ପୃଷ୍ଠା:Chha mana atha guntha.pdf/୫୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସେସବୁ କଥା ଥାଉ, ଏବେ ଗାଁକଥା ଶୁଣନ୍ତୁ । ଆଟିକାମାପକୁ ପଲମ । ଭଗିଆ ଯେପରି ହୁଣ୍ତା, ତ ଭାର୍ଯ୍ୟା ସେହିପରି ହୁଣ୍ତୀ, ନାମଟା ସାରିଆ । ବୟସ ଅନ୍ଦାଜ ପଚିଶ ହେବ । ସାରିଆର ଗୁଣ ତ ଶୁଣିଲେ, ରୂପ କଥା ଶୁଣିବେ କି? ଦେଖନ୍ତୁ ପରପ୍ରତ୍ୟାଶୀ ହେବା ଗୋଟାଏ ଭାରି ଖରାପ କଥା । ଆପଣ ବୁଦ୍ଧିବଳରେ ଅନୁମାନ ଦ୍ୱାରା କିଛି କିଛି ବୁଝିବାକୁ ଚେଷ୍ଟାକରନ୍ତୁ । କେବଳ ଆମ୍ଭମାନଙ୍କ ହାତକୁ ଚାହିଁ ରହିବେ ନାହିଁ । ଅନୁମାନ ଦ୍ୱାରା ବୁଝିବାକୁ ହୁଏ ସେଥିର ମୂଳସୂତ୍ର ଶୁଣିଲେ ଆପଣଙ୍କ ବାଟ ଫିଟିଯିବ । ଯେବେ ଶୁଣିବେ ଯୁବତୀ ରାଜକନ୍ୟା, ତକ୍ଷଣେ ବୁଝିଯିବେ, ସେ କନ୍ୟାଟି ଭାରି ସୁନ୍ଦରୀ, ଭାରି ଗୁଣବତୀ,"ନାହିଁ ନ ଥିବା ପଟାନ୍ତର, ରମା, ଉମା ସଙ୍ଗେ ତାକୁ ଧର ।" ହେଉ ପଛେ ଉଆଉଗାଲୀ, ପେଚାନାକୀ, ସେ କଥା ଧରିବେ ନାହିଁ । ଯେବେ ଶୁଣିବେ ଫଲଣା ଜମିଦାର ହାତରେ ଢେର ଟଙ୍କା ଅଛି, ତକ୍ଷଣେ ବୁଝିଯିବେ, ସେ ରୂପବାନ, ଗୁଣବାନ, ଦାତା, ଦୟାଳୁ ଇତ୍ୟାଦି । ଆମ୍ଭମାନଙ୍କ ସାରିଆ ଗାଁର ତନ୍ତୀଆଣିଟିଏ । ଏବେ ସକଳ କଥା ବୁଝିନିଅନ୍ତୁ । ଭଗିଚନ୍ଦ ଆଉ ସାରିଆ, ଘରକୁ ଦୁଇ ପରାଣୀ । ମାଈକିନିଆମାନେ କହନ୍ତି, ଦୁଇ ପରାଣିଆ ଭଲ, ବାନ୍ଧି କତରା ଚଲ । "ଆମ୍ଭମାନଙ୍କ ହୁଣ୍ତାହୁଣ୍ତୀ କଥା ସେହିପରି । ନ କଡ଼ ଛକଡ଼ ନାହିଁ । ଦୁଇଜଣଙ୍କର ନିମଷେ ଛାଡ଼ବାଡ଼ ଥାଏନାହିଁ । ଦୁହେଁ ମିଳିମିଶି ଘରକାମ କରନ୍ତି, ଭଗିଆ ତନ୍ତ ବୁଣିବାବେଳେ ସାରିଆ ନଳି ବଳେ, ନୁଣ୍ତି କାଢ଼େ ଚଉଶିରେ ସୁଣଦିଏ ସାରିଆ ଭାତ ରାନ୍ଧିବା ବେଳେ ଭଗିଆ ଚୁଲି ଫୁଙ୍କେ ପାଣି ଆଣିଦିଏ । ଗାଁର ମସ୍କରା ନିନ୍ଦୁକ ଲୋକମାନେ ସେମାନଙ୍କୁ ଦେଖି ଢଗ ମେଲାନ୍ତି - "ସାରିଆ ଭଗିଆକୁ ଦେଖ, ବଗଲା ବଗୁଲୀ ଲେଖ ।" ଆହା! କି ଅପୂର୍ବ କବିତା ହେଲା; ମାତ୍ର ଆମ୍ଭେମାନେ ବୋଲୁ, ଏପରି ନିନ୍ଦା ଯେଉଁମାନଙ୍କ ନାମରେ ରଟେ, ସେହିମାନେ ଏକା ପ୍ରାଣରେ ଅନୁଭବ କରନ୍ତି । କୌଣସି ଇଂରେଜ କବି କହିଅଛନ୍ତି "ଯେଉଁମାନେ ବିଶୁଦ୍ଧ ଦାମ୍ପତ୍ୟ ପ୍ରେମ ଅନୁଭବ କରନ୍ତି, ସେମାନେ ସ୍ୱର୍ଗୀୟ ଜୀବ । ସେହି ପ୍ରେମରେ ଯାହାର କଳଙ୍କ, ସେ ନରକର ଯନ୍ତ୍ରଣା ଭୋଗ କରେ ।"