ପୃଷ୍ଠା:Chha mana atha guntha.pdf/୧୪୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଣାଗଲା । ତାହା ବାଦ୍ ଚମ୍ପା ପଟି ଖଣ୍ତିକ ଉପରେ ଗଣ୍ଠିରା ଲୁଗାରୁ ଅଧେ ମେଲାଇ ଦେଇ ଗଣ୍ତିରାଟି ସାବଧାନରେ ବେକତଳେ ପର୍ଯ୍ୟନ୍ତ ଦେଇ ଚିତ୍ ହୋଇ ଶୋଇପଡ଼ିଲା । ଗୋବିନ୍ଦା ସେହି ପିଣ୍ତାରେ ବସି ଭାବୁଛି । ସେ ବର୍ତ୍ତମାନ ଭଲ କରି ବୁଝିଲାଣି, ସାପୁଣୀ ମୁଣ୍ତରୁ ମଣି ନେବା ସହଜ ନୁହେଁ । ଆମ୍ଭେମାନେ ଗୋବିନ୍ଦପୁର ଲୋକଙ୍କଠାରୁ ଯେପରି ଶୁଣିଛୁ, ସେଥିରୁ ଅନୁମାନ କରୁଅଛୁଁ । ଗୋବିନ୍ଦାର ଆଉ ଅଧିକ କିଛି ପ୍ରତ୍ୟାଶା ଥିଲା । ସ୍ତ୍ରୀଠାରୁ ମର୍ଯ୍ୟାଦା, ପ୍ରେମ, ଭକ୍ତି ଆନୁଗତ୍ୟ ପ୍ରତ୍ୟାଶା କରିବା ପୁରୁଷଜାତିର ସ୍ୱଭାବ । ଚମ୍ପାର ଆଚରଣରୁ ଜଣାଯାଏ, ତାହାର ଇଚ୍ଛା ଭଲ ପାଏ ତ ଭଲ ପାଏଁ; ହେଲେ ତୁ ଯେଉଁ ଭଣ୍ତାରୀ, ସେହି ଭଣ୍ତାରୀ । ଗୋବିନ୍ଦା ଏହି ଅବସ୍ଥାରେ କେତେବେଳେ ଯାଏ ବସିଲାଣି, ସେ ଜାଣେ ନାହିଁ ।

ଘୋର ଅନ୍ଧକାର ରାତ୍ର, ମଣିଷ ନିଜ ଦେହ ଦେଖିପାରିବ ନାହିଁ । ସଁ ସାଁ କରି ଦକ୍ଷିଣା ପବନ ବାଡ଼ୋଉଛି, ତୁହାକୁ ତୁହା ବରଷା, ବରଗଛଟା ଗୋଟାଏ ଅନ୍ଧକାର ଗଦା ପରି ଛିଡ଼ା ହୋଇ ଦୋହଲି ଦୋହଲି ଗୋଟାଏ କେମନ୍ତ ଆତଙ୍କଜନକ ଶବ୍ଦ କରୁଅଛି । ଗୁଡ଼ାଏ ବାଦୁଡ଼ି ସାନାସାନ ଅନ୍ଧକାର ଖଣ୍ତପରି ଚାରିଆଡୁ ଉଡ଼ି ସେହି ଅନ୍ଧକାର ଗଦାରେ ଝୁଲିପଡ଼ିଛନ୍ତି, ପୁଣି କେତେ ଖଣ୍ତ ଅନ୍ଧକାର ପରି ବାହାରି ଆକାଶରେ ଉଡ଼ିଯାଉଛନ୍ତି, କିଚ୍ କଚ୍ ଶବ୍ଦ କରି ବରଫଳ ଖାଉଅଛନ୍ତି, ଟପ୍ ଟପ୍ ବରଫଳ ତଳେ ପଡୁଛି, ଚତୁର୍ଦ୍ଦିଗରେ ପୈଶାଚିକ ଶବ୍ଦ, ଘର ମଧ୍ୟରେ ଚମ୍ପାର ଅନୁନାସିକ ଶବ୍ଦ ଆହୁରି ଭୟଙ୍କର ଶୁଭ ଅଛି । ସେହି ଅନ୍ଧକାର ଗଦାତଳେ ଦୁଇଟା ପଶୁର ଖେଁ ଖେଁ କାମୁଡ଼ା କାମୁଡ଼ି ଶବ୍ଦ ଶୁଣି ଗୋବିନ୍ଦା ଚମକିପଡ଼ି ଅନାଇଲା । ଘର ମଧ୍ୟରେ ଜଳୁ ଥିବା ଦୀପର କେତୋଟି ମାତ୍ର ଲୋହିତ କିରଣରେଖା ନିସ୍ତେଜଭାବରେ ସେହି ଅନ୍ଧାର ତଳେ ପଡ଼ିଅଛି । ଗୋବିନ୍ଦା ଭଲ କରି ଅନାଇ ଦେଖିଲା, ଦୁଇଟା ବିଲୁଆ ବରଫଳ ଖାଉ ଖାଉ କଳିଲାଗିଲା; ଗୋଟାଏ ବିଲୁଆ ଆରଟାକୁ ତଡିଦେଇ ଆପେ ସମସ୍ତ ଫଳ ଅଧିକାର କରି ବସିଲା । ଗୋବିନ୍ଦା ବିଲୁଆର କାର୍ଯ୍ୟ ଦେଖି କଣ ବୁଝିଲା, କଣ ମନରେ ପାଞ୍ଚିଲା, ଉଠିବସି ଚାରିଆଡ଼କୁ ସାବଧାନରେ ଅନାଇଲା । ଧୀରେ, ଅତି ଧୀରେ ଉଠିଯାଇ ଚମ୍ପାର ଗୋଡ଼ଠାରୁ ମୁଣ୍ତ ଯାଏ ଅନାଇଲା । ଠଣାରେ ମୁଠି ରଖିଦେଇଥିଲା, ଧୀରେ