ପୃଷ୍ଠା:Galpa swalpa.djvu/୮୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଗଳ୍ପ ସ୍ୱଳ୍ପ ଦ୍ୱିତୀୟ ଭାଗ

ଅଜା ନାତି କଥା (ସତ୍ୟ ଘଟଣାମୂଳକ)

ଅଜା ରାମ ଦ୍ୱିବେଦୀଏ-ଆରେ ଗଣି! ଆମ ଜମିର ରୋଡ଼ସେସ୍ ଟଙ୍କା ଦାଖଲ କରିବା ଲାଗି କଚେରିକୁ ଯାଅଇଥିଲି। କାଲି ସଞ୍ଜବେଳେ ଘରକୁ ଫେରି ଆସିଛି। ଆମ ମୁକ୍ତାର ରାମ ମିଶ୍ରେ ଆଉ ଦି ଚାରି ଜଣ ଓକିଲଙ୍କୁ ପଚାରିଲି, କାହିଁ, କେହି ତ ସେ ମକଦ୍ଦମା କଥା ଶୁଣିଥିବାର କ ହିଲେ ନାହିଁ? ପୁରୀ ସହର ଭିତରେ ବି କେତେ ଲୋକଙ୍କ ସାଙ୍ଗରେ ଦେଖା ହେଲା। ଯାହାକୁ ପଚାରିଲି, ସମସ୍ତେ କହିଲେ, ପୁରୀରେ ଏ କଥା ଶୁଣା ନାହିଁ। ଏ କିମିତିକା କଥା ରେ?

ନାତି ଗଣପତି-କେଉଁ ମକଦ୍ଦମା କଥା ଅଜା?

ଅଜା-ଆରେ ତୁ ସେଦିନ ପରା ଗେଜେଟ୍ ରେ ପଢ଼ି ଶୁଣାଉଥିଲୁ, ଗୋଟିଏ ମାଇକିନିଆ ଗୋଟିଏ ପୁରୁଷ ଦୁଇଜଣ ଚୋର ଚୋରଣୀ ମଉନା ମଉନୀ ବାବାଜୀ ସାଜି ଖଣ୍ଡଗିରିର ଗୋଟାଏ ଗୁହା ଭିତରେ ବସି ମିଛରେ ତପସ୍ୟା କରୁଥିଲେ। ପୁଲିସ ସେମାନଙ୍କୁ ଚଲାଣ ଦେଲା। ମେଜେଷ୍ଟର ସାହେବ ଦି ଦି ବରଷ ମିଆଦି ଦେଲେ।

ଗଣପତି-ହୋଃ ହୋଃ ହୋଃ! ଏଇ କଥା। ନାହିଁ ନାହିଁ ଅଜା, ସେଇଟା ଗେଜେଟ୍ ନୁହେଁ, ସେଇଟା "ସାହିତ୍ୟ" ମାସିକପତ୍ରିକା। ସେଥିରେ ମଉନା ମଉନୀ ବୋଲି ଗୋଟିଏ ଗଳ୍ପ ଲେଖାଥିଲା, ସେଇଟା ପଢ଼ି ଶୁଣାଉଥିଲି।

ଅଜା-ଆରେ ଗେଜେଟ୍ ରେ କଣ ମିଛ କଥା ଲେଖା ହୁଏ? ସେଗୁଡ଼ାକ ତୁ କ୍ୟାଁ ପଢ଼ୁ? ମଲା ଯା! ମୁଁ ଜାଣିଥିଲି ସରକାରରୁ ଯେତେ ଛାପା ଗେଜେଟ୍ ଆସେ, ସେଥିରେ ସବୁ ସତ କଥା ଲେଖା ଥାଏ। ତେବେ ଏଇଭଳି ମିଛକଥା ଗୁଡ଼ାଏ ଥାଏ? ସେ ଗୁଡ଼ାକ ତୁ କ୍ୟାଁ ପଢ଼ୁରେ? ତୁମ ଇସ୍କୁଲରେ କଣ ଏଇ ମିଛ କଥାଗୁଡ଼ାକ ପଢ଼ା ହୁଏ? ହବ ନାହିଁ? ମ୍ଳେଛ ପାଠ ତ!

ଗଣପତି-ନାହିଁ ଅଜା, ସେ ଗୁଡ଼ାକ ମିଛ ନୁହେଁ; ମନୁଷ୍ୟ କେତେ ରକମ କାର୍ଯ୍ୟ କରିପାରେ, କଥା ଛଳରେ ସେହି ଚରିତ୍ର ବର୍ଣନା କରାଯାଇଛି।

ଅଜା-କ୍ୟାଁ? ମିଛ କଥା ଗୁଡ଼ାଏ ଲେଖି ବର୍ଣନା କରିବା ଦରକାର କଣ? ପଢ଼ିଲୁ, ଆମର ଏତେ ପୁରାଣ ଅଛି, ପଢ଼ିଲୁ, ପଦେ ମିଛ ପାଇବୁ କି?