ପୃଷ୍ଠା:Bikalpa Biswa.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାରିବାକୁ ହେବ । ଚତୁର ପ୍ରେମିକମାନେ ଏ ବିଦ୍ୟାରେ ପାରଙ୍ଗମ । “ଯୋ ତୁମ୍ କୋ ହୋ ପସନ୍ଦ, ୱହି ବାତ୍ କରେଙ୍ଗେ - ତୁମ ଦିନ୍‌କୋ ଅଗର ରାତ୍ କହୋ, ତୋ ରାତ୍ କହେଙ୍ଗେ” । ଆଉ ଏକ ପ୍ରକାର ଖୋସାମତିକୁ କହନ୍ତି - ‘ପଏଜନ୍‌ଡ ଫ୍ଲାଟେରି’ ବା ବିଷାକ୍ତ ଚାଟୁ । ଏହାକୁ ବିଶ୍ୱାସ କରିବା ଲୋକେ ଖାଲରେ ପଡ଼ିଥାନ୍ତି । ଅଭ୍ୟାସଗତ ଭାବରେ ଚାମଚାଗିରି କରୁଥିବା ଲୋକଙ୍କୁ ‘କ୍ରନିକସାଇକୋଫାଣ୍ଟ’ ବୋଲି କୁହାଯାଏ - ସତେ ଯେମିତି ଏହା ତାଙ୍କ ଡି.ଏନ୍.ଏ.ର ଅଂଶ ।

ଯେଉଁମାନେ ବୁଦ୍ଧିଆ ଚାଟୁକାର, ସେମାନେ ଶିବଙ୍କୁ ସନ୍ତୋଷ କରିବା ପୂର୍ବରୁ ଆଗ ତାଙ୍କ ବାହାନ ନନ୍ଦିଙ୍କୁ ହାତ କରି ନିଅନ୍ତି । ମାଙ୍କୁ ପ୍ରଭାବିତ କରିବାପାଇଁ ତାଙ୍କ ପିଲାଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତି । ଆଚରଣ ପରିବର୍ତ୍ତନ କରିବାପାଇଁ ଏମାନଙ୍କୁ ଯେତେ ବୁଝେଇଲେ ବୁଝନ୍ତି ନାହିଁ । ତେଣୁ ଚନ୍ଦ୍ରଗୁପ୍ତଙ୍କ ଆଗରେ ଚାମଚାଗିରି କରୁଥିବା ଚାରଣଙ୍କୁ ଚାଣକ୍ୟ ଯେମିତି ଜେଲ୍ ପଠାଇ ଦେଇଥିଲେ ସେହିଭଳି କଲେ ବା ଏପରି ମିଥ୍ୟାଚାଟୁକାରିତାକୁ ଦଣ୍ଡନୀୟ ଅପରାଧ କରିଦେଲେ ହୁଏତ ପରିବର୍ତ୍ତନ ଆସିପାରେ । ଏକ ସଚେତନ, ଶୃଙ୍ଖଳିତ, ସଭ୍ୟ ସମାଜରେ ଚାମଚାଗିରି ଉଧେଇ ପାରେ ନାହିଁ । ଆଜିର ଯୁବପିଢ଼ରୁ ଅନେକେ, ପାଦଚଟାଙ୍କୁ ଘୃଣା କରନ୍ତି । ଏମାନେ ଏକ ନୂତନ ସକାଳ, ନୂତନ ମୂଲ୍ୟବୋଧ ଓ ନୂତନ ସମ୍ମାନଜନକ ଜୀବନର ସନ୍ଧାନରେ ଅଛନ୍ତି । ଚାଚା, ଚାମଚା ଓ ପାଳିତ ପଶୁମାନଙ୍କ ପ୍ରଭାବରୁ ଏମାନଙ୍କୁ ଦୂରରେ ରଖିବାପାଇଁ ଉତ୍ସାହିତ କରିବା ଆମର ଏକ ସାମାଜିକ ଦାୟିତ୍ୱ ।

୧୦ ଜୁଲାଇ, ୨୦୦୮

୪୦ ବିକଳ୍ପ ବିଶ୍ୱ