ପୃଷ୍ଠା:Chha mana atha guntha.pdf/୮୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଙ୍ଗ ଅବଶପ୍ରାୟ ହୋଇଗଲା । କୌଣସି ରୂପେ ସମ୍ଭାଳି ହୋଇ ଧୀରେ ଧୀରେ ଘରୁ ବାହାରି ଆସି ପିଣ୍ତାରେ ବାଡ଼କୁ ଆଉଜି ଲଠ୍‌କରି ବସିଗଲେ । ଆମେମାନେ ସମ୍ବାଦ ପାଇଅଛୁ, ସେହି ରାତ୍ରିଠାରୁ ସାଆନ୍ତାଣୀଙ୍କ ମୁଖରୁ କେହି କିଛି କଥା ଶୁଣି ନାହିଁ । ମଧ୍ୟ ସେ ଲୁଚାଇବାକୁ ବିଶେଷ ଚେଷ୍ଟା କରୁଥିଲେ ସୁଦ୍ଧା ସର୍ବଦା ତାହାଙ୍କ ଆଖିରୁ ପାଣି ବହୁଥିବାର ଦେଖାଯାଉଅଛି ।

ଚମ୍ପା ଧଡ୍ କରି କବାଟଟା ଆଉଜାଇ ଦେଇ ଆପଣା ସ୍ଥାନରେ ବସି କହିଲା "ମୋତେ କେହି ଗାଳିଦେଇ ଛାଞ୍ଚୁଣି ମାରୁ ପଛକେ କାଟିବ ନାହିଁ ; ମାତ୍ର ତୁମକୁ ପଦେ କେହି କହିଲେ ମୋ ହୃଦ ହାଣିହୋଇଯାଏ । ସାଆନ୍ତାଣୀଙ୍କ କଥା ଶୁଣିଲେ ତ ? ଆଉ କେହି ହେଲେ ମୁହଁ ଚାହନ୍ତା ନାହିଁ ପରା ?" ସାରିଆ କଥାବେଳେ ତ ସବୁ ବୁଝି ନେଇଅଛ ! ତୁମକୁ ଫେର କିଏ ବୁଝାଇଦେବ ? ବରଷକସାରା ଲାଗିଲା ମୁଠା ମୁଠା ଟଙ୍କା ଘରୁ ବାହାରିଗଲା, କଟକ ମାମଲା ଲାଗିଲା । ବଗିଚାର ଦଶ ଶଗଡ଼ କି କୋଡିଏ ଶଗଡ଼ ପଥର ମଙ୍ଗଳା ପାଖକୁ ବୋହିଦେଲ, ଶେଷରେ ସାଆନ୍ତାଣୀ କହନ୍ତି କି ନା, ସାରିଆର ଛମାଣ ଆଠଗୁଣ୍ଠ ଜମି ଛାଡ଼ିଦିଅ, କି ନା ତାହା ଘର ଭାଙ୍ଗ ନାହିଁ ।" ଏହା କହି ଚମ୍ପା ଠୋ ଠୋ କରି ହସିଲା ।

ଘୋର ନୈଶ ନିସ୍ତବ୍ଧତା ଭେଦ କରି ସେହି ପୈଶାଚିକ ବିକଟ ହାସ୍ୟ ସାଆନ୍ତାଣୀଙ୍କ କର୍ଣ୍ଣପଟହ ଭେଦ କରିଥିବ; ମାତ୍ର ସେତେବେଳେ ତାହାଙ୍କର ସେଥିରେ ଦାରୁଣତ୍ୱ ଅନୁଭବ କରିବାର ଶକ୍ତି ନ ଥିଲା ।

ମଙ୍ଗରାଜ ଚମ୍ପା ମଧ୍ୟରେ ଯେଉଁ କଥା ଚଳିଲା, ଅନ୍ୟକୁ ଅଗୋଚର, କେବଳ ଚମ୍ପା ମୁଖର କଥା ଏତିକି ଶୁଣାଅଛି, "ତୁମେ ତ ମୋତେ ଖଣ୍ତେ ଡୋଲି ଚାରିଟା ଭାର ସଜାଡ଼ି ଦିଅ, ଦେଖିବ, ମୁଁ ଯଦି ନପାରେ ନାକ କାଟିଦେବ ।"