ପୃଷ୍ଠା:Bikalpa Biswa.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଲିମ୍ପିକ୍ ରେକର୍ଡ ଭାଙ୍ଗୁଥିବା ଯୁବ ପୁରୁଷ ଖେଳାଳୀଙ୍କ ଶକ୍ତି ଯଥେଷ୍ଟ କମ୍ । ଅତୀତରେ କେବଳ ଅଧ୍ୟୟନ ଓ ଗବେଷଣାରତ ପାଶ୍ଚାତ୍ୟ ପୁରୁଷଙ୍କୁ ଥଟ୍ଟାରେ କୁହାଯାଉଥିଲା “ଡେଡ୍ ହ୍ୱାଇଟ୍ ୟୁରୋପିଆନ୍ ମେଲ୍” - ବା ମୃତପ୍ରାୟ ଶ୍ୱେତକାୟ ୟୁରୋପୀୟ ମରଦ । ଏବେ ଜଣା ପଡ଼ିଲାଣି ଯେ - ଆଧୁନକି ଜୀବନଶୈଳୀ ପ୍ରଭାବରେ ପୁରୁଷତ୍ୱର ମୌଳିକ ପରିଚୟ ଶୁକ୍ରାଣୁ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏଥିପାଇଁ ଚିପା ପୋଷାକ, ମୋବାଇଲ୍ ଫୋନ୍, ଲ୍ୟାପଟପ୍, ବିଷାକ୍ତ ଖାଦ୍ୟ, ଧୂମପାନ, ମଦ୍ୟପାନ ଓ ମୋଟାପାକୁ ଦାୟୀ କରାଯାଉଛି । ଏହା ସାଙ୍ଗକୁ ଏବେ ଇଂଲଣ୍ଡବାସୀ କରିମ୍ ନ୍ୟାୟେର୍ଣ୍ଣିଆ ତାଙ୍କ ଲାବୋରେଟୋରୀରେ ସୃଷ୍ଟି କଲେଣି କୃତ୍ରିମ ଶୁକ୍ରାଣୁ । ଫଳରେ କାଳକ୍ରମେ ପ୍ରଜନନ କ୍ରିୟାରେ ମଧ୍ୟ ପୁରୁଷର ଆବଶ୍ୟକତା ଓ ପ୍ରାଧାନ୍ୟ ଲୋପ ପାଇବ ବୋଲି ଆଶଙ୍କା ହେଲାଣି । ତେଣୁ ପୁରୁଷ ସାବଧାନ୍ ।

ଅନ୍ୟାନ୍ୟ ଗବେଷଣାରୁ ଜଣାପଡ଼େ, ସ୍ତ୍ରୀ ଅପେକ୍ଷା ପୁରୁଷର ସହ୍ୟ ଶକ୍ତି କମ୍ , ଧୈର୍ଯ୍ୟ କମ୍, ଦୂରଦୃଷ୍ଟି କମ୍, ସ୍ନେହ, ଶ୍ରଦ୍ଧା, ତ୍ୟାଗ ଶକ୍ତି କମ୍ । ତେଣୁ ମହିଳା ସଶକ୍ତୀକରଣଠାରୁ ପୁରୁଷ ସଶକ୍ତୀକରଣର ଆବଶ୍ୟକତା ବେଶି । ତେଣୁ ପୁରୁଷଙ୍କ କଥା ବୁଝିବାକୁ ମହିଳା କଲ୍ୟାଣ ଭଳି ପୁରୁଷ କଲ୍ୟାଣ ବିଭାଗ ବା ମନ୍ତ୍ରଣାଳୟର ଆବଶ୍ୟକତା ରହିଛି । ମହିଳା ସ୍ୱାସ୍ଥ୍ୟପାଇଁ ଗାଇନୋକୋଲୋଜି ବିଭାଗ ରହିଛି, ସେମିତି ପୁରୁଷ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସ୍ୱତନ୍ତ୍ର ବିଭାଗ ଓ ଡାକ୍ତର ଦରକାର । ସ୍ୱତନ୍ତ୍ର ଗବେଷଣା ଦରକାର । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାନୁଷ୍ଠାନମାନଙ୍କରେ ପୁରୁଷ ଶିକ୍ଷକଙ୍କ ସଂଖ୍ୟା ହ୍ରାସ ଓ ମହିଳା ଶିକ୍ଷୟିତ୍ରୀଙ୍କ ସଂଖ୍ୟା ବୃଦ୍ଧି ଫଳରେ କିଶୋର ଛାତ୍ରମାନଙ୍କ ବ୍ୟକ୍ତିଗତ ଓ ଶାରୀରିକ ସମସ୍ୟା ଶୁଣିବାପାଇଁ ଶିକ୍ଷକ ନାହାନ୍ତି ।

ଏହି ପ୍ରକ୍ରିୟାରେ ଏକବିଂଶ ଶତାବ୍ଦୀ ସରିଲା ବେଳକୁ କେବଳ ଭାରତ ନୁହେଁ ପୃଥିବୀରୁ ବିଭିନ୍ନ କର୍ମକ୍ଷେତ୍ର, ବ୍ୟବସାୟ, ବାଣିଜ୍ୟ, ସେବାକ୍ଷେତ୍ରରୁ ପୁରୁଷମାନେ ହଟିଯିବେ । ଓଡ଼ିଶାରେ ଓ ଭାରତରେ ଝିଅମାନେ ଶିକ୍ଷା-ସଫଳତା କ୍ଷେତ୍ରରୁ ପୁଅମାନଙ୍କୁ ହଟାଇ ସାରିଲେଣି । ‘ନାନୋ’ ପ୍ରୟୋଗ ବିଦ୍ୟାର ପ୍ରସାର ଫଳରେ ବିଭିନ୍ନ ଯନ୍ତ୍ରପାତି ଅତି କ୍ଷୁଦ୍ର ହେବ ଓ ବାହୁବଳର ଆବଶ୍ୟକତା କମିଯିବ । ନାରୀ ସଶକ୍ତୀକରଣ ଆଇନ୍ ସଂଖ୍ୟା ଯେତେ ବଢ଼ିବ, ବିବାହ କରୁଥିବା ପୁରୁଷଙ୍କ ସଂଖ୍ୟା ସେତିକି କମିବ । ସମଲିଙ୍ଗୀ ଯୌନ ସମ୍ପର୍କ ସେତିକି ବଢିବ । ଧର୍ଷଣ ସଂଖ୍ୟା ବଢ଼ିବ ଓ ଧର୍ଷଣ-କୈନ୍ଦ୍ରିକ ହତ୍ୟା ସଂଖ୍ୟା ବୃଦ୍ଧି ହେବ । ଆଫ୍ରିକା, ଇଉରୋପ ଓ କାରିବୀୟ ଦେଶର ସମାଜ ବିଜ୍ଞାନୀମାନେ ଏ ବିଷୟରେ ଚିନ୍ତିତ ହୋଇ ପଡିଲେଣି । ଏ ଦେଶମାନଙ୍କରେ ଗୋଟିଏ ସ୍ତ୍ରୀ ସହ ସାରା ଜୀବନ ବିତାଉଥିବା ପୁରୁଷକୁ ଥଟ୍ଟା ତାମସା କରାଯାଏ, ନାମର୍ଦ ବୋଲି କୁହାଯାଏ ।

୪୪ ବିକଳ୍ପ ବିଶ୍ୱ