ପୃଷ୍ଠା:Bikalpa Biswa.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେବଳ ବୋକା ଲୋକେ ନମସ୍କାର କରନ୍ତି । ଉଦୀୟମାନ ସୂର୍ଯ୍ୟଙ୍କୁ କୋଟି ନମସ୍କାର ବି ଯଥେଷ୍ଟ ନୁହେଁ ।

ମୋହନ‌ଦାସ କରମଚାନ୍ଦ ଗାନ୍ଧୀଙ୍କୁ ଲୋକେ ‘ମହାତ୍ମା ଗାନ୍ଧୀ’ ଡାକିବାରୁ ସେ ଖୁବ୍ ଅସନ୍ତୁଷ୍ଟ ହେଉଥିଲେ । ପଣ୍ଡିତ ନେହୁରୁ ସ୍ୱାଧୀନତା ସଂଗ୍ରାମ ସମୟରେ ଛଦ୍ମ ନାମରେ ନିଜେ ନିଜକୁ ସମାଲୋଚନା କରି ବାରମ୍ବାର ଲେଖାମାନ ଖବରକାଗଜରେ ଛାପୁଥିଲେ । ଲେଖାଗୁଡିକର ସାରାଂଶ ଥିଲା - ଲୋକେ ‘ଜବାହରଲାଲଙ୍କୁ’ ଅନ୍ଧଭାବରେ ଅନୁସରଣ କଲେ ସେ ଦିନେ ଏକଛତ୍ରବାଦୀ ହୋଇଯିବାର ଭୟ ରହିଛି ... ଇତ୍ୟାଦି । ରାଜୀବ ଗାନ୍ଧୀ ବମ୍ବେ କଂଗ୍ରେସ ଅଧିବେଶନରେ ଦଳରୁ ଖୋସାମତିଆ ଓ ‘ପାୱାର ବ୍ରୋକର’ ମାନଙ୍କୁ ହଟାଇବାକୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ପୁଅକୁ ଡବଲ ପ୍ରମୋଶନ ମିଳିଥିବା ଖବର ପାଇଲା ପରେ ଲାଲବାହାଦୁର ଶାସ୍ତ୍ରୀ ପ୍ରମୋଶନ ଅର୍ଡରକୁ ବାତିଲ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ସଦାବେଳେ ଚାଚା, ଚାମଚାମାନଙ୍କୁ ଦୂରରେ ରଖୁଥିଲେ । ଇମର୍ଜେନ୍‌ସି ବେଳେ ଇନ୍ଦିରାଗାନ୍ଧୀ ତାଙ୍କ ଅନୁଗତ ଗଣମାଧ୍ୟମର ବ୍ୟବହାରରେ ଆଶ୍ଚର୍ଯ୍ୟ ହୋଇ କହୁଥିଲେ ମୁଁ ତୁମମାନଙ୍କୁ ଟିକିଏ ନଇଁ ଯିବାକୁ ସିନା କହିଥିଲି, କିନ୍ତୁ ତମେ ସବୁ ଗୁରୁଣ୍ଡିଲ କାହିଁକି ? ଏପରି ଆନୁଗତ୍ୟ ମୁଁ ଆଶା କରିନଥିଲି ।

କିମ୍ବଦନ୍ତୀ ଅଛି, ମହାମାନ୍ୟ ଚାଣକ୍ୟ ମହାରାଜା ଚନ୍ଦ୍ରଗୁପ୍ତଙ୍କୁ ତାଙ୍କ ଆଗରେ ଅତି ପ୍ରଶଂସା କରୁଥିବା ଏକ ଚାଟୁକାରର ଉଦ୍ଦେଶ୍ୟ ବୁଝି ପାରି ତତ୍‌କ୍ଷଣାତ୍ ବନ୍ଦୀ କରି ଜେଲ୍‌ଖାନାକୁ ପଠାଇଦେଇଥିଲେ । ପରେ ଜଣାପଡ଼ିଲା ଏହି ଚାଟୁକାର ପ୍ରକୃତରେ ଚନ୍ଦ୍ରଗୁପ୍ତଙ୍କୁ ହତ୍ୟା କରିବାପାଇଁ ଷଡଯନ୍ତ୍ରରେ ଲିପ୍ତ ଥିଲା ।

ମଧ୍ୟଯୁଗରେ ରାଜା ମହାରାଜାମାନେ ଦରମା ଦେଇ ଚାଟୁକାର ଓ ଚାମଚା ରଖୁଥିଲେ । ଏମାନେ ଛାମୁଙ୍କ ଶୂଳେଇ ବିଜେ ଓ ପହଡ଼ ଭାଙ୍ଗିବାପାଇଁ ମଧ୍ୟ ସ୍ତୁତିଗାନ କରୁଥିଲେ । ଏପରି ବଡ଼ ବଡ଼ କବି, ଲେଖକମାନେ ରାଜାଙ୍କ ଆଶୀର୍ବାଦପାଇଁ ତାଙ୍କୁ ସ୍ତୁତି କରି ପୁସ୍ତକ, କାବ୍ୟମାନ ରଚନା କରୁଥିଲେ, ପୁରସ୍କାର ପାଉଥିଲେ । ବିଭୀଷଣ, ରାବଣଙ୍କ ସ୍ତୁତିଗ।ନ କରିବାକୁ ମନା କରିବାରୁ ଲଙ୍କା ଛାଡ଼ିବାକୁ ପଡ଼ିଥିଲା । ସର୍ପ ରୂପରେ ସଇତାନ (ସାଟନ୍) ଆଦାମ୍ ଓ ଇଭ୍‌ଙ୍କୁ ନିଜ ଚାଟୁବାଣୀଦ୍ୱାରା ପ୍ରଭାବିତ କରିବା ଯୋଗୁଁ ଉଭୟେ ପାପଗ୍ରସ୍ତ ହୋଇ ପାରାଡାଇଜ୍ ବା ସ୍ୱର୍ଗରୁ ବହିଷ୍କୃତ ହୋଇଥିଲେ । ରୋମ୍ ସେନାବାହିନୀର ସୈନିକମାନେ ଦେଶ ପ୍ରତି ଆନୁଗତ୍ୟକୁ ପ୍ରାଧାନ୍ୟ ନ ଦେଇ ଅପାରଗ ସେନାପତିମାନଙ୍କୁ ଖୁସି କରିବାରେ ବ୍ୟସ୍ତ ରହିବାରୁ ରୋମ୍ ସାମ୍ରାଜ୍ୟ ଭୁଶୁଡ଼ି ପଡ଼ିଥିଲା ।

୩୮ ବିକଳ୍ପ ବିଶ୍ୱ