ପୃଷ୍ଠା:Chha mana atha guntha.pdf/୬୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଦୀଘିରେ ମାଛ ଅଛନ୍ତି । ଆପଣ କହିବେ, ଯହିଁ ପାଣି ତ ହିଁ ମାଛ ଏ କଥା ଲେଖିବାର ଦରକାର କଣ ? ମାତ୍ର ଆପଣଙ୍କ କଥାଟା ଯୁକ୍ତିସଙ୍ଗତ ହେଲା ନାହିଁ । ଆଖୁ ସହିତ ଗୁଡ଼ର, ଦେହ ସହିତ ହାଡ଼ର ଯେମନ୍ତ ନିତ୍ୟ ସମ୍ବନ୍ଧ, ପାଣି ସହିତ ମାଛର ସେପରି କିଛି ନାହିଁ । ତାହେଲେ ଆପଣଙ୍କ ଘର ପାଣିମାଠିଆରୁ ତ ମାଛ ବାହାରୁଥାନ୍ତେ ? ଅନୁମାନ ବା ଅଯୌକ୍ତିକ କଥା ଲେଖିବା ଆମମାନଙ୍କର ଅଭ୍ୟାସ ନୁହେଁ । ଅସୁର ଦୀଘିରେ ଯେ ମାଛ ଅଛନ୍ତି ଆମେମାନେ ସେଥିରେ ଅକାଟ୍ୟ ପ୍ରମାଣ ଦେବୁଁ । ଏହି ଦେଖନ୍ତୁ, ଦକ୍ଷିଣ ଆଡ଼ିଆରେ ପାଣିକୁ ପାଞ୍ଚ ହାତ ଛାଡ଼ି ଆଁ କରି ସାନ ବଡ଼ ତିନି ଗୋଟା ଥଣ୍ଟିଆକୁମ୍ଭୀର ପଡିଅଛନ୍ତି । ସବୁଦିନେ ପଡ଼ନ୍ତି । ଏମାନେ କି ସକାଶେ ଦୀଘିରେ ଅଛନ୍ତି ? କଣ ଖାଇ ବଞ୍ଚନ୍ତି ? ସେମାନେ କି ଗୋରୁଗାଈ ପରି ପଡ଼ିଆରେ ଘାସ ଚରିବାରେ କେହି ଦେଖିଅଛନ୍ତି ? ନା, ଜୈନମାନଙ୍କ ପରି ଅହିଁସା ପରମ ଧର୍ମ ଜାଣନ୍ତି ? ଅବଶ୍ୟ ଦୀଘିରେ କୌଣସି ପଦାର୍ଥ ଖାଇ ବଞ୍ଚିଅଛନ୍ତି ? ସେ କି ପଦାର୍ଥ ? ଥଣ୍ଟିଆକୁମ୍ଭୀର ମାନଙ୍କର ଆଉ ଗୋଟିଏ ନାମ ମାଛୁଆ କୁମ୍ଭୀର, ଅର୍ଥାତ୍ ଏମାନେ ମାଛଖାଆନ୍ତି । କେହି କହିବେ, ଏମାନେ ମାଛଖାଆନ୍ତି ସତ୍ୟ, ଆଉ ସ୍ଥାନରୁ ମାଛ ଆଣି ଖାଆନ୍ତି । ହାଟରେ ମାଛ ଶୁକୁଆ ମିଳେ ସତ୍ୟ, ମାତ୍ର ଏମାନେ ପଇସା ନେଇ ହାଟକୁ ମାଛ କିଣିବାକୁ ଯିବାର ତ କେଭେ ଦେଖାନାହିଁ । ଆଉ ଗାଁଆକୁ କେଉଟୁଣି ମାନେ ମାଛବିକିବାକୁ ଆସିଲେ ଗାଁ ମାଈକିନିଆମାନେ ଧାନ ଚାଉଳ ଦେଇ ମାଛ ବଦଳାନ୍ତି । ଆମ୍ଭେମାନେ ଶପଥ କରି କହିପାରୁ, କୁମ୍ଭୀରମାନେ ତ ସେପରି ଧାନ ଚାଉଳ ଦେଇ ମାଛ କିଣିବାର କେଭେ ଦେଖିନାହୁଁ । ସୁତରାଂ ପ୍ରମାଣ ହେଲା, ଦୀଘିରେ ମାଛ ଅଛନ୍ତି । ଏତିକି ଯେ ଯଥେଷ୍ଟ ପ୍ରମାଣ ତାହା ନୁହେଁ, ଆହୁରି ମଧ୍ୟ ଅନେକ ଅକାଟ୍ୟ ପ୍ରମାଣ ଅଛି । ଏହି ଦେଖନ୍ତୁ ଚାରିଟା କାଦୁଅଗୁମ୍ଫି ଗୋଟିପୁଅ ପିଲାଙ୍କ ପରି ନାଚକୁଦି ବୁଲୁଅଛନ୍ତି । ତୋଡ଼ୀ ପିଲାଟିର, ଦଣ୍ତେଇ ପଲାଟିର ବେକ ଚିପୁଛନ୍ତି ବୋଲି ସିନା ଏତେ ନାଚକୁଦ । କେହି କହିବେ, କାଦୁଅଗୁମ୍ଫିଗୁଡ଼ାକ କି ନିଷ୍ଠୁର, କି ଦୁଷ୍ଟ, ପରର ବେକ ଚିପି ଏତେ ଆନନ୍ଦ ! ଭାଇ, କଣ କହିବୁଁ ! ବିଚାରୀ କାଦୁଅଗୁମ୍ଫିକୁ ନିଷ୍ଠୁର ବୋଲ, ସଇତାନ ବୋଲ,