ପୃଷ୍ଠା:Chha mana atha guntha.pdf/୧୩୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ହୋଇ ଉଠ ଉଠ ହେଉଥିଲା; ମାତ୍ର ଅନ୍ଧାରରେ ଚମ୍ପାକୁ ତ ଦିଶୁ ନାହିଁ, କିଛି ଜବାବ ନ ପାଇ ସେ ଭାରି ଖପା ହୋଇ କହିଲା, "ମଲା ଯା ପୋଇଲାଙ୍କୁ ସାଆନ୍ତ କହିଲେ ମୁଣ୍ତରେ ଚଢ଼ନ୍ତି । ଯା ମ ଯା, ଖାଇଲୁ, ନ ଖାଇଲୁ, ଖାଇଲୁ ନାହିଁ ନାହିଁ ।" ଗୋବିନ୍ଦା ଉଠୁଥିଲା, ପୁନର୍ବାର ବସିପଡ଼ି ଚମ୍ପାକୁ ତରାଟିମରାଟି ଚାହିଁଲା । ପାଞ୍ଚିଲା, ହଁ, ମୁଁ ପୋଇଲା, ତୁ ସାଆନ୍ତାଣୀ; ମାତ୍ର ପାଟି ଫିଟାଇ କିଛି କହିଲା ନାହିଁ । ଗୋବିନ୍ଦା ଆପଣାର କେଡ଼େ ସୌଭାଗ୍ୟ ସ୍ୱପ୍ନ ଦେଖୁଥିଲା, କେତେ ବିଲବାଡ଼ି, କେତେ ବଳଦ ହଳିଆ, କେତେ ଦୁହାଁଳଗାଈ ଘରେ ବନ୍ଧା, କେତେ ଖାତକ ଟଙ୍କାକରଜ ନେବାକୁ ଆସି ଦୁଆରେ ବସିଛନ୍ତି, ସବୁଥିରୁ ଏକାବେଳକେ ନିରାଶ । ଦିନ ଯାକ ପାଣି କାଦୁଅରେ ବୁଲିବୁଲି ଥକା, ତା' ଉପରେ ଭୋକ ! ଗୋବିନ୍ଦା ଏତେବେଳେ ଯାଏ ମନର ଦୁଃଖରେ ବସି ଭାବୁଥିଲା । ବର୍ତ୍ତମାନ ଚମ୍ପା ପୋଇଲା' କହିବାରୁ ତାଳୁରେ ବିଛା କାମୁଡ଼ିଲାପରି ସର୍ବାଙ୍ଗ ଜଳୁଅଛି, କିଛି କହିପାରୁ ନାହିଁ । ସେ ଜାଣେ ତା'ପରି ଦୁଇଜଣ ଲୋକ ବଳରେ ଚମ୍ପା ସାଙ୍ଗରେ ପାରିବେ ନାହିଁ । ସେ କେତେ ଥର ମଙ୍ଗରାଜ ଘର ଭେଣ୍ତିଆ ହଳିଆମାନଙ୍କୁ ବାଡ଼େଇଥିବାର ନିଜ ଆଖିରେ ଦେଖିଛି । ତୁମ ମଧ୍ୟରେ ନିଆଁ ପରି ତା ମନ ଭିତରେ ପୋଡ଼ି ପକାଉଛି ।

ଚମ୍ପା ଦୁଇ ପତ୍ର ଭାତ ବାଢ଼ି ମଝିରେ ଗାଡ଼ କରିଦେଇ ଡାଲି ବାଢ଼ି ଦେଲା, ବୃନ୍ଦାବନ ଯେ ଦୁଧ ଠେକିଏ ଦେଉଥିଲା, ସେତକ ବାହାରକୁ ଥରେ ଅନାଇଦେଇ ଆପଣା ଭାତରେ ଢାଳିଦେଲା । ଗୋବିନ୍ଦା ଅନ୍ଧାରେ ବସି ଦେଖୁଛି । ଦୁଧ ଢଳା ଦେଖି ତା ଦେହରେ ନିଆଁ ଢାଳି ହେଲାପରି ଜଣାଗଲା । ମନରେ କଲା, ଦୁଧ ଟିକିକରେ ତ ଏହା'ଟଙ୍କା ସୁନା କଥା ତ ଅଛି ।

ଚମ୍ପା ଡାକିଦେଲା, "ହୋଇ ତୋ ଭାତ ରହିଲା, ଖା ବା ନ ଖା, ମୁଁ ଏତେ ଗୋଡ଼ ଧରିପାରେ ନାହିଁ ।" ଚମ୍ପା ଓଦା ହାତଟା ମୁହଁରେ ବୁଲାଇଦେଇ ଠୁଙ୍ଗା ହୋଇ ଭାତପତ୍ର ପାଖରେ ବସି ବଡ଼ ବଡ଼ ଗୁଣ୍ତା ସୁଡ଼ ସୁଡ଼ ଶବ୍ଦରେ ଦଣ୍ତକ ମଧ୍ୟରେ ପତ୍ର ଖାଲି କରିଦେଲା । ଚୁଲିମୁହଁ ପାଖରେ ମୁହଁଟା ଧୋଇପକାଇ ପୁନର୍ବାର ଥରେ ବାହାରକୁ ଅନାଇ ଡାକିଲା, "ଆରେ ଆ, ଭାତ ଖାଆ ।" ଉତ୍ତର ନାହିଁ, ଖପା ହୋଇ କହିଲା, "ଆରେ ୟାକୁ କହନ୍ତି, ସୁଖ ଭାତ ତୋଟି କୁଣ୍ତାଇ ହେବା ।" ଜଳନ୍ତା ନିଆଁରେ କୁଟା ପକାଇଲାପରି ଗୋବିନ୍ଦକୁ ଏ କଥା