ପୃଷ୍ଠା:Bikalpa Biswa.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେକ୍ସପିଅର୍ ତାଙ୍କର ଐତିହାସିକ ନାଟକ ଜୁଲିଅସ୍ ସିଜରରେ ବ୍ରୁଟସ୍‌ଙ୍କ ଚରିତ୍ର ବର୍ଣ୍ଣନା କରି ଲେଖିଛନ୍ତି, ବ୍ରୁଟସ୍ ଦେଶ ପ୍ରତି ଆନୁଗତ୍ୟ ଓ ଅନ୍ତରଙ୍ଗ ବନ୍ଧୁ ଜୁଲିଅସ୍‌ଙ୍କ ପ୍ରତି ଆନୁଗତ୍ୟ ମଧ୍ୟରୁ ଦେଶ ପ୍ରତି ଆନୁଗତ୍ୟକୁ ପ୍ରାଧାନ୍ୟ ଦେଇଥିଲେ । ଏହି କାରଣରୁ ସେ ରୋମ୍‌ରେ ଜନପ୍ରିୟ ଥିଲେ । ଦେଶ ପ୍ରତି ଆନୁଗତ୍ୟ ପ୍ରକାଶ ଓ ଏହା ପ୍ରମାଣିତ କରିବାପାଇଁ ବ୍ୟକ୍ତି ବେଳେ ବେଳେ ନିଜର ବନ୍ଧୁ, ସ୍ୱଜନଙ୍କୁ ପରିତ୍ୟାଗ କରିଥାନ୍ତି ।

ପୃଥବୀର ବିଭନ୍ନ ଦେଶରେ ନିର୍ବାଚିତ ଜନ ପ୍ରତନିଧି ଓ ସାମ୍ବିଧାନିକ ପଦପଦବୀରେ ନିଯୁକ୍ତ ବ୍ୟକ୍ତିମାନେ ଶପଥ ଗ୍ରହଣ ବେଳେ ନିଜ ଦେଶ ଓ ସମ୍ବିଧାନ ପ୍ରତି ଆନୁଗତ୍ୟର ଶପଥ ନେଇଥାନ୍ତି, କୌଣସି ବ୍ୟକ୍ତି ବା ପରିବାର ପ୍ରତି ନୁହେଁ । ସେହି ପରି ରାଜନୈତିକ ଦଳର ସଭ୍ୟମାନେ ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରିଥାନ୍ତି । ଦଳ ଓ ଦଳପତିଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ସ୍ୱାଭାବିକ; କିନ୍ତୁ ଦଳର ଚାଚା, ‘ଡାଡି’ ବା ‘ଗଡ୍ ଫାଦର’ ଓ ସେମାନଙ୍କ ପିଲା କବିଲାଙ୍କୁ ଦଳ ଓ ଦେଶଠାରୁ ଉପରେ ରଖି ଚାମଚାଗିରି କରିବା କେବଳ ଆମେରୁଦଣ୍ଡୀ ପ୍ରାଣୀମାନଙ୍କ ପକ୍ଷରେ ସମ୍ଭବ । ଦେଶର ଦୁର୍ଭାଗ୍ୟ ଯେ, ଏବେ ଏହିପରି ଆମେରୁଦଣ୍ଡୀ ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଯୀଶୁଖ୍ରୀଷ୍ଟ କହୁଥିଲେ “ଜଣେ ବ୍ୟକ୍ତି ଏକ ସମୟରେ ଈଶ୍ୱର ଓ ସଇତାନ - ଉଭୟଙ୍କର ଅନୁଗତ ହୋଇପାରିବ ନାହିଁ । (ମାଥ୍ୟୁ ୬.୨୪) । ଆମେ ଏକ ସମୟରେ କେବଳ ଈଶ୍ୱରଙ୍କ ଆନୁଗତ୍ୟ, ପୂଜା ଓ ତାଙ୍କ ସନ୍ତାନମାନଙ୍କର ସେବା କରିପାରିବା ।”

‘ସାଇକୋଫାଣ୍ଟ’ ବା ତୋଷାମଦିଆମାନଙ୍କର ବିଭିନ୍ନ ରୂପ ଓ ସଂଜ୍ଞା ଅଛି । ଗୋଟିଏ ସଂଜ୍ଞା ଅନୁସାରେ ଏମାନେ ନିଜ ପାଦରେ ନ ଚାଲି ପେଟରେ ଚାଲନ୍ତି ଓ ପେଟ ଓଲଟାଇଲେ ଗୋଇଠା ଖାଆନ୍ତି । ନିଜ ସ୍ୱାର୍ଥ ରକ୍ଷାପାଇଁ ଚାମଚାଗିରିକୁ ଇଂରାଜୀରେ କହନ୍ତି ‘ଲଜିକାଲ୍ ଫାଲାସି’ । ସକ୍ରେଟିସ୍‌ଙ୍କ ଅନୁସାରେ ତୋଷାମଦି ଏକ ଲୋକ ଦେଖାଣିଆ ପନ୍ଥା, ବନ୍ଧୁତ୍ୱ ଓ ଛଳନା । ସଚ୍ଚୋଟ, ନିଷ୍ଠାପର, ପରିଶ୍ରମୀ, ବୁଦ୍ଧିମାନ୍ ଓ ଦୃଢ଼ନିଶ୍ଚୟ ବ୍ୟକ୍ତିଙ୍କୁ ଚାମଚା ଓ ଚାଚାମାନେ ପ୍ରଭାବିତ କରିପାରନ୍ତି ନାହିଁ । ମ୍ୟାନେଜମେଣ୍ଟ ଗୁରୁ ପିଟର୍ ଡ୍ରକର୍ କହନ୍ତି, ଯାହାର ଦୂରଦୃଷ୍ଟି ଓ ସମଦୃଷ୍ଟିର ଅଭାବ, ଜ୍ଞାନ, କୌଶଳ ଓ ପ୍ରଫେସନାଲିଜିମ୍‌ର ଅଭାବ, ବ୍ୟକ୍ତିତ୍ୱ ଓ ନେତୃତ୍ୱ ଦୁର୍ବଳ ସେ ଚାମଚାଗିରି କରି ଉପରକୁ ଉଠିବାପାଇଁ ଚେଷ୍ଟା କରିଥାନ୍ତି । ପ୍ରକୃତ ନେତୃତ୍ୱ ହେଲା - ଉପରିସ୍ଥ ହାକିମଙ୍କୁ ଅତି ପ୍ରଶଂସା ନ କରି କର୍ମଠ ଅଧସ୍ତନ କର୍ମଚାରୀଙ୍କ କାମକୁ ପ୍ରଶଂସା ଓ ଉତ୍ସାହିତ କରିବା ।

‘ମୋଟିଭେଟ୍’ ବା ଉତ୍ସାହିତ କରିବାର ଆଠଟି ଉପାୟରୁ ଏହା ଗୋଟିଏ ଉପାୟ । ଯେଉଁମାନେ ଚାମଚାଗିରି କରନ୍ତି, ସେମାନଙ୍କୁ ଜଣା, କ’ଣ କହିଲେ ହାକିମଙ୍କୁ, ବଡ ନେତାଙ୍କୁ, ଚାଚାଙ୍କୁ ଭଲ ଲାଗିବ ଏବଂ ସେ ଯାହା କହିବେ ସବୁଥିରେ କେମିତି ହଁ

ବିକଳ୍ପ ବିଶ୍ୱ ୩୯