ପୃଷ୍ଠା:Bikalpa Biswa.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଚରା ପୁରୁଷ !

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ଜନୈକ ପ୍ରଫେସରଙ୍କ ବିରୁଦ୍ଧରେ ଜଣେ ଛାତ୍ରୀ ଆଣିଥବା ଯୌନ ନିର୍ଯ୍ୟ।ତନା ଅଭିଯୋଗକୁ ‘ରାଜ୍ୟ ମହିଳା କମିଶନ’ ତଦନ୍ତ କରି ଏହା ଅମୂଳକ ଓ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ରିପୋର୍ଟ ଦେଇଛନ୍ତି । ଏହାର ତିନିମାସ ପୂର୍ବେ ନନ୍ଦିଗ୍ରାମ ପଞ୍ଚାୟତ ନିର୍ବାଚନ ବେଳେ ଶାନ୍ତିରକ୍ଷା ଓ ନିର୍ବାଚନରେ ଅବୈଧ ରାଜନୈତିକ ହସ୍ତକ୍ଷେପ ଓ ହିଂସାଚରଣ ରୋକିବା ଦାୟିତ୍ୱରେ କେନ୍ଦ୍ର ସୁରକ୍ଷାବଳର ଡିଜି ଆଲୋକ ରାଜ୍‌ଙ୍କ ବିରୁଦ୍ଧରେ ସିପିଏମ୍ ଦଳର ଦୁଇ ଜଣ ମହିଳା କର୍ମୀ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏହାର କାରଣ ଥିଲା ଆଲୋକ ରାଜ୍ ସ୍ଥାନୀୟ ସିପିଏମ୍ ଲୋକସଭା ସଦସ୍ୟ ଲକ୍ଷ୍ମଣ ସେଠ୍‌ଙ୍କ ଇଙ୍ଗିତ ଓ ଇସାରାରେ କାମ କରିବାକୁ ମନା କରୁଥିଲେ । ଆଲୋକ ରାଜ୍ ନିଜେ ଏହାର ତଦନ୍ତ ଦାବି କରିଥିଲେ ଓ ତଦନ୍ତ ପରେ ସେ ନିର୍ଦ୍ଦୋଷ ଓ ଅଭିଯୋଗ ନିରାଧାର ପ୍ରମାଣିତ ହେଲା ।

ଏପରି ଘଟଣାମାନଙ୍କରୁ ସ୍ପଷ୍ଟ ଯେ ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷାପାଇଁ ଯେଉଁ ଆଇନ୍ ତିଆରି ହୋଇଥିଲା ଏବେ ସେହି ଆଇନ୍‌କୁ ଓ ସେହି ମହିଳାଙ୍କୁ ବ୍ୟବହାର କରି ନିର୍ଦ୍ଦୋଷ ପୁରୁଷଙ୍କୁ ହଇରାଣ ହରକତ କରାଯାଉଛି, ଅପମାନିତ କରାଯାଉଛି । ଏବେ (୭/୮/୨୦୦୮) ଓଡ଼ିଶା ରାଜ୍ୟ ମାନବ ଅଧିକାର କମିଶନ ବିଧାନସଭା ଯୌନ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କୁ ଦୋଷମୁକ୍ତ କରିଛନ୍ତି । କାରଣ କେବଳ ଗାୟତ୍ରୀ ପଣ୍ଡାଙ୍କ ବ୍ୟତୀତ ଆଉ ସବୁ ସାକ୍ଷୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି (ସମ୍ବାଦ, ୮-୮-୦୮) କିନ୍ତୁ ପୋଲିସ୍ ତଦନ୍ତ ଚାଲୁ ରହିବ । ପ୍ରକୃତରେ ଏହା ମହେଶ୍ୱରଙ୍କ ନିର୍ଯ୍ୟାତନା ନା ସତରେ ଗାୟତ୍ରୀଙ୍କ ନିର୍ଯ୍ୟାତନା - ଏ ନିଷ୍ପତ୍ତିପାଇଁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବ । ମହିଳା ସଶକ୍ତୀକରଣପାଇଁ ସଂଶୋଧିତ ନୂଆ ଆଇନ୍ ଅନୁସାରେ ଏବେ ଯେ କୌଣସି ମହିଳା ଯେ କୌଣସି ପୁରୁଷଙ୍କ

ବିକଳ୍ପ ବିଶ୍ୱ ୪୧