ପୃଷ୍ଠା:Chha mana atha guntha.pdf/୩୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ବନ୍ଦୋବସ୍ତ କର । "ଖ୍ରୀଷ୍ଟିୟାନମାନେ କହନ୍ତି ପୃଥିବୀର ଶେଷ ଦିନରେ ସ୍ୱର୍ଗର ଦୂତ ବଂଶୀ ବଜାଇଲେ ସମସ୍ତ ମୃତଲୋକ କବରରୁ ଉଠି ବସିବେ । ମଜଲିସ ଅବଶୋଷରେ ମରି ପଡ଼ିଥିଲା, ମଙ୍ଗରାଜଙ୍କ ଟଙ୍କାର ଝଣ ଝଣ ଶବ୍ଦରେ ବଞ୍ଚିଉଠିଲା । ମିଆଁ ସାହାବ ନଳ ମୁହଁରେ ଦେଇ ଦୁଇ ଚାରି ଥର ଭଲ କରି ଟାଣିଲେ । କଳା ପର୍ବତରେ କୁହୁଡ଼ି ବୁଲିଲା ପରି ଦାଢ଼ିସାରା ଧୁଆଁ ଖେଳିଗଲା । ସରକାର କେନାଲ ଦ୍ୱାରା ଯେପରି ପରଗନା ପରଗନା କରି ମହାନଦୀର ଜଳ ବାଣ୍ଟୁ ଅଛନ୍ତି ନଳଯୋଗରେ ହୁକା ଭିତରେ ଜମାଥିବା ଧଆଁ ସମସ୍ତଙ୍କ ମୁହଁକୁ ବାଣ୍ଟିଗଲା । ମେଁ ଏ ମେଁ ଏ । ପଲାଉ ସକାଶେ ଗୋଟିଏ ଖାସି ଅଣାଗଲା । ମଜଲିସ ଆଗରେ ଦର ଛିଣ୍ତିଲା ଅଢ଼େଇ ଟଙ୍କା । ମଙ୍ଗରାଜ ଚମକିପଡ଼ି କହିଲେ, "କଣ ଏହି ଛେଳିଟାର ଦାମ ଅଢ଼େଇ ଟଙ୍କା । ବାପରେ ! କେତେ ଦାମ !" ମିଆଁ ପଚାରିଲେ ତୁମ ଗ୍ରାମରେ ଦାମ କେତେ ? "ଡାକ୍ତର ମଳୁ ପରୀକ୍ଷା କଲାପରି ଛେଳିର ଅଗ୍ର ପଶ୍ଚାତ ବାମ ଦକ୍ଷିଣ ଉତ୍ତମରୂପେ ନିରୀକ୍ଷଣପୁର୍ବକ ମଙ୍ଗରାଜ କହିଲେ। "ଛେଳିଟାର ଦାମ କଣ ଚାରି ପଇସା କି ଛଅ ପଇସା ହେବ ।" ହୁକୁମ ହେଲେ ପଲାଉ ସକାଶେ ଦଶଗଣ୍ତା କି ପନ୍ଦର ଗଣ୍ତା ପଠାଇ ଦେଇପାରେ । ହଜୁର ଲୋକ ଚିହ୍ନି ଜମିଦାରୀ ଚାକର ରଖି ନାହାନ୍ତି ସେଥି ସକାଶେ ଏତେ ଟଙ୍କା ବରବାଦ । ଅଢ଼େଇ ଟଙ୍କା ଛେଳି । ବାପରେ !" ଏ କଥା ଶୁଣି ମଜଲିସରେ ଯେ କିପରି ଆନନ୍ଦ କୋଳାହଳ ଉଠିଲା, ତାହା ବର୍ଣ୍ଣନାତୀତ । କ୍ଳାଇବ ସାହେବଙ୍କ ପଲାସୀ ଯୁଦ୍ଧ ଜୟ ସମ୍ବାଦ ଶୁଣି ବିଲାତରେ ଡାଇରେକଟର ସଭା ନିଶ୍ଚିୟ ଏତେ ଦୂର ଆନନ୍ଦିତ ହୋଇନଥିଲେ । କାରଣ ସେତେବେଳେ ଦିଲ୍ଲୀ ଦରବାରର ଡର ସେମାନଙ୍କୁ ମନରୁ ଛାଡ଼ି ନଥିଲା । ଓସ୍ତାଦ୍ ଜୀ ପୁରିଆ ରାଗିଣୀର ଆଳାପ କରିବାକୁ ଲାଗିଲେ । ସମସ୍ତେ ଆନନ୍ଦରେ ଉନ୍ନତ୍ତ, ସମସ୍ତଙ୍କ ମୁହଁରୁ ହସ ଉଚ୍ଛୁଳିପଡୁଛି କେବଳ ମଙ୍ଗରାଜେ ହାତ ଯୋଡ଼ି ମୁହଁ ଶୁଖାଇ ବସିଛନ୍ତି । ଜାଲ ମଧ୍ୟରେ ବୁଣା ଚାଉଳ ଖାଇଲା ବେଳେ ପକ୍ଷୀମାନଙ୍କ ଆନନ୍ଦ ବ୍ୟାଧ ତୁନିହୋଇ ଦେଖୁଥାଏ । ଆମ୍ଭେମାନେ ମଙ୍ଗରାଜ ମନର କଥା ଭଲରୂପେ ବୁଝିପାରୁ । ସେ ସମୟରେ ବୋଧହୂଏ ଭାଳୁଥିଲେ, "ଆ ବାପ ଚଢ଼େଇ ଆ କାଣ୍ତିଆ ପାଖକୁ ଆ ।"