ପୃଷ୍ଠା:Chha mana atha guntha.pdf/୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପ୍ରଥମ ପରିଚ୍ଛେଦ

ରାମଚନ୍ଦ୍ର ମଙ୍ଗରାଜ :

ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ୟ ମହାଜନ ନଗଦ ଟଙ୍କା କାରବାର ଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘେ ଚାରି କୋଶ ମଧ୍ୟରେ ଆଉ କାହାରି କାରବାର ଚଳେନାହିଁ । ବଡ଼ ଧାର୍ମିକ । ବର୍ଷ ମଧ୍ୟରେ ୨୪ଟା ଏକାଦଶୀ, ୪୦ଟା ଥିଲେ ମଧ୍ୟ ଗୋଟାଏ ଯେ ଛାଡ଼ ପଡ଼ନ୍ତା, ଏକଥା ଆମ୍ଭେମାନେ କହିବାକୁ ଅକ୍ଷମ । ଏକାଦଶୀ ଦିନ ତୁଳସୀପତ୍ର ଜଳମାତ୍ର ଅବଲମ୍ବନ । ସେଦିନ ଉପରଓଳି ମଙ୍ଗରାଜଙ୍କର ଜଗା ଭଣ୍ଡାରୀ କଥା କହୁଁ କହୁଁ କହିପକାଇଲା, ପ୍ରତି ଏକାଦଶୀଦିନ ସଞ୍ଜବେଳେ ଦ୍ଵାଦଶୀ ପାରଣା ସକାଶେ ସାଆନ୍ତଙ୍କ ଘରେ ସେରେ ଦୁଧ, ଦିଶୁଖଇ, ନବାତ, ପାଚଲା କଦଳୀ ରଖାଯାଇଥାଏ । ସେ (ଜଗା) ଦ୍ଵାଦଶୀ ଦିନ ବଡ଼ି ସକାଳେ ତୁଚ୍ଛାବାସନ ମାଜେ । ଏକଥା ଶୁଣି ଜଣ କେତେ ମୁହଁ ଚାହାଁ ଚାହିଁ ହୋଇ ମୁରୁକି ହସୁଥିଲେ । ଜଣେ କହିପକାଇଲା, ଡୁବିପାଣି ପିଇଲେ ମହାଦେବଙ୍କ ବାପ ବି ଜାଣିପାରିବ ନାହିଁ । ଏ କଥାର ଅର୍ଥ ସଫା ବୁଝାଗଲା ନାହିଁ, ମାତ୍ର ଆମ୍ଭେମାନେ ଅନୁମାନ କରିନେଲୁ, ଏହା ନିନ୍ଦୁକର କଥା । ସେ କଥା ଛାଡ଼, ବରଞ୍ଚ ଆମ୍ଭେମାନେ ସାଆନ୍ତଙ୍କ ସପକ୍ଷରେ ଓକିଲାତି କରିପାରୁ । ଭାଣ୍ଡଶୂନ୍ୟ ହେବା କାର୍ଯ୍ୟଟା ଯେ ମଙ୍ଗରାଜଙ୍କ ଦ୍ଵାରା ଅନୁଷ୍ଠିତ ହୋଇଅଛି, ଏଥିର ଚାକ୍ଷୁଷ ସାକ୍ଷୀ କାହିଁ ? ଶୁଣିବା କଥା ବା ଅନୁମାନ କଥା ପ୍ରମାଣ ରୂପେ ଗ୍ରହଣ କରିବାକୁ ଆମ୍ଭେମାନେ ନିହାତି ନାରାଜ । ଅଦାଲତରେ ହାକିମମାନଙ୍କର ତ ଏହି ରାୟ । ଆଉ ଗୋଟିଏ କଥା ଦେଖ ବିଜ୍ଞାନଶାସ୍ତ୍ର କହେ, ଜଳୀୟ ପଦାର୍ଥ ସବୁ ବାଷ୍ପାକାର ହୋଇ ଉଡ଼ିଯାଏ । ଦୁଧ ତ ଜଳୀୟ ପଦାର୍ଥ, ଜମିଦାର ଘର ଦୁଧ ବୋଲି ବିଜ୍ଞାନ ବିଧି ଡରିବ ପରା ! ପୁଣି ସେ ମୂଷା ଚୂଚୂନ୍ଦୁରା ଚୁଟିଆ ଥିଲେ ଛାରପୋକ ମଶାମାଛି ଅବା କେଉଁ ଘରେ ନ ଥାନ୍ତି ? ପେଟ ପାଟଣା ପାଇଁ ଜଗତର ସମସ୍ତପ୍ରାଣୀ ଧାଉଁଛନ୍ତି । ଶେଷରେ ସେମାନେ ମଙ୍ଗରାଜଙ୍କ ପରି ହରିଭକ୍ତି - ବିଳାସ ଗ୍ରନ୍ଥ ମାହାତ୍ମ୍ୟ ଶୁଣି ନାହାନ୍ତି । ଏଥକୁ ମଙ୍ଗରାଜଙ୍କ ଧର୍ମନିଷ୍ଠା ପ୍ରତି