ପୃଷ୍ଠା:Chha mana atha guntha.pdf/୧୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଜକୁ କୋଡ଼ିଏ ବରଷ ହେଲା ମୁଁ ଏହି ଫତେପୁର ସରଷଣ୍ଢ ତାଲୁକାରେ ଗୁମାସ୍ତା ଅଛି । ପ୍ରଥମେ ମେଦିନୀପୁରର କେରାମତ୍ ଅଲି ଜମିଦାର ରାମଚନ୍ଦ୍ର ମଙ୍ଗରାଜେ କଣ୍ଟବନ୍ଧକ ସୂତ୍ରେ ଏହି ଜମିଦାରୀ ପାଇଅଛନ୍ତି ।

(ଦାରୋଗା ଗୁହାଙ୍କୁ ଢେର ସୁଆଲ କଲେ, ଗୁହା ମଧ୍ୟ ଢେର ଜବାବ ଦେଲେ । ସେ ସମସ୍ତ ଛାଡ଼ିଦେଇ ଆମ୍ଭେମାନେ ଗୁହା ଜବାବର ସାର ସାର କେତୋଟି କଥା ବାଛି ଲେଖୁଅଛୁ ।)

ଗୁହାର ଜବାବ - 'ମଙ୍ଗରାଜେ ଘରୁ କିଛି ଟଙ୍କା ଦେଇ ଜମିଦାରୀ କିଣି ନାହାନ୍ତି, ଜମିଦାରୀ ଅସୁଲ କରି ନେଇ ଜମିଦାର ଦିଲଦାର ମିଆଁକୁ ଦେଲେ । ଦୁସରା କିସ୍ତି ଟଙ୍କା ଅସୁଲ କରିଦେଇ ମେଦିନୀପୁର ଗଲେ, ମୁଁ ସାଙ୍ଗରେ ଗଲି, ଜମିଦାରଙ୍କୁ କହିଲେ, "ପୁରୁଣା ଜମିଦାର ବାଘସିଂହ ବଂଶ ମେଳି ଲଗାଇବାରୁ ଖଜଣା ଅସୁଲ ହେଲାନାହିଁ, କଣ ହେବ ? କାଲି ନାଟବନ୍ଦି ।" ମଙ୍ଗରାଜେ ତମସୁକ ଲେଖାଇନେଇ ଖଜଣା ଟଙ୍କା କରଜ ଦେଲେ । ଏଣେ ଜମିଦାର କରଜ କରିଅଛନ୍ତି ବୋଲି ପ୍ରଜାମାନଙ୍କଠାରୁ କଳନ୍ତର ନିଅନ୍ତି । ପ୍ରତି କିସ୍ତିରେ ଏହିପରି ହୁଏ । ଶେଷଥର ମଙ୍ଗରାଜେ ମୁସାହେବମାନଙ୍କୁ ଅନେକ ଲାଞ୍ଚ ଦେଇ ଅସଲ ସୁଧ ତିରିଶ ହଜାର ଟଙ୍କାରେ ତମସୁକ ଲେଖାଇନେଲେ । ଦିଲୁମିଆଁ ନିଶାରେ ପଡ଼ିଥିବା ସମୟରେ ତମସୁକ ଦସ୍ତଖତ କରିଦେଲେ । ମଙ୍ଗରାଜେ ଆଉ ମେଦିନୀପୁର ନ ଯାଇ କଟକରେ ମାମଲା କରି ଜମିଦାରୀ ଦଖଲ କରିଗଲେ ।"

ସୁଆଲରେ ଜବାବ ଦେଲା, "ହଁ ଭଗିଆ ତନ୍ତୀଠାରୁ ଛମାଣ ଆଠଗୁଣ୍ଠ ଜମି କଣ୍ଟ କବଲା କରିନେଇଥିଲେ । କବଲାରେ ଦେଢ଼ଶଟଙ୍କା ଲେଖାଅଛି । ତମସୁକ ଲେଖାଇ, ମାମଲା ଖରଚ ଇତ୍ୟାଦି ସେଥିରେ କେତେଟଙ୍କା ଖରଚ ପଡ଼ିଅଛି, ପାଞ୍ଜି ଦେଖିଲେ କହିବି - (ଗୁହା ପାଞ୍ଜି ଦେଖି କହିଲା) ଗାଏ ଟ ୩୪.୮ ଅଣା, ୧୭.୮ ଅଣା ।"

ଗୁହା କହିଲା - 'ହଁ ସାଆନ୍ତେ ଭଗିଆ ନାମରେ କଟକ ଅଦାଲତରେ ନାଲିଶ କରିଥିଲେ । ମକଦ୍ଦମାର ଏତଲାନାମା, ଡିଗ୍ରୀଧାରୀ ପରୁଆନା, ନିଲାମି