ପୃଷ୍ଠା:Chha mana atha guntha.pdf/୨୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କଲା, ଯଥା--ଖବରଦାର୍ କେହି ଚମ୍ପାକୁ, ଖବରଦାର୍ କେହି, ଖବରଦାର୍ ଇତ୍ୟାଦି । ପିଲାଗୁଡ଼ାକ ହାତରେ ତାଳିଦେଇ ଦାଣ୍ତରେ ନାଚନ୍ତି ---

'ଖବରଦାର ! ଗୋବରା ଜେନା ଚଉକିଦାର ।'

ପିଲାଗୁଡ଼ିକ ସବୁଦିନେ ଜଞ୍ଜାଳିଆ, ସେମାନଙ୍କ କଥା କ'ଣ ଧରିବେ ? ଯାଉ, ସେ ବାଜେ କଥାରୁ କ'ଣ ହେବ ? ହେଲେ ସାଆନ୍ତଙ୍କ ଘର ସହିତ ଚମ୍ପାର ଖୁବ୍ ଘନିଷ୍ଠ ସମ୍ବନ୍ଧ ଥିବାରୁ ପାଠକମାନେ ତାହାର ନାମ ଅନେକଥର ଶୁଣିବାକୁ ପାଇବେ । ଏଥର ତାହାର ରୂପ ଗୁଣ ସମ୍ବନ୍ଧରେ ସମସ୍ତ କଥା ଫେଡ଼ି କହିଦେବା ଆମ୍ଭମାନଙ୍କ ପକ୍ଷରେ ନିତାନ୍ତ କର୍ତ୍ତବ୍ୟ ହେଉଅଛି । ଆଉ ଗ୍ରନ୍ଥସ୍ଥ ନାୟକ ନାୟିକାମାନଙ୍କ ରୂପ ଗୁଣ ବର୍ଣ୍ଣନା କରିବାକୁ ଲେଖକମାନେ ସାହିତ୍ୟ ଆଇନାନୁସାରେ ବାଧ୍ୟ । ସୁତରାଂ, ଏହି ସନାତନ ରୀତି ଲଙ୍ଘନ କରିବାକୁ ଆମ୍ଭମାନଙ୍କର ଆପତ୍ତି ନାହିଁ । ପୁଣି ଗ୍ରନ୍ଥମାନଙ୍କରେ ଖସଲତ ଅଛି, ଗୋଟିଏ ନାୟିକାକୁ ପାଇଲେ ଛେନାଗୁଡ଼ ପାଇଲା ପରି ସବୁକଥା ପାସୋରିଯାଇ ତାହାର ରୂପ ବର୍ଣ୍ଣନା କରିବାକୁ ତରବରହୋଇ ବସିଯାନ୍ତି । ଆମ୍ଭେମାନେ ଯେ ରୂପ ବର୍ଣ୍ଣନା କରିବା ବିଷୟରେ ଅକ୍ଷମ, ତାହା ନୁହେଁ । ଏହି ଦେଖ କଦଳୀ, ପଣସ, ରମ୍ଭା, ଆମ୍ବ, ଡାଳିମ୍ବ, ଟଭା ଏହିପରି ଯେ ସବୁ ଗଛ, ପତ୍ର, ଫଳ, ଫୁଲ ଅଛି, ଚମ୍ପାର ବିଶେଷ ଅଙ୍ଗ ସହିତ ବିଶେଷ ବିଶେଷ ପଦାର୍ଥ ମିଳାଇଦେଲେ ତ ରୂପବର୍ଣ୍ଣନା ଛିଡ଼ିଲା । ମାତ୍ର, ଆଜିକାଲି ସେପରି ମରହଟ୍ଟୀ ବର୍ଣ୍ଣନା ଚଳିବ ନାହିଁ । ଇଂରାଜୀ ପଢୁଆ ପାଠକମାନଙ୍କ ମନୋରଞ୍ଜନ ସକାଶେ ଇଂରାଜୀ ଧରଣର ରୂପ ବର୍ଣ୍ଣନା ଆବଶ୍ୟକ । ଭାରତର କବିମାନେ ସୁନ୍ଦର ସ୍ତ୍ରୀ ମାନଙ୍କୁ କହନ୍ତି 'ଗଜେନ୍ଦ୍ରଗାମିନୀ'; ଇଂରାଜ କହିବେ, "ଛି ଛି ! ତାହା ତ ନୁହେଁ, ଘୋଡ଼ାପରି ଯେ 'ଗେଲପ ଚାଲିପାରେ, ସେହି ସିନା ପରମ ସୁନ୍ଦରୀ ! ଆମ୍ଭେମାନେ ଦେଖୁଅଛୁ ଆଜିକାଲି ପହିଲି ଆଷାଢ଼ର ମହାନଦୀର ବଢ଼ିପାଣି ପରି ଏ ଦେଶକୁ ଇଂରାଜୀ ସଭ୍ୟତା ଯେପରି ପେଲିଆସୁଅଛି, ସେଥିରେ ଖୁବ୍ ସମ୍ଭବ ନବ୍ୟ ସଭ୍ୟ ଶିକ୍ଷିତ ବାବୁମାନେ ଆପଣା ଆପଣା ଅଙ୍କଲକ୍ଷ୍ମୀମାନଙ୍କୁ 'ଗେଲପ୍' ଚାଲି ଶିଖାଇବା ନିମନ୍ତେ ଚାବୁକ ସବାର ନିଯୁକ୍ତ କରିବାକୁ ପସ୍ତାବ କରିବସିବେ । ସେ କଥା ଯାହା ହେଉ,