ପୃଷ୍ଠା:Bikalpa Biswa.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବି ରକ୍ଷା କରିବ । ପୁ’ଣି ଛାଡ଼ପତ୍ର ଦେଲା ପରେ ବି ଭୂତ ସ୍ତ୍ରୀର ଭରଣ ପୋଷଣ କରିବ । ବିଚରା ପୁରୁଷ ! ଆଶା କରାଯାଏ ଯେ, ପୁରୁଷ ସ୍ତ୍ରୀ କଥା ଶୁଣିବ ନାହିଁ, ଶୁଣିଲେ ସେ ମାଇଚିଆ ‘ହେନ୍‌ପେକ୍‌ଡ’; କାହାକୁ ଡରିବ ନାହିଁ, ନଇଁବ ନାହିଁ, ନଇଁଲେ ଲୋକେ କହିବେ, ସେ ମର୍ଦ ନୁହେଁ, ଚୁଡ଼ି ପିନ୍ଧିବା ଦରକାର ।

କାନ୍ଦିବ ନାହିଁ, ମା ଆଗରେ ବି ନୁହେଁ । ଲୋକେ କହିବେ ଦୁର୍ବଳ, ସ୍ତ୍ରୀ ଲୋକ ଭଳି କାନ୍ଦୁଛି । ପିଲା ନ ହେଲେ ନଂପୁସକ, ପ୍ରତିଶୋଧ ନ ନେଲେ କାପୁରୁଷ, ସ୍ତ୍ରୀକୁ ପୋଷି ନ ପାରିଲେ ଅପଦାର୍ଥ, ପିଲାଙ୍କୁ ଖାଇବାକୁ ନ ଦେଇ ପାରିଲେ ଭିକାରୀ, ଅଣ୍ଟାରେ ପଇସା ନଥିଲେ ଅଯୋଗ୍ୟ । ବିଚରା ପୁରୁଷ ! ପୁରୁଷ ହେବାର ଅହଙ୍କାର ଏତେ ଦୂର୍ବଳ ଓ ଅସ୍ଥି ମଜ୍ଜାଗତ ଯେ ସାମାଜିକ ‘ପ୍ରେସର୍’ ଓ ମୂଲ୍ୟବୋଧ ଏତେ ନକାରାତ୍ମକ ଯେ, ତାହାର ପ୍ରଭାବରେ ସ୍ତ୍ରୀ ଓ କନ୍ୟାଠାରୁ ସାହାଯ୍ୟ ନେବା ଲଜ୍ଜାଜନକ । ଝିଅ ଘରେ ଖାଇଲେ ରହିଲେ ପାପ । ସ୍ତ୍ରୀ ରୋଜଗାରରେ ଚଳିଲେ ନର୍କ, ସ୍ତ୍ରୀର ଯୋଗ୍ୟତା, ରୋଜଗାର ସ୍ୱାମୀଙ୍କଠାରୁ ଅଧିକ ହେଲେ ପୁରୁଷତ୍ୱରେ ଆଞ୍ଚ ଲାଗେ । ଘର କାମ କରି, ପିଲା ସମ୍ଭାଳି ହାଉସ୍ ହଜବ୍ୟାଣ୍ଡ ହେବାକୁ ଲାଜ ଲାଗେ । ପିଲାଦିନୁ ପୁରୁଷ ମାନସରେ ଏହିସବୁ ‘ଭାଇରସ୍’ ବା ଭୂତାଣୁ ଭର୍ତ୍ତି କରିଦିଆଯାଇଥାଏ । ଏହି ପୁରୁଷର ସାରା ଜୀବନ ନିଜର ପୁରୁଷତ୍ୱ, ପିତୃତ୍ୱ, ଭ୍ରାତୃତ୍ୱ, ସ୍ୱାମୀତ୍ୱ, ପୁତ୍ରତ୍ୱ ପ୍ରମାଣ କରିବାରେ କଟିଯାଏ ।

ସାଇନ୍‌ସ ଓ ସମାଜର ପୁରୁଷତ୍ୱ ଉପରେ ସିଦ୍ଧାନ୍ତ ଅଲଗା । ସମାଜ କହେ ପୁରୁଷ ସବଳ, ନାରୀ ଅବଳା । ଈଶ୍ୱର ଓ ପ୍ରକୃତିର ଯୋଜନା କିନ୍ତୁ ଅଲଗା । ଏହି ଯୋଜନା ଅନୁସାରେ ପ୍ରତି ହଜାରେ ପୁଅରେ ୯୪୫ରୁ ୯୫୩ ଝିଅ ଜନ୍ମ ହୋଇଥାନ୍ତି କାରଣ ଜନ୍ମର ଏକ ବର୍ଷ ଭିତରେ ଦୁର୍ବଳତା ହେତୁ ପ୍ରାୟ ହଜାରକେ ୫୦ରୁ ୫୫ ପୁଅ ପିଲା ମରିଯାନ୍ତି । ତେଣୁ ଯେ ଜନ୍ମରୁ ଦୁର୍ବଳ ତାକୁ ସବଳ ଓ ଯେ ସବଳା ତାକୁ ଦୁର୍ବଳା ଚିତ୍ର କରି ସମାଜ ପୁରୁଷ ଉପରେ ଅଧିକ ବୋଝ ଓ ଦାୟିତ୍ୱ ଲଦି ଦିଏ । ବିଚରା ପୁରୁଷ ! ଏହାକୁ ସତ ଭାବି ସେ ସେହିଭଳି ନାଟକରେ ବ୍ୟସ୍ତ ରହେ । ସତକଥା ହେଲା, ଏକ ସ୍ୱାଭାବିକ ପରିବେଶରେ ପୁରୁଷ ଅପେକ୍ଷା ସ୍ତ୍ରୀ ଅଧିକ ବର୍ଷ ବଞ୍ଚିଥାନ୍ତି । କନ୍ୟାଶିଶୁ ଅପେକ୍ଷା ପୁତ୍ରଶିଶୁ ମୃତ୍ୟୁହାର ଅଧିକ ହୋଇଥାଏ ।

ପୁରୁଷ କିପରି କ୍ରମେ ଦୁର୍ବଳ ଓ ନିଷ୍ପ୍ରଭ ହୋଇଯାଉଛି, ସେ କଥା ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ବିଖ୍ୟାତ ଅଷ୍ଟ୍ରେଲୀୟ ନୃତତ୍ତ୍ୱବିତ୍ ମ୍ୟାକ୍ ଆଲିଷ୍ଟାର ତାଙ୍କ ନୂଆ ବହି “ମ୍ୟାନ୍‌ଥ୍ରୋପୋଲୋଜି : ସାଇନ୍‌ସ ଅଫ୍ ଇନାଡିକ୍ୱେଟ୍ ମଡର୍ଣ୍ଣ ମେଲ୍”ରେ । ଏହି ଅଧ୍ୟୟନ ଅନୁସାରେ ପ୍ରାକ୍-ଐତିହାସିକ ବୟସ୍କ ପୁରୁଷର ଶକ୍ତି ତୁଳନାରେ ଏବକାର

ବିକଳ୍ପ ବିଶ୍ୱ ୪୩