ପୃଷ୍ଠା:Chha mana atha guntha.pdf/୧୦୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସାଆନ୍ତାଣୀଙ୍କର କିନ୍ତୁ ଗୋଟିଏ ବିଚିତ୍ର ସ୍ୱଭାବ ଥିଲା, ସେଇଟି ଦୋଷ କି ଗୁଣ, ଆମ୍ଭେମାନେ ସ୍ଥିର କରିପାରୁ ନାହୁଁ, ଆପଣମାନେ ବୁଝନ୍ତୁ । ପାଞ୍ଚଟା କଥା ଯୋଡ଼ି ରଙ୍ଗଭଙ୍ଗ କରି କହିବାର ଶକ୍ତି ନ ଥିଲା, ପୁଣି କଥାଗୁଡ଼ାକ ଏତେ ଧୀର ଯେ, ଦାଣ୍ତ ଦୁଆର ଲୋକେ କେଭେ ତାଙ୍କର ତୁଣ୍ତ ଶୁଣି ନାହାନ୍ତି; ମାତ୍ର ସାଆନ୍ତେ ଉଆସ ମଧ୍ୟରେ କୌଣସି ପୋଇଲୀ ବା ଚାକର ଉପରେ ରାଗି ଚଳିହେଲେ ବା ମାରିବାକୁ ବସିଲେ, ସାଆନ୍ତାଣୀ କିଛି ନ ଶୁଝି ମଝିରେ ପଶିଯାନ୍ତି ଏବଂ ବିବିଧ ଯୁକ୍ତି ପ୍ରୟୋଗପୂର୍ବକ ତାହାର ନିର୍ଦ୍ଦୋଷତା ପ୍ରମାଣ କରାଇବାକୁ ବିବିଧ ପ୍ରକାର ଚେଷ୍ଟା କରନ୍ତି । ତେତେବେଳେ ତାଙ୍କର ସତ୍ୟ ମିଥ୍ୟା ଜ୍ଞାନ ଥାଏ ନାହିଁ; ସୁତରା ସାଆନ୍ତଙ୍କ ରାଗଟା ତାଙ୍କରି ମୁଣ୍ତ ଉପର ଦେଇ ଚାଲିଯାଏ । ପର ପାଇଁ ବିଶେଷରେ ଦୋଷୀକୁ ରକ୍ଷା କରିବା ପାଇଁ ମିଥ୍ୟା କଥା କହିବା ଏବଂ ଅନ୍ୟର ଅପରାଧ ସକାଶେ ଆପେ ଲାଞ୍ଛିତ ହେବା ଅବଶ୍ୟ ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ, ମାତ୍ର ଆଜିଯାଏ ତାଙ୍କର ସ୍ୱଭାବ ବଦଳି ନଥିଲା ।'ସ୍ୱଭାବୋ ନୈବ ମୁଚ୍ୟତେ ।' ଦୋଷୀ ହେଉ ବା ନିର୍ଦ୍ଦୋଷ ହେଉ, କାହାରି ଦୁଃଖ ଦେଖିଲେ ସେ କାନ୍ଦି ପକାଉଥିଲେ । ଆଉ ଗୋଟିଏ କଥା, ଉଆସ ମଧ୍ୟରେ ଦୁଇଟା ପୋଇଲୀ ମଧ୍ୟରେ ବା ବୋହୂ ବୋହୂ ମଧ୍ୟରେ କଳି ହେଲେ ସେ ପ୍ରାୟ ଦୁର୍ବଳ ପଟ ଧରି ଚାଲିବାର ଦେଖାଯାଏ । ଏଇଟା ଅବଶ୍ୟ ପକ୍ଷ ପାତିତାର ଅଭାବ ଥିଲା । ସାଆନ୍ତାଣୀଙ୍କର ଗୋଟିଏ ମହତ୍ ଦୋଷ ଥିଲା - ଅବଶ୍ୟ ମହତ୍ ଦୋଷ ବୋଲିବାକୁ ହେବ, ସାଆନ୍ତେ ସେଥିସକାଶେ ଚିରକାଳ ବିରକ୍ତ । ତାଙ୍କର ଘରକରଣା ବୁଦ୍ଧି ଜଡ଼ସଦ ନ ଥିଲା । ଟଙ୍କା ପଇସା ଯେ କି ମହାମୂଲ୍ୟ ପଦାର୍ଥ, ସେ ତାହା ଜାଣୁ ନ ଥିଲେ । ସେ ଖୋଜନ୍ତି ନାହିଁ, ସୁତରାଂ ହାତ ପୈଠ ହୁଏ ନାହିଁ । ଯଦି ଦୌବାତ୍ ଦୁଇ ଅଣା ଚାରି ଅଣା ପଇସା, ଟଙ୍କାଟିଏ, ସୁକିଟିଏ ହାତରେ ପଡ଼ିଯାଏ, ଧାନ ଉଷୁଆଁ ହାଣ୍ଠିତଳେ, ନୋହିଲେ କୁଣ୍ତାହାଣ୍ତି ତଳେ ଉଗାଡ଼ି ପକାନ୍ତି, ନୋହିଲେ ଚାଳବାଡ଼ରେ ଖୋସିଦିଅନ୍ତି । ଗାଁର କାହାରି ଝିଅ ଶାଶୁଘରୁକୁ ଯିବାବେଳେ ଶାଢ଼ୀ ଖଣ୍ତେ କିମ୍ବା ଥୋପ ଯୋଡ଼ାଏ କିମ୍ବା