ପୃଷ୍ଠା:Chha mana atha guntha.pdf/୫୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ନ ଥିଲା । ପବିତ୍ର ଦାମ୍ପତ୍ୟ ସ୍ନେହ, ବିଶୁଦ୍ଧ ପ୍ରେମ ଅଖଣ୍ତ ସନ୍ତୋଷ, ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ, ସରଳ ଧର୍ମଭାବ ପ୍ରଭୃତି ସ୍ୱର୍ଗୀୟ ଭାବମାନ ଯଦି ଆପଣ ଏକ ସ୍ଥାନରେ ସମାବେଶ ଦେଖିବାକୁ ଇଚ୍ଛା କରନ୍ତି, ତେବେ ଆମ୍ଭେମାନେ ଏହି ଗ୍ରାମ୍ୟ ତନ୍ତୁବାୟ ପରିବାର ନାମ ଉଲ୍ଲେଖ କରିପାରୁଁ । ଆମେମାନେ ଆଜନ୍ମକାଳ ଦେଖି, ଶୁଣି, ପଢ଼ି ବୁଝିଅଛୁ ନିରବଚ୍ଛିନ୍ନ ସୁଖ ବିଧି ମନୁଷ୍ୟ ଲଲାଟରେ ଲେଖି ନାହାନ୍ତି । ତନ୍ତୁବାୟ ପରିବାର କି ଏହି ନୈସର୍ଗିକ ନିୟମର ବହିର୍ଭୂତ ? ମହାକବି କାଳିଦାସ ଲେଖିଛନ୍ତି, 'ପ୍ରାୟେଣ ସାମାଗ୍ର୍ୟବିଧୌ ଗୁଣାନାଂ ପରାଙ୍‌ମୁଖ ବିଶ୍ୱସୃଜଃ ପ୍ରବୃତ୍ତି ।' ଏହି ମହାବଚନକୁ ବା ଅମର୍ଯ୍ୟାଦା କରିବୁଁ । ତେବେ ଏମାନେ କି ପୂର୍ଣ୍ଣ ସୁଖୀ ନୁହନ୍ତି ? କିଏ କହିବ; କିପରି ବା କହିପାରିବ? ଶାଳଗ୍ରାମର ବସିବା ଶୋଇବା ସମାନ । ମନୁଷ୍ୟ ହୃଦୟଭାବ ହାସ୍ୟସ୍ପନ୍ଦନ ସ୍ରୋତ ଧରି ବାହାରିପଡ଼େ । ଏମାନେ ହସିବାର କେହି ଦେଖି ନାହିଁ, କାନ୍ଦିବାର କେହି ଶୁଣି ନାହିଁ । ଆମ୍ଭମାନଙ୍କ ପାଖରେ କିନ୍ତୁ କାହାରି କଥା ଲୁଚିବାର ବାଟ ନାହିଁ । ବଣୁଆ ମାନେ ଖୋଜର ମଡ଼ା ଧରିଧରି ଯାଇ ଜନ୍ତୁ ଭେଟନ୍ତି । ସେହିପରି ଆମ୍ଭମାନେ ଲୋକମାନଙ୍କ କାର୍ଯ୍ୟସବୁର ପିଛା ଧରି ଧରି ସେମାନଙ୍କ ମନର ଭାବ ଧରିପକାଉଁ । ସେଦିନ ରାତିରେ ରୁକୁଣିମା ବୋହୂର ଷଠୀଘରକୁ ସାରିଆ ଯାଇଥିଲା, ପିଲାଟାକୁ ଚାହିଁଦେଇ ଚାଲିଆସିଲା, ବାଣ୍ଟ ଯାଏ ରହିଲା ନାହିଁ । ଘରକୁ ଆସି ପେଟ ଟାଣୁଛିବୋଲି କହିଲା, ଉପାସ ଶୋଇରହିଲା । ଆମ୍ଭେମାନେ ମଧ୍ୟଜାଣୁ; ଅନେକ ରାତି ପର୍ଯ୍ୟନ୍ତ ନ ଶୋଇ ଏକଡ଼ ସେକଡ଼ ହେଉଥିଲା । ଭଗିଆ ଥରେ କହିଲା, "ଦଇବତ ଦେଇନାହିଁ, ଦୁଃଖ କଲେ କଣ ହେବ ?" କଣ ଦେଇନାହିଁ କିଛି ତ ବୁଝାଗଲା ନାହିଁ ? ବାର ବରତରେ ସାରିଆର ଆଜିକାଲି ଭାରି ମନ । ବୁଢ଼ୀ ମଙ୍ଗଳାଙ୍କ ଠାରେ ବେଶି ବେଶି ଭକ୍ତି ଦେଖାଯାଉଅଛି । ଡାକ୍ତର ଆଉ ଓକିଳଙ୍କ ଦୁଆରେ କାହାକୁ ଦେଖିଲେ ବୁଝିନେବ, ସେହିଲୋକଟା ଉପରେ କିପରି ବିପଦ ପଡିଛି । ଆମମାନଙ୍କ ବୁଢ଼ୀମଙ୍ଗଳାଙ୍କ ଦ୍ୱାରା ଡାକ୍ତର ଆଉ ଓକିଲ ଦୁଇ କାର୍ଯ୍ୟ ହୁଏ । ଗାଁରେ କାହାରିକିଛି ପୀଡ଼ାହେଲେ କିମ୍ବା ମାଲିମାମଲା ପଡ଼ିଲେ ମଙ୍ଗଳାଙ୍କର