ ଦଙ୍ଗା, ଫସାଦ ସମଗ୍ର ମାନବ ସମାଜ ବିରୁଦ୍ଧରେ ଅପରାଧ । ସରକାରରେ ଥାଇ ବନ୍ଦ ଡାକରା ଦେଉଥିବା ଦଳର ସରକାରରେ ରହିବାର କୌଣସି ଅଧିକାର ନାହିଁ । ବିଭିନ୍ନ ଦଳରେ ଥିବା ବିଜ୍ଞ ଲୋକେ ବୁଦ୍ଧଦେବଙ୍କ ଭଳି ଏହାର ପ୍ରତିବାଦ କରନ୍ତୁ ଓ ସବୁ ଦଳଙ୍କ ମଧ୍ୟରେ ଏହି ବିଷୟରେ ଶୀଘ୍ର ରାଜନୈତିକ ବୁଝାମଣା ହେଉ । ଔଦ୍ଧତ୍ୟ ସହ ପୁରୁଣା ବିଚାରକୁ ଅପରିବର୍ତ୍ତନୀୟ, ଏକମାତ୍ର ସତ୍ୟ ବୋଲି କହିବା ବା ବିଶ୍ୱାସ କରିବା, ଅନ୍ୟ ମତ ବା ପ୍ରମାଣକୁ ଅନୁଧ୍ୟାନ ନ କରି ସଦାସର୍ବଦା ନିଜକୁ ଠିକ୍ ବୋଲି କହୁଥିବା, ଅବୁଝା ଏକଜିିଦିଆ ଲୋକଙ୍କୁ ଖାଣ୍ଟି ଓଡ଼ିଆରେ ‘ବାୟା’ ଓ କେତେକ ସ୍ଥଳରେ ‘ଆଡ଼ବାୟା’ ବୋଲି କୁହାଯାଏ । ସେହିଭଳି ଆଚରଣ କରୁଥିବା ଦଳ ପ୍ରତି ମଧ୍ୟ ଏଇ ବିଶେଷଣ ପ୍ରଯୁଜ୍ୟ । ବୁଦ୍ଧଙ୍କ ବିଦ୍ରୋହର ସ୍ୱରକୁ ବାୟାମାନେ ବୁଝିବାକୁ ଚେଷ୍ଟା କରନ୍ତୁ । ଆଦର୍ଶ ଓ ବିଚାରକୁ ‘ଅପରିବର୍ତ୍ତନୀୟ’ ଆଖ୍ୟା ଦେଲେ ଦଳ ହୋଇଯିବ ସମ୍ପ୍ରଦାୟ, ବିଚାର ହୋଇଯିବ ‘ଧର୍ମ’ ଓ ଦଳପତିମାନେ ହୋଇଯିବେ ‘ଧର୍ମାଧିକାରୀ’ ।

୧୧ ସେପ୍ଟେମ୍ବର, ୨୦୦୮

୩୬ ବିକଳ୍ପ ବିଶ୍ୱ