ପୃଷ୍ଠା:Chha mana atha guntha.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚମ୍ପା ବଇଠା ତେଜି ଦେଇ ଖୁବ୍ ଗୋଟାଏ ହସିଲା, କହିଲା, "ଦେଖ ସାଆନ୍ତେ ପ୍ରଥମେ ମନରେ କରିଥିଲି ପାରିବି ନାହିଁ, ବୁଦ୍ଧି ଖରଚ କଲେ କ'ଣ ନ ହୁଏ ? ସେ ଛମାଣ ଆଠଗୁଣ୍ଠ ଚକକୁ କାଲି ହଳ ଯିବ ତ ?"

ମଙ୍ଗରାଜେ - ମୁଁ ହଳିଆମାନଙ୍କୁ କହିଦେଇଛି, କାଲି ସକାଳେ ହଳ ନେବେ, କଢ଼ାଣ ଦୋହଡ଼ ସବୁ ସାରିବେ । ମୁଁ ମଧ୍ୟ ବିଲକୁ ଯିବି ।

ଚମ୍ପା: ସେମାନଙ୍କ ଘର ଭାଙ୍ଗିଦେଇ ଭଲ କଲ । ଘର ଥିଲେ କେତେବେଳେ ଜମି ସକାଶେ ଲଗାନ୍ତେ ।

ମଙ୍ଗରାଜେ : ଜମି ଛମାସ ମିଆଦରେ କଟବନ୍ଧକ ଥିଲା, ମିଆଦ ଗଲାରୁ ଜମି ପାଇଲୁ, ମକଦ୍ଦମା ସକାଶେ ଘର ହେଲା, ମୁଁ କିଣିନେଇ ଭାଙ୍ଗିଦେଇଛି ।

ଚମ୍ପା :ଜମି ହେଉ, ଘର ହେଉ ଯାହା ହେଉ ସେଇ ଗାଈଟି ଲାଗି ମୁଁ ଏତେ କଥା କଲି । ଗାଈ ତ ନୁହେଁ, ଗୋଟିଏ ଗୁଣ୍ଠୁଣୀ ହାତୀ । ଆଜି କଚେରୀ ପିଣ୍ତାରେ ବାନ୍ଧି ଆସିଅଛି, କାଲିଠାରୁ ଉଆସ ଭିତରେ ବାନ୍ଧିବି । ସେ ଦୁଇଟା କୁଆଡ଼େ ଗଲେ ?

ମଙ୍ଗରାଜେ :କେଉଁ ଦୁଇଟା ? ଭଗିଆ ସାରିଆ ? ବାବନାଭୂତ ପରି ୟା ଓଳି ତା ଓଳିରେ ପଶୁଛନ୍ତି ।

ଚମ୍ପା : ସେଦିନ ସକାଳେ ସାରିଆ ମଙ୍ଗଳା ପାଖରେ କାନ୍ଦି କାନ୍ଦି ମୁଣ୍ତ କୋଡ଼ି ହେଉଥାଏ, ମତେ ଦେଖି ଆହୁରି କାନ୍ଦିଲା, କଣ କହିବ ବୋଲି ମୋ ପାଖକୁ ଆସୁଥିଲା ମୁଁ ମୁହଁ ବୁଲାଇଦେଇ ଚାଲିଆସିଲି । ତାହାବାଦ୍ ଚମ୍ପା ଓ ମଙ୍ଗରାଜଙ୍କ ମଧ୍ୟରେ ଅନେକ ରାତି ପର୍ଯ୍ୟନ୍ତ କଥାବାର୍ତ୍ତା ହେଲା । ଶେଷରେ ଏମନ୍ତ ସାବଧାନ, ଏମନ୍ତ ଗୁପ୍ତ ଭାବରେ ବସି ମନ୍ତ୍ରଣା କଲେ ଯେ, ଆମ୍ଭେମାନେ କୌଣସିକ୍ରମେ ସେଥିର ସନ୍ଧାନ ପାଇପାରିଲୁ ନାହିଁ । ପରସ୍ପର ମୁହଁକୁ ଚାହିଁବସିଛନ୍ତି । ଦୁହେଁ କଥାରେ ମଗ୍ନ । ଏମନ୍ତ ସମୟରେ ସେହି ଦୁହିଁଙ୍କ ମଧ୍ୟରେ ଗୋଟିଏ ସ୍ତ୍ରୀ ମୂର୍ତ୍ତିର ଛାୟା ପଡ଼ିଲା । ଦୁହେଁ ଚମକି ପଡିଲାପରି ସେହି ମୂର୍ତ୍ତିକୁ ଅନାଇ ରହିଲେ । ହଠାତ୍ କଥାବାର୍ତ୍ତା ବନ୍ଦ ।