ପୃଷ୍ଠା:Chha mana atha guntha.pdf/୨୨

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଆମ୍ଭେମାନେ କହୁଁ, ସୁନ୍ଦରୀମାନଙ୍କ ଚାଲିରୁ ଉପମେୟ ବସ୍ତୁ ପୁରୁଣା କୌଣସି କବି ଠିକ କରିପାରି ନାହାନ୍ତି । ବିଚାର କରନ୍ତି ଘୋଡ଼ା ଆଉ ହାତୀମାନେ ଚାରି ଗୋଡ଼ରେ ଚାଲନ୍ତି; ମାତ୍ର ଆମ୍ଭମାନଙ୍କର ଚମ୍ପାର ଦୁଇଗୋଟି ଗୋଡ଼ରୁ ବେଶି ନାହିଁ । ସୁତରାଂ ତାହାକୁ ଗଜେନ୍ଦ୍ରଗାମିନୀ ବା ଅଶ୍ୱବରଗାମିନୀ ବୋଲିବା ନିତାନ୍ତ ଅସଙ୍ଗତ ଅଟେ । ତେବେ ଚମ୍ପା ହାମୁଡ଼ି ଚାଲିଲେ କିପରି ଦିଶନ୍ତା, ସେ କଥା ଅନୁମାନ କରି କହିବାକୁ ଆମ୍ଭେମାନେ ସମ୍ପ୍ରତି ଅକ୍ଷମ । ପୁଣି ପଦସଂଖ୍ୟା ସମ୍ବନ୍ଧରେ ମରାଳ ସହିତ ସାମଞ୍ଜସ୍ୟ ଥିବାର ମରାଳଗାମିନୀ ବୋଲିବା ଅସଙ୍ଗତ ନୁହେଁ । ଅଳଙ୍କାର ଶାସ୍ତ୍ରର ମର୍ଯ୍ୟଦା ରକ୍ଷାପାଇଁ ଉପମାନ ଉପମେୟ ଠିକ୍ ରଖି କହିବାକୁ ଗଲେ, ମରାଳ କେତେବେଳେ ଖାଲି ଗୋଡ଼ରେ କେତେବେଳେ ଡେଣା ମେଲାଇ ଖଣ୍ଡିଉଡ଼ା ଦେଲାପରି ଚାଲେ । ଆମ୍ଭମାନଙ୍କ ଚମ୍ପା ଗୋହିରୀ ମଝିରେ ମାଣିଆବନ୍ଧୀ ପଣତକାନୀ ଉଡ଼ାଇ, ଦୁଇଡେଣା ଦୋହଲାଇ ଚାଲିବାବେଳେ ଠିକ୍ ତାହାକୁ ମରାଳଗାମିନୀ ବୋଲାଯାଇପାରେ । ଚମ୍ପାର ବୟସ ଆମ୍ଭେମାନେ ଅନୁମାନ କରୁ ତିରିଶ ଲଗାଲଗି; ମାତ୍ର ତାହାର ନିଜ ମୁହଁରୁ ଅନେକ ଥର ଶୁଣାଯାଇଅଛି, ସାଆନ୍ତାଣିଙ୍କ ମଙ୍ଗଳକୃତ୍ୟ ଦିନ ତାହାର ଏକୋଇଶା ହୋଇଥିଲା । ଏହି ହିସାବରେ ଚମ୍ପାର ବୟସ ଢେର କମ । ଏଠାରେ ଯୁବତୀର ରୂପ ବର୍ଣ୍ଣନା କରିବାକୁ ହେଲେ ସାବଧାନତା, ଖୁବ୍ ବିଜ୍ଞତା, ଖୁବ୍ ବହୁଦର୍ଶିତା ଆବଶ୍ୟକ । ବିଲାତି ଜିନିସାତ୍ ସହିତ ରୁଚିନାମଧେୟ ପଦାର୍ଥବିଶେଷ ଏ ଦେଶକୁ ନୂଆ ଆମଦାନୀ ହୋଇଅଛି । ତାହା ପ୍ରତି ନଜର ରଖି ନ ଚଳିଲେ ତୁମର ପାଠ ସରିଲା । ତୁମେ ମୁର୍ଖ ଅସଭ୍ୟ ତଳେ ଗଲ । ସେଦିନ ଉପେନ୍ଦ୍ରଭଞ୍ଜଙ୍କ ଦୁର୍ଦ୍ଦଶାରୁ ଆମ୍ଭେମାନେ ଏହି ଶିକ୍ଷା ପାଇଅଛୁ । ବାପ ମା ପୂଣ୍ୟବଳରୁ ସେ ବିଚରା ଖସି ଯାଇଛି, ନୋହିଲେ ଇସ୍ତକ ମହାପାତ୍ରଠାରୁ ମହାରାଜା ଯାଏ ଯେପରି ପିଛା ଧରିଥିଲେ, ତାହା କପାଳରେ ଯେ କ'ଣ ଘଟିଥାନ୍ତା, ଠାକୁରଙ୍କୁ ଜଣା । ଏପରି ମହାରଥୀର ତ ଏହି ଦଶା, ଆମ୍ଭେମାନେ ବା କେତେ କଡ଼ାରେ ଗଣ୍ତାର । 'ଗୁରୁ-ବିପ୍ରସାଦେନ' ଆମ୍ଭେମାନେ ସୁରୁଚି କବିତା କଛି କଛି ରଚନା କରିବାକୁ କ୍ଷମା ଆପଣମାନେ