ପୃଷ୍ଠା:Chha mana atha guntha.pdf/୫୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଦ୍ୱାଦଶ ପରିଚ୍ଛେଦ

ଅସୁର ଦୀଘି :

ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊଣା ପଡିବ ନାହିଁ । ନାମ ଅସୁର ଦୀଘି । ଏଥିରେ ପୂର୍ବେ ଷୋଳଟା ଦୀପଦଣ୍ତିଥିଲା, ଦେବତା ବଳିଆରରୁ ସବୁ ଡୁବାଇଅଛି । ଚାରିପାଖ ଆଡ଼ି ବଗଚରା-ଠାରୁ ଦଶବାରହାତ ଉଚ୍ଚ । ଏ ପୋଖରୀଟି କେତେକାଳର, କିଏ ଖୋଳାଇଛି ଏଥିର ସଟୀକ ବୃତ୍ତାନ୍ତ ଆମ୍ଭେମାନେ କହିବାକୁ ଅକ୍ଷମ । ଶୁଣିବାରେ ଅସୁରମାନେ ଖୋଳିଛନ୍ତି ଅସମ୍ଭବ ନୁହେଁ । ଏଡ଼େବଡ଼ ଜଳକୀର୍ତ୍ତି ଯେ କରିପାରେ, ସେ କି ଆମ୍ଭମାନଙ୍କପରି ମନୁଷ୍ୟ ? ଗ୍ରାମର ପଞ୍ଚାନବେ ବର୍ଷର ବୁଢ଼ା ଏକାଦୁଶିଆ ତନ୍ତୀ ମୁହଁରୁ ପୁଷ୍କରିଣୀ ସମ୍ବନ୍ଧରେ ଯେଉଁ ଇତିହାସ ସାର ସଂଗ୍ରହ କରିଅଛୁ, ତାହାର ସଂକ୍ଷିପ୍ତ ବୃତ୍ତାନ୍ତ ଏହି - ବାଣାସୁର ଏହି ପୋଖରୀ ଖୋଳାଇଛି । ସେ ଆପଣା ହାତରେ କୋଡ଼ି ଗାଣ୍ତୁଆ ଧରି ଖୋଳିନାହିଁ । ତାହା ହୁକୁମରେ ଅସୁର ମାନେ ଆସି ରାତିକ ମଧ୍ୟରେ ଖୋଳିପକାଇଲେ । ଖୋଳୁ ଖୋଳୁ ରାତି ପାହିଗଲା । ଦକ୍ଷିଣ ଆଡ଼ିଆ କୋଣରେ ବାର ଚଉଦ ହାତ ଓସାରର ଗୋଟିଏ ମୁହାଁଣ ଅଛି, ସେଠାରେ ମାଟି ପଡ଼ିପାରିଲା ନାହିଁ । ଦାଣ୍ତରେ ଲୋକ ବୁଲ ଚାଲ ହେଲେଣି, ଅସୁରମାନେ ଏବେ ଯାଆନ୍ତି କୁଆଡେ ? ପୋଖରୀ ମଧ୍ୟରେ ବିଳ ଖୋଳି ଗଙ୍ଗାକୂଳରେ ବାହାରି ପଡ଼ିଲେ । ସେଠାରେ ଗଙ୍ଗା ସ୍ନାନ କରିପଳାଇଲେ । ଆଗେ ଗଙ୍ଗାସାଗରରେ ବାରୁଣୀ ପଡ଼ିଲେ ଅସୁର ଦୀଘୀକୁ ପାଣିତେଣ୍ତି ଆସୁଥିଲା; ଗ୍ରାମରେ ବହୁତ ଅନାଚାର ହେବାରୁ ଏଣିକି ଆଉ ପାଣି ଆସୁ ନାହିଁ । ଇଂରେଜୀ ପଢୁଆ ବାବୁମାନେ ସାବଧାନ ! ଆମମାନଙ୍କର ଏକାଦୁଶୀ ଚନ୍ଦ୍ରଙ୍କ ଇତିହାସ ଶୁଣି ହସିବେ ନାହିଁ, ତାହେଲେ ମାର୍ଶମାନ୍ ଆଉ ଟଡ୍‌ଙ୍କ ଲେଖାରୁ ଆଠପଣି କାହିଁ ଉଡ଼ିଯିବ ।